ଭୁବନେଶ୍ବର : ଶନିବାର ସନ୍ଧ୍ୟାରେ ଜନଗହଳିପୂର୍ଣ୍ଣ କଟକରୋଡ୍ରେ ବୋମାମାଡ଼ ହୋଇଛି। ଏକ ବାର୍ ନିକଟରେ ଦୁର୍ବୃତ୍ତମାନେ ବୋମାମାଡ଼ କରି ଫେରାର ହୋଇ ଯାଇଛନ୍ତି। ଗୋଟିଏ ବୋମା ଫୁଟିଥିବା ବେଳେ ଅନ୍ୟଟି ଫୁଟିନଥିବା ଜଣାପଡ଼ିଛି। ତେବେ ବୋମାମାଡ଼ରେ କୌଣସି ଧନଜୀବନ କ୍ଷତିଗ୍ରସ୍ତ ହୋଇନାହିଁ। ଲକ୍ଷ୍ମୀସାଗର ଥାନା ପୁଲିସ ଅଫୁଟା ବୋମାଟିକୁ ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଛି। ତେବେ ପୁଲିସ ବୋମାମାଡ଼ କରିଥିବା ଦୁର୍ବୃତ୍ତମାନଙ୍କ ଟେର୍ ପାଇନଥିବାରୁ ଏହା ପଛରେ ଥିବା କାରଣ ସ୍ପଷ୍ଟ ହୋଇ ପାରିନାହିଁ।
ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନାନୁସାରେ ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ସମୟରେ ଦୁଇ ଜଣ ଯୁବକ ଏକ ବାଇକ୍ରେ ଆସିଥିଲେ। ବାର୍ ନିକଟରେ ପହଞ୍ଚି ସେମାନେ ଲାଗ ଲାଗ ଦୁଇଟି ବୋମା ଫିଙ୍ଗିଥିଲେ। ସେଥିରୁ ଗୋଟିଏ ବୋମା ଫାଟି ଯିବାରୁ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ମାତ୍ର ଅନ୍ୟ ବୋମାଟି ଫୁଟି ନ ଥିଲା। ପ୍ରଚଣ୍ଡ ବିସ୍ଫୋରଣ ଲାଗି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଲୋକେ ଭୟରେ ଏଣେତେଣେ ବିକଳରେ ଧାଁ ଧଉଡ଼ କରିଥିଲେ। ଅଫୁଟା ବୋମାଟି ରାସ୍ତା ଉପରେ ପଡ଼ି ରହିଥିବାରୁ ସେହି ବାଟ ଦେଇ ଗାଡ଼ି ଚଳାଚଳ ବନ୍ଦ ହୋଇ ଯାଇଥିଲା। ଖବର ପାଇ ଲକ୍ଷ୍ମୀସାଗର ଥାନା ପୁଲିସ ସେଠାରେ ପହଞ୍ଚି ବୋମାକୁ ଜବତ କରିବା ସହ ନିଷ୍କ୍ରିୟ କରିଥିଲା। ବୋମାମାଡ଼ ପଛରେ କାରଣ କ’ଣ ତାହା ଅସ୍ପଷ୍ଟ ରହିଛି। ବାର୍ ମାଲିକଙ୍କ ସହ କାହାର ଶତ୍ରୁତା ରହିଛି କି? ନିକଟରେ ବ୍ୟବସାୟିକ ପ୍ରତିଷ୍ଠାନ ରହିଥିବାରୁ ଆଉ କାହାକୁ ଟାର୍ଗେଟ କରିଥିଲେ କି ଦୁର୍ବୃତ୍ତ? ଏସବୁ ପ୍ରଶ୍ନ ଅସମାହିତ ହୋଇ ରହିଛି। ପୁଲିସ ସିସିଟିଭି ଫୁଟେଜ୍ ସଂଗ୍ରହ କରି ତଦନ୍ତ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/bomb.jpg)