ଆର୍ତ୍ତତ୍ରାଣ ବାବାଙ୍କ ଆଶ୍ରମରେ ବୋମାମାଡ଼

ଚନ୍ଦ୍ରଶେଖରପୁର: ନୀଳାଦ୍ରିବିହାର ଲୁମ୍ବିନି ପ୍ଲାଜା ନିକଟ ଆର୍ତ୍ତତ୍ରାଣ ବାବାଙ୍କ ଆଶ୍ରମରେ ଗତକାଲି ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି। ଏଥିରେ କେହି ମୃତାହତ ହୋଇନଥିଲେ ହେଁ ଆଶ୍ରମର ଲୁହା ଫାଟକରେ ହୋଇଥିବା ଏହି ବୋମାମାଡ଼ର ପ୍ରଚଣ୍ଡ ଶବ୍ଦରେ ଆଶ୍ରମ ଅନ୍ତେବାସୀ ଓ ଆଖପାଖ ବାସିନ୍ଦା ଭୟଭୀତ ହୋଇଯାଇଥିଲେ। ଏ ସଂପର୍କରେ ଆଶ୍ରମ ପକ୍ଷରୁ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ଘଟଣାସ୍ଥଳରେ ତଦନ୍ତ କରିଛି। କିନ୍ତୁ ଖବର ଲେଖା ହେବା ସୁଦ୍ଧା ଦୁର୍ବୃତ୍ତଙ୍କ ସଂପର୍କରେ ଟେର୍‌ ପାଇପାରିନାହିଁ। ସୂଚନା ଅନୁଯାୟୀ, ସବୁଦିନ ଭଳି କିଛି ଶ୍ରଦ୍ଧାଳୁଙ୍କୁ ହୁକୁମ ଦେଇ ଫାଟକ ବନ୍ଦ କରି ନିଜ ଚାଲି ଯାଇଥିଲେ। ମାତ୍ର କିଛି ସମୟପରେ ତାଙ୍କ ଫାଟକ ନିକଟରେ ସ୍ଥାନୀୟ ମଙ୍ଗଳା ବସ୍ତିର କିଛି ଅସାମାଜିକ ଯୁବକ ଓ ଜଣେ ଜଣାଶୁଣା ଅପରାଧୀ ଠିଆ ହୋଇ ପାଟିତୁଣ୍ଡ କରିଥିଲେ। ଏହି ଘଟଣାର କିଛି ସମୟ ପରେ ସେମାନେ ଦୁଇଟି ବୋମା ମାଡ଼ କରି ଘଟଣାସ୍ଥଳରୁ ପଳାଇଥିଲେ। ବାବାଙ୍କ ସୂଚନା ଅନୁଯାୟୀ, ଉକ୍ତ ଅସାମାଜିକ ଯୁବକମାନେ ‌ହୋଲି ପର୍ବ ପାଇଁ ଆଶ୍ରମର କର୍ମଚାରୀଙ୍କୁ ମୋଟା ଅଙ୍କର ବଟି ମାଗିଥିଲେ। କର୍ମଚାରୀମାନେ ମନା କରିଦେବାରୁ ବୋମା ଲଗାଇ ଆଶ୍ରମ ଉଡ଼ାଇଦେବେ ବୋଲି ସେମାନେ ଧମକ ଦେଇଥିଲେ। ସନ୍ଦିଗ୍ଧ ଅଭିଯୁକ୍ତଜଣଙ୍କ ଜଣେ କୁଖ୍ୟାତ ଅପରାଧୀ। ସେ ବିଭିନ୍ନ ଅଭିଯୋଗରେ ପ୍ରାୟ ୧୦ରୁ ୧୫ଥର ଜେଲ୍ ଯାଇ ନିକଟ ବସ୍ତିରେ ଗୁଣ୍ଡାରାଜ ଚଲାଉଥିବା ଜଣାପଡ଼ିଛି। ଖୁବ୍‌ଶୀଘ୍ର ତାକୁ ଗିରଫ କରାଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର