ଗୋଡ଼େଇ ହାଣିଲେ, ବୋମା ଫିଙ୍ଗିଲେ

ଭୁବନେଶ୍ବର: ବେଶ୍‌ କିଛି ଦିନର ନିରବତା ପରେ ଗୁରୁବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ରାତି ପ୍ରାୟ ସାଢ଼େ ୧୧ଟା ବେଳେ ସିବିଆଇ କାର୍ଯ୍ୟାଳୟ ପଛ ଓସିସି ବସ୍ତିର ଜଣେ ଯୁବକଙ୍କୁ ୧୦ରୁ ୧୨ଜଣ ଦୁର୍ବୃତ୍ତ ଗୋଡ଼େଇ ଗୋଡ଼େଇ ଭୁଜାଲିରେ ହାଣିଛନ୍ତି। ଆକ୍ରମଣର ଶିକାର ହୋଇଥିବା ଯୁବକଜଣଙ୍କ ହେଲେ, ପପୁ ଦିଗଲ। ତେବେ ପପୁଙ୍କ ଚିତ୍କାର ଶୁଣି ବସ୍ତିବାସିନ୍ଦା ବାହାରକୁ ଚାଲି ଆସିବାରୁ ଦୁର୍ବୃତ୍ତମାନେ ସେମାନଙ୍କୁ ଭୟଭୀତ କରାଇବା ପାଇଁ ଦୁଇଟି ବୋମାମାଡ଼ ଖସି ଯାଇଛନ୍ତି। ସଂକଟାପନ୍ନ ପପୁଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଗୋଡ଼, ଅଣ୍ଟା ଓ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି। ନୂଆପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁସାରେ, ଏହି ବସ୍ତିରେ ରହୁଥିବା ଦୁଇ ଗୋଷ୍ଠୀ ମଧ୍ୟରେ ସରସ୍ବତୀ ପୂଜାକୁ ନେଇ ବିବାଦ ଦେଖାଦେଇଥିଲା। ଆଜି ବିଳମ୍ବିତ ରାତିରେ ଏହାକୁ କେନ୍ଦ୍ର କରି ଗୋଟିଏ ଗୋଷ୍ଠୀର ପ୍ରାୟ ୧୦ରୁ ୧୨ଜଣ ଯୁବକ ୪ଟି ବାଇକ୍‌‌ରେ ଆସି ପପୁଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ତେବେ ଯୁବକମାନଙ୍କୁ ଦେଖି ପପୁ ଜୀବନ ବିକଳରେ ସେଠାରୁ ଦୌଡ଼ି ପଳାଇବାକୁ ଚେଷ୍ଟା କଲା ବେଳେ ଯୁବକମାନେ ତାଙ୍କୁ ଭୁଜାଲିରେ ଚୋଟ ପରେ ଚୋଟ ପକାଇଥିଲେ। ପାଟି ଶୁଣି ବସ୍ତିବାସିନ୍ଦା ବାହାରକୁ ଚାଲି ଆସିବାରୁ ଯୁବକମାନେ ୨ଟି ବୋମା ପକାଇ ସେମାନଙ୍କୁ ଭୟଭୀତ କରାଇଥିଲେ। ତେବେ ଦୁର୍ବୃତ୍ତମାନେ ସେଠାରୁ ପଳାଇ ଯିବା ପରେ ବସ୍ତିର କିଛି ଲୋକ ଏ ସଂପର୍କରେ ନୂଆପଲ୍ଲୀ ଥାନାକୁ ଖବର ଦେବା ସହ ପପୁଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ।

ସମ୍ବନ୍ଧିତ ଖବର