ବୋମାମାଡ଼ରେ ଥରିଲା ପଥରବନ୍ଧ ବସ୍ତି

ଦୁର୍ଦାନ୍ତ ଅପରାଧୀକୁ ଖୋଜୁଛି ପୁଲିସ

ଭୁବନେଶ୍ବର: ଦିନକୁ ଦିନ ରାଜଧାନୀରେ ଅପରାଧୀଙ୍କ ସାମ୍ରାଜ୍ୟ  ବଢ଼ିବାରେ ଲାଗିଛି। କେତେବେଳେ ବୋମା ବର୍ଷୁଛି ତ ଆଉ କେତେବେଳେ ବନ୍ଧୁକ ଗର୍ଜୁଛି। ଆଜି ସହିଦନଗର ଥାନା ଅଧୀନ ପଥରବନ୍ଧ ବସ୍ତିର ମନୁ ବେହେରାଙ୍କ ଘରକୁ ସିରିଜ୍‌ ବୋମାମାଡ଼ ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ ପରିସ୍ଥିତି ସୃଷ୍ଟି କରିଛି। ଅପରାଧୀଙ୍କ ଖୋଲା ବିଚରଣକୁ ନେଇ ଭୟ ଓ ଆତଙ୍କର ବାତାବରଣ ସୃ‌‌ଷ୍ଟି ହୋଇଛି। ଯେମିତି ପୁଲିସ ପ୍ରତି ଅପରାଧୀଙ୍କ ଭୟ କମି ଯାଇଛି।  ସହିଦନଗର ଥାନାଠାରୁ ମାତ୍ର କେଇ ମିଟର୍‌ ଦୂରରେ ଖୋଦ୍‌ କମିସନରେଟ୍‌ ପୁଲିସ ବଳୟରେ ଥିବା ଅଞ୍ଚଳରେ ଅପରାଧୀଙ୍କ ଏଭଳି  ଉତ୍ପାତ କରୁଛନ୍ତି। ପୁଲିସକୁ ଖାତିର ନକରି  ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇ ଚାଲୁଛନ୍ତି। ଏହା ପୁଲିସର କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।  ଅନ୍ୟପଟେ ବୋମା ମାଡ଼ ହୋଇଥିବା ଖବର ପାଇବା ପରେ ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗତ ୫ ଦିନ ତଳେ ଜେଲ୍‌ରୁ ଫେରିଥିବା ଜଣେ ଅପରାଧୀ ଏଭଳି କାଣ୍ଡ ଘଟାଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

 

ସୂଚନା ମୁତାବକ, ସୋମବାର ଦିନ ପ୍ରାୟ ସାଢ଼େ ୧୧ଟାରେ ମନୁ ଓ ତାଙ୍କ ପରିବାରଲୋକ ବ୍ଲକ ନଂ-୪ ସ୍ଥିତ ଘରେ ଥିବା ସମୟରେ ଅଚାନକ ଘର ଉପରକୁ ବୋମାମାଡ଼ କରାଯାଇଥିଲା। ହଠାତ୍‌ ପ୍ରଚଣ୍ଡ ଶବ୍ଦ ଶୁଣି ମନୁ ଓ ତାଙ୍କ ପରିବାରଲୋକ ଭୟଭୀତ ହୋଇପଡ଼ିଥିଲେ। ଏତେ ଜୋରରେ କ’ଣ ଶବ୍ଦ ହେଲା ବୋଲି କହି ମନୁ ତଳକୁ ଯିବା ପାଇଁ ବାହାରିଥିଲେ। ତେବେ ସେ ତଳକୁ ଯିବା ପୂର୍ବରୁ ଦୁର୍ବୃତ୍ତ ଗୋଟିଏ କି ଦୁଇଟି ନୁହେଁ, ଲଗାତାର ୪ଟି ବୋମା ମାଡ଼ କରିଥିଲେ। ଲାଟିନ୍‌ ଘର ଓ ବେଡ୍‌ରୁମ୍‌ ଉପରକୁ ୨ଟି ବୋମାମାଡ଼ କରିଥିଲେ। ଏହାପରେ ରାସ୍ତାରେ ଗୋଟିଏ ଓ ସ୍କୁଲ୍‌ ଘର ଉପରକୁ ଗୋଟିଏ। ବୋମା ମାଡ଼ ଫଳରେ ମନୁଙ୍କ ଘର କାଚ ଭାଙ୍ଗି ଯାଇଥିଲା। କିନ୍ତୁ ସେଠାରେ ବସିଥିବା ପରିବାରଲୋକ ଏକ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଅନ୍ୟପଟେ  ବୋମା ମାଡ଼ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା। ପ୍ରଚଣ୍ଡ ଶବ୍ଦ ଶୁଣି ଲୋକମାନେ ଘରୁ ବାହାରକୁ ଚାଲି ଆସିଥିଲେ। ଏ ସଂପର୍କରେ ଖିର ପାଇ ସହିଦନଗର ଥାନା ଆଇଆଇସି ପଦ୍ମନାଭ ପ୍ରଧାନ ଓ ଟିମ୍‌  ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ସହ ସ୍ଥାନୀୟ ଅଞ୍ଚଳରେ ଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଥିଲେ। ତେବେ ୫ଜଣ ଯୁବକ ଗୋଟିଏ ବାଇକ୍‌ ଓ ସ୍କୁଟିରେ ଆସି  ମନୁଙ୍କ ଘର ଉପରକୁ ବୋମା ମାଡ଼ କରୁଥିବା ସ୍ଥାନୀୟ ଲୋକମାନେ କହିଛନ୍ତି। ୨ଜଣ ଯୁବକ ବାଇକ୍‌ ଓ ସ୍କୁଟିରେ ବସି ରହିଥିବା ବେଳେ ଅନ୍ୟ ୩ ଜଣ ଯୁବକ ବୋମା ମାଡ଼ କରୁଥିଲା। ପରେ ସେମାନେ ଘଟଣାସ୍ଥଳରୁ ଫେରାର‌୍‌ ହୋଇଯାଇଥିଲେ। ତେବେ ଯୁବକମାନେ କିଏ ? କାହିଁକି ମନୁଙ୍କ ଘର ଉପରକୁ ବୋମା କରିଛନ୍ତି?  ଏହା ପଛରେ କ’ଣ କାରଣ ରହିଛି? କୌଣସି ପୂର୍ବ ଶତ୍ରୁତାକୁ ନେଇ ଏଭଳି କାଣ୍ତ ଘଟିଛି କି? କିମ୍ବା ଅନ୍ୟ କୌଣସି କାରଣ ଯୋଗୁଁ ଦୁବୃର୍ତ୍ତ ଏଭଳି କାଣ୍ତ ଘଟାଇଛନ୍ତି? ସେ ନେଇ ପୁଲିସର ତଦନ୍ତ ଜାରି ରହିଛି। ଏନେଇ ପୁଲିସ ଏକ ମାମଲା ରୁଜୁ କରିଛି। ଅନ୍ୟପଟେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ଯେ ଯେଉଁ ଯୁବକମାନେ ଏହି କାଣ୍ଡ ଭିଆଇଛନ୍ତି, ସେମାନେ ସ୍ଥାନୀୟ ଅଞ୍ଚଳର ଜଣେ ଦୁର୍ଦାନ୍ତ ଅପରାଧୀଙ୍କ ସହଯୋଗୀ। ୫ଦିନ ତଳେ ଅପରାଧୀ ଜଣଙ୍କ ଜେଲ୍‌ରୁ ଫେରିବା ପରେ ମନୁଙ୍କୁ ଟାର୍ଗେଟ୍‌ କରିଥିଲା। ସେ ବ୍ରାଉନ୍‌ସୁଗାର କାରବାରରେ ସମ୍ପୃକ୍ତ ଥିବାରୁ ଗତ କିଛି ଦିନ ତଳେ ସହିଦନଗର ଥାନା ପୁଲିସ ତାକୁ ଗିରଫ କରିଥିଲା। ତେବେ ମନୁ ତାକୁ ପୁଲିସରେ ଧରାଇଥିବା ସେ ସନ୍ଦେହ କରିଥିଲା। ସହିଦନଗର ଥାନା ପୁଲିସ ମୁଖ୍ୟ ଅଭିଯୁକ୍ତ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ତନାଘନା ଜାରି ରଖିଛି।

ସମ୍ବନ୍ଧିତ ଖବର