ପୂର୍ବ ଶତ୍ରୁତାକୁ ନେଇ ନେହରୁ ବସ୍ତିରେ ବୋମାମାଡ଼

ଭୁବନେଶ୍ୱର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆଜି ନୂଆପଲ୍ଲୀ ଥାନା ଅଧୀନରେ ଥିବା ୟୁନିଟ ୮ ଅଞ୍ଚଳର ନେହେରୁ ବସ୍ତିରେ ବୋମାମାଡ଼ ହୋଇଛି। ବୋମାମାଡ଼ ହୋଇଥିବା ଘରର କାନ୍ଥ କଣା ହେବା ସହ ଘରର ଆସବାବପତ୍ର ଜଳିଯାଇଛି। ବୋମାମାଡ଼ରେ କ୍ଷତିଗ୍ରସ୍ତ ହୋଇଥିବା ମହିଳା ଜଣକ ଆଜି ନୂଆପଲ୍ଲୀ ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନାନୁଯାୟୀ ଜମ୍ବୁ ନାୟକ ନାମକ ଜଣେ ମହିଳା ଦୀର୍ଘ ବର୍ଷ ହେଲା ସେହି ବସ୍ତିରେ ରହିଆସୁଛନ୍ତି। ଜମ୍ବୁଙ୍କ କହିବାନୁଯାୟୀ ଗତ କିଛିଦିନ ତଳେ କୌଣସି କଥାକୁ ନେଇ ତାଙ୍କର ତାଙ୍କ ପଡ଼ୋଶୀଙ୍କ ସହ ପାଟତୁଣ୍ଡ ହୋଇଥିଲା। ଏନେଇ ସାହିରେ ସମାଧାନ ମଧ୍ୟ ହୋଇଥିଲା। ଏହି ରାଗରେ ତାଙ୍କ ପଡ଼ୋଶୀ ଆଜି ଭୋର ୩ଟା ସମୟରେ ତାଙ୍କ ଘର ଉପରକୁ ବୋମାମାଡ଼ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ବୋମାମାଡ଼ରେ ତାଙ୍କ ଘରର କାନ୍ଥ କଣା ହୋଇଯିବା ସହ କାନ୍ଥ ଦୋହଲି ଯାଇଥିଲା। ବୋମାମାଡ଼ ଫଳରେ ପ୍ରଚଣ୍ଡ ଶବ୍ଦ ହୋଇଥିଲା ଯେଉଁଥିରେ କି ଆଖ ପାଖ ଘର ଦୋହଲି ଯାଇଥିଲା ବୋଲି ସ୍ଥାନୀୟ ଲୋକ ସୂଚନା ଦେଇଛନ୍ତି। ଏନେଇ ସେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର