ବାଳକାଟି ସାଇଫନ ଛକରେ ବୋମାମାଡ଼

ବାଲିଅନ୍ତା: ବାଳକାଟି ଫାଣ୍ଡି ଅଧୀନ ସାଇଫନ ଛକ ନିକଟରେ ଆଜି ରାତି ସାଢ଼େ ୧୦ଟା ବେଳେ ବୋମାମାଡ଼ ହୋଇଛି। ଦୁଇଟି ବୋମା ରାସ୍ତା କଡ଼ ଏକ ଘର କାନ୍ଥରେ ମାଡ଼ ହୋଇ ଫୁଟିଯାଇଥିଲା। ତୃତୀୟ ବୋମାଟି ହାତରୁ ଖସି ଘର ନିକଟରେ ଥିବା କଦମ୍ବ ଗଛ ନିକଟରେ ପଡ଼ିଥିଲା। ପୁଲିସ ଅଫୁଟା ବୋମା ଜବତ କରି ପାଣିରେ ପକାଇ ତାକୁ ନିଷ୍କ୍ରିୟ କରିଛି।
ବାଳକାଟି ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ ହେଁ ଦୁର୍ବୃତ୍ତଙ୍କ ପତ୍ତା ମିଳିନାହିଁ। ଦୁଇଜଣ ଯୁବକ ଏକ ନାଲିରଙ୍ଗର ପଲସରରେ ଆସି ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟବସାୟୀଙ୍କୁ ଟାର୍ଗେଟ କରି ଏଠାରେ ଥିବା ତାଙ୍କ ଅଫିସ ଘର ଉପରକୁ ବୋମା ଫିଙ୍ଗିଥିଲେ। ବୋମା ଫିଙ୍ଗିବା ବେଳେ ଅଫିସ ଭିତରେ ୩/୪ ଜଣ କର୍ମଚାରୀ ଭୋଜି କରୁଥିଲେ। ଦୁଇଟି ଯାକ ବୋମା ସେମାନଙ୍କ ଉପରକୁ ଲକ୍ଷକରି ଫିଙ୍ଗିଥିଲେ ହେଁ ଲକ୍ଷଭ୍ରଷ୍ଟ ହୋଇ କାନ୍ଥରେ ମାଡ଼ ହୋଇଥିଲା। ଏହାପରେ ଭୟରେ ସେମାନେ ଭିତରପଟୁ କବାଟ ବନ୍ଦ କରି ଦେଇଥିଲେ। ଏନେଇ ସଂପୃକ୍ତ ବ୍ୟବସାୟୀ ବାଳକାଟି ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ପୂର୍ବ ବିବାଦକୁ କେନ୍ଦ୍ର କରି ବୋମାମାଡ଼ ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର