ଭୁବନେଶ୍ବର: ରାଜଧାନୀରେ ବଢ଼ୁଛି ବୋମା ମାଡ଼ ମାମଲା। ଗତ ମାସକ ମଧ୍ୟରେ ରାଜଧାନୀର ୪ ସ୍ଥାନରେ ବୋମାମାଡ଼ ହୋଇଛି। ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ ବି ସେମାନଙ୍କୁ ବୋମା ଯୋଗାଉଥିବା ସଂସ୍ଥା ବା ବ୍ୟକ୍ତି ବାବଦରେ କୌଣସି ସୂଚନା ପାଉନଥିଲା। ରାଜଧାନୀକୁ ବୋମା ଯୋଗାଉଥିବା ଗୋଷ୍ଠୀ ରାଜଧାନୀ ଉପକଣ୍ଠରେ ଆସ୍ଥାନ ଜମେଇଥିବା ନେଇ ପୁଲିସ ସନ୍ଦେହ କରୁଥିଲା। ଜଟଣୀ, ଖୋର୍ଦ୍ଧା ଓ ବାଲିପାଟଣାରୁ ବୋମା ରାଜଧାନୀକୁ ଆସୁଥିଲା ବୋଲି ସବୁବେଳେ ଆଲୋଚନା ହେଉଥିଲା। କିନ୍ତୁ ୩ ତାରିଖରେ ଭିଏସ୍ଏସ୍ନଗରରେ ଘଟିଥିବା ବୋମା ବିସ୍ଫୋରଣ ମାମଲା ପରେ ଖୋଦ୍ ରାଜଧାନୀରେ ହିଁ ବୋମା କାରଖାନା ଥିବା ପଦାକୁ ଆସିଛି। ଗୋଜବାୟାଣୀ ବସ୍ତିରେ କୁଖ୍ୟାତ ଶିବାନନ୍ଦ ବୋମା ତିଆରି କରୁଥିବା ଜଣାପଡ଼ିବା ପରେ ରାଜଧାନୀର ଅନ୍ୟ କିଛି ବସ୍ତିରେ ବି ବୋମା ତିଆରି ହେଉଥିବା ଅନୁମାନ କରାଯାଉଛି। ତେଣୁ କମିସନରେଟ୍ପୁଲିସ ଏନେଇ ଖୋଳତାଡ଼ ଆରମ୍ଭ କରିଛି।
ଗତ ମାସର ତଥ୍ୟ ଅନୁସାରେ ୧୭ ତାରିଖ ରାତିରେ ଖାରବେଳନଗରସ୍ଥିତ ୟୁନିଟ୍-୪ରେ ଶ୍ରୀଜୁଏଲାରି ମାଲିକ ରମାକାନ୍ତ ମହାରଣାଙ୍କ ଉପରକୁ ବୋମାମାଡ଼ ହୋଇଥିଲା। ସେ ସୋ’ ରୁମ୍ ବନ୍ଦ କରୁଥିବା ବେଳେ ଦୁର୍ବୃତ୍ତମାନେ ବୋମାମାଡ଼ କରି କାର୍ରେ ଫେରାର୍ ହୋଇଯାଇଥିଲେ। ରମାକାନ୍ତଙ୍କ ଦୁଇ ଗୋଡ଼ରେ କ୍ଷତ ସୃଷ୍ଟି ହୋଇଥିଲା। ସେହିପରି ଏହି ଘଟଣାର ୨୪ ଘଣ୍ଟା ନ ପୂରୁଣୁ ୧୮ତାରିଖ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଲକ୍ଷ୍ମୀସାଗର ଥାନା ଷ୍ଟେସନ୍ବଜାର ନିକଟ ପ୍ରଧାନସାହି ବସ୍ତିରେ ବୋମାମାଡ଼ କରିଥିଲେ। ବସ୍ତିର ଏସ୍. ଚେଲାପତିଙ୍କ ଘର ସମ୍ମୁଖରେ ଦୁର୍ବୃତ୍ତମାନେ ବୋମାମାଡ଼ କରିଥିଲେ। ସେହିଭଳି ମାର୍ଚ୍ଚ ୨୦ ତାରିଖ ଦିନ ପଳାସୁଣି ନିକଟ ଜଗନ୍ନାଥବିହାରରେ ବିଳମ୍ବିତ ରାତିରେ ବୋମାମାଡ଼ ହୋଇଥିଲା।
ରାତି ପ୍ରାୟ ୧୧ଟା ସମୟରେ ୨ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ୩ଟି ବୋମାମାଡ଼ କରିଥିଲେ। ବରମୁଣ୍ଡା ବସ୍ଷ୍ଟାଣ୍ଡରେ ଏକ ହୋଟେଲ ଉପରକୁ ବୋମାମାଡ଼ ହୋଇଥିବା ବେଳେ ପୂର୍ବରୁ ଡିସେମ୍ବର ୨୫ ତାରିଖ ରାତିରେ ସହିଦନଗର ଅଞ୍ଚଳରେ ଥିବା ଡଲ୍ଫିନ୍ ଜୋତା ସୋ’ ରୁମ୍ ଉପରକୁ ବୋମାମାଡ଼ ହୋଇଥିଲା। ସେହିଭଳି ସେପ୍ଟେମ୍ବରରେ କଟକରୋଡ୍ରେ ଥିବା ରେନ୍ ଦ’ ବାର୍ ଉପରକୁ ବୋମାମାଡ଼ ହୋଇଥିଲା। ଏହାବାଦ୍ ସାମନ୍ତରାପୁରସ୍ଥିତ ଦୁର୍ଗା ଜୁଏଲାରି, ଡେଲ୍ଟା ଛକରେ ଥିବା ଲକ୍ଷ୍ମୀ ଜୁଏଲାରି, ଦୁଇ ଦୁଇଟି ରାଜନୈତିକ କାର୍ଯ୍ୟାଳୟ ଉପରକୁ ମଧ୍ୟ ବୋମାମାଡ଼ ହୋଇଥିଲା। ତେଣୁ ରାଜଧାନୀରେ ଘନଘନ ବୋମାମାଡ଼ କମିସନରେଟ୍ ପୁଲିସ ପାଇଁ ଚ୍ୟାଲେଞ୍ଜ୍ ସୃଷ୍ଟି କରିଥିଲା। ପୁଲିସ ଉପକଣ୍ଠରେ ବୋମା କାରଖାନା ଅଣ୍ଡାଳି ହେଉଥିବା ବେଳେ ଏବେ ଭିଏସ୍ଏସ୍ନଗର ଘଟଣା ପୁଲିସ ପାଇଁ ସତର୍କ ଘଣ୍ଟି ସଦୃଶ ହୋଇଛି। ବିଭିନ୍ନ ବସ୍ତି ଅଞ୍ଚଳରେ ବୋମା ଭିଡ଼ା ହେଉଥିବା ସନ୍ଦେହ କରାଯାଉଛି।
ଥାନାରେ ହଙ୍ଗାମା କରିଥିଲା ଶିବାନନ୍ଦ
ଭିଏସ୍ଏସ୍ନଗର ଜିଏଲ୍ କଲୋନି ଗୋଜବାୟାଣି ବସ୍ତିରେ ବାଣ ଭିଡ଼ୁଥିବା ସମୟରେ ବିସ୍ ଫୋରଣ ଘଟିବାରୁ ପ୍ରାଣ ହରାଇଥିବା ଶିବାନନ୍ଦ ତାଡ଼ର ଅପରାଧିକ ପୃଷ୍ଠଭୂମି ବିଷୟରେ ବହୁ କଥା ପଦାକୁ ଆସୁଛି। ପୂର୍ବରୁ ସେ ଥରେ ସହିଦନଗର ଥାନାରେ ପୁଲିସକୁ ଆକ୍ରମଣ କରିବା ସହ ହଙ୍ଗାମା ସୃଷ୍ଟି କରିଥିଲା। ମିଳିଥିବା ଖବର ଅନୁସାରେ ପୂର୍ବରୁ ଶିବାନନ୍ଦ ରାଜନୀତିରେ ସଂପୃକ୍ତ ଥିଲା। ଏମିତିକି ଛାତ୍ର ରାଜନୀତିରେ ବି ତା’ର ସକ୍ରିୟ ଭୂମିକା ଥିଲା। ରାଜଧାନୀର ବିଭିନ୍ନ କଲେଜ ନିର୍ବାଚନ ବେଳେ ସେ ସକ୍ରିୟ ରହୁଥିଲା। ଏକଦା ଏକ ଛାତ୍ର ଗଣ୍ଡଗୋଳ ମାମଲାରେ ସେ ତା’ର ଗ୍ୟାଙ୍ଗ୍ ସହିଦନଗର ଥାନାରେ ପଶି ପୁଲିସକୁ ଆକ୍ରମଣ କରିବା ସହିତ ଥାନାରେ ଭଙ୍ଗାରୁଜା କରିଥିଲା। ଏନେଇ ସହିଦନଗର ଥାନାରେ ତା’ ନାମରେ ମାମଲା ରହିଛି। ଏତେ ସବୁ ସତ୍ତ୍ବେ ପୁଲିସ ତା’ର ବୋମା ତିଆରି ବାବଦରେ ସୂଚନା ପାଇନଥିଲା। ପୂର୍ବରୁ ବସ୍ତି ଲୋକେ ଭୟରେ ମୁହଁ ଖୋଲୁନଥିବା ମଉକାରେ ସେ ଏହି ବେଆଇନ କାରବାର ଚଳାଇଥିଲା।