ଭୁବନେଶ୍ବର : ଦୁଇ ମାସ ପୂର୍ବେ କଟକରୋଡ୍ସ୍ଥିତ ଏକ ବାର୍ ଉପରକୁ ବୋମାମାଡ଼ କରିଥିବା ଦୁଇ ଅଭିଯୁକ୍ତଙ୍କୁ ଲକ୍ଷ୍ମୀସାଗର ଥାନା ପୁଲିସ ଗିରଫ କରିଛି। ସେମାନେ ହେଲେ ବାଲିଅନ୍ତା ଅଣ୍ଡିଲୋ ଅଞ୍ଚଳର ସେକ୍ ମଞ୍ଜୁରୁଲ୍ ହକ୍(୨୯) ଓରଫ୍ ସନିଆ ଓ ଲକ୍ଷ୍ମୀସାଗର ଥାନା ବଙ୍ଗାଳିସାହି ରିଫ୍ୟୁଜି କଲୋନିର ଶ୍ରୀତମ କୁଣ୍ଡୁ ଓରଫ ଗଜ(୨୦)। ଗତକାଲି ରାତିରେ ଅଭିଯୁକ୍ତଦ୍ବୟ ବମିଖାଲ ଓଭରବ୍ରିଜ୍ ତଳେ ଏକ ନିଛାଟିଆ ଘରେ ବୋମା ଭିଡ଼ୁଥିବା ବେଳେ ପୁଲିସ ସେମାନଙ୍କୁ କାବୁ କରିଛି। ସେମାନଙ୍କଠାରୁ ଗୋଟିଏ ପ୍ୟାକେଟ୍ ଗନ୍ ପାଉଡର ଜବତ କରାଯାଇଛି।
ସୂଚନା ମୁତାବକ ସନିଆ ରାଜଧାନୀର ବିଭିନ୍ନ ବାର୍କୁ ବାର୍ ଗାର୍ଲ ଯୋଗାଇଥାଏ। ଗତ ସେପ୍ଟେମ୍ବର ୨୬ ତାରିଖ ଦିନ ସେ ଉକ୍ତ ବାର୍ ମାଲିକ ସତ୍ୟ ମହାନ୍ତିଙ୍କୁ ଭେଟି ବାର୍ ଗାର୍ଲ ଯୋଗାଇବା ପାଇଁ କହିଥିଲା। କିନ୍ତୁ ସତ୍ୟ ମନା କରିଥିଲେ। ଏହାକୁ ନେଇ ସନିଆ ଓ ସତ୍ୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା ଏବଂ ସନିଆ ଧମକଚମକ ଦେଇ ଚାଲିଆସିଥିଲା। ସେଦିନ ରାତି ପାଖାପାଖି ସାଢ଼େ ୧୧ଟା ସମୟରେ ସନିଆ ଓ ଗଜ ବାର୍ ନିକଟକୁ ଆସି ଗାଳିଗୁଲଜ କରିଥିଲେ। ସେଠାରେ ଥିବା ସିକ୍ୟୁରିଟି ଗାର୍ଡ ପ୍ରତିବାଦ କରିବାରୁ ସେମାନେ ୩ଟି ବୋମାମାଡ଼ କରି ଫେରାର୍ ହୋଇଯାଇଥିଲେ।