ଘନଘନ ବୋମାମାଡ଼, ପୂଜା ବେ‌ଳେ ବିଗିଡ଼ି ଗଲାଣି ଆଇନଶୃଙ୍ଖଳା

ଭୁବନେଶ୍ବର: ସୋମବାର ରାତିରେ ଖଣ୍ଡଗିରି ଥାନା ଅଧୀନ ବରମୁଣ୍ଡା ଶିବ ମନ୍ଦିର ନିକଟ ଏକ କମ୍ୟୁନିଟି ହଲ୍ ଉପରକୁ ଘନଘନ ବୋମାମାଡ଼ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ପୂଜା ସମୟରେ ଦୁର୍ବୃତ୍ତମାନେ ଏଭଳି ଅଘଟଣ ଘଟାଇ କମିସନରେଟ ପୁଲିସକୁ ଚ୍ୟା‌େଲଞ୍ଜ ଦେଇଛନ୍ତି। କେବଳ ବରମୁଣ୍ଡା ବୋମାମାଡ଼ କାହିଁକି ଗତ ମାସ ଶେଷ ଭାଗରେ ସେହି ଥାନା ଅଧୀନ ସରକନ୍ତରା ଓ ରଘୁନାଥପୁର ବାସିନ୍ଦାଙ୍କ ମଧ୍ୟରେ ଗୋଷ୍ଠୀସଂଘର୍ଷ ଘଟିଥିଲା। ଏହି ଘଟଣାରେ ମଧ୍ୟ ଦୁର୍ବୃତ୍ତମାନେ ଏକାଧିକ ସ୍ଥାନରେ ବୋମାମାଡ଼ କରିଥିଲେ। ଘନଘନ ବୋମାମାଡ଼ରେ ସ୍ଥାନୀୟ ଅଞ୍ଚଳ ଥରି ଉଠିଥିଲା। ଲୋକେ ଆତଙ୍କିତ ହୋଇ ପଡ଼ିଥିଲେ। ରାଜଧାନୀରେ ଗୁଳିକାଣ୍ଡ ପରେ ଏବେ ବୋମାମାଡ଼ ଅପରାଧର ନୂଆ ତରିକା ପାଲଟିଛି। ବୋମାମାଡ଼ କରି ଦୁର୍ବୃତ୍ତମାନେ ଭୟଭୀତ କରାଉଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି, ରାଜଧାନୀକୁ ବୋମା ଆସୁଛି କେଉଁ ଆଡୁ। ରାଜଧାନୀର ଅପରାଧୀଙ୍କୁ କିଏ ଯୋଗାଉଛି ବୋମା। ପୁଲିସ ସେ ଦିଗରେ ଅଧିକ ଖୋଳତାଡ଼ କାହିଁକି କରୁନାହିଁ।

ଏବେ ପାର୍ବଣର ସମୟ। ପୂଜାକୁ ଶାନ୍ତିଶଙ୍ଖଳାର ସହିତ ଶେଷ କରିବାକୁ କମିସନରେଟ ପୁଲିସ ସ୍ପେସାଲ୍ ଡ୍ରାଇଭ ଆରମ୍ଭ କରିଛି। ଯେଉଁଥିରେ ଚଳିତ ମାସ ଏବେ ସୁଦ୍ଧା ୪୨୧ ଜଣ ଅପରାଧୀଙ୍କୁ ପୁଲିସ ଗିରଫ କରି ସାରିଲାଣି। ଚାରି ଆଡ଼େ ପୁଲିସ ପଇଁତରା ମାରୁଛି। ଏଭଳି ପରିସ୍ଥିତିରେ ବରମୁଣ୍ଡା ଅଞ୍ଚଳରେ ବାରମ୍ବାର ବୋମା ଫୁଟିବା ଖଣ୍ଡଗିରି ଥାନା ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଖାଲି ଏତିକି ନୁହେଁ କିଛି ଦିନ ତଳେ ବରମୁଣ୍ଡା ବସଷ୍ଟାଣ୍ଡ ଭିତରେ ଜଣେ ବସ୍‌ ମାଲିକ ପ୍ରୀତମ କୁମାର ଜେନାମଣିଙ୍କୁ ଗୁଳି ହୋଇଥିଲା। ସେହିପରି ଖଣ୍ଡଗିରିର କଳିଙ୍ଗ ଷ୍ଟୁଡିଓ ରାସ୍ତା‌ର ଏକ ଫାଷ୍ଟଫୁଡ୍‌ ଦୋକାନୀ ସ୍ମୃତିରଂଜନ ଧଳଙ୍କୁ ଗୁଳି ହୋଇଥିଲା। ଏହି ସବୁ ଘଟଣା ପୁଲିସ ପାଇଁ ଏବେ ବି ଅପହଞ୍ଚ।

ସମ୍ବନ୍ଧିତ ଖବର