ବିଜେପି କାର୍ଯ୍ୟାଳୟରେ ବୋମା ମାଡ଼, ଦୁଇ ଯୁବକ ଅଟକ

ଭୁବନେଶ୍ୱର: ଛଅ ମାସ ତଳେ ଦୁଇ ଜଣ ଯୁବକ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପଶି ରାଜ୍ୟ ସଭାପତିଙ୍କୁ ବନ୍ଧୁକ ଦେଖାଇଥିଲେ। ଏହି ଘଟଣାର ଚର୍ଚ୍ଚା ନ ଥମୁଣୁ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆଉ ଏକ ଅଭାବନୀୟ ଘଟଣା ଘଟିଛି। ଦୁଇ ଜଣ ଯୁବକ ଆଜି ସନ୍ଧ୍ୟାରେ ବିଜେପି କାର୍ଯ୍ୟାଳୟକୁ ବୋମା ମାଡ଼ କରିଛନ୍ତି। ଯଦିଓ ବୋମାମାଡ଼ ଯୋଗୁଁ କୌଣସି କ୍ଷତି ହୋଇ ନାହିଁ, ତେବେ ରାଜଧାନୀରେ ଏହି ଘଟଣା ଆଲୋଡ଼ନ ସୃଷ୍ଟି କରିଛି। କମିସନରେଟ୍‌ ପୁଲିସ ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଚଳାଇଛି। ସିସିଟିଭି ଯାଞ୍ଚ୍‌ କରିବା ସହ ଏଥି ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତ ପିନାକୀ ମହାନ୍ତି ଓ ବିଶ୍ୱଜିତ ମଲ୍ଲିକଙ୍କୁ ଖାରବେଳନଗର ଥାନା ପୁଲିସ ଅଟକ ରଖି ପଚରାଉଚରା କରୁଛି। ପୂର୍ବରୁ ବିଜେପି ସଭାପତିଙ୍କୁ ବନ୍ଧୁକ ଦେଖାଇବା ମାମଲାରେ ଜଣେ ଅଭିଯୁକ୍ତ ଅଟନ୍ତି। ଏକ ଜାତୀୟ ରାଜନୈତିକ ଦଳର କାର୍ଯ୍ୟାଳୟରେ ବାରମ୍ବାର ଏପରି ଘଟଣା ଘଟିବା ସମସ୍ତଙ୍କୁ ଚକିତ କରିଛି।

ସୂଚନା ମୁତାବକ, ଆଜି କେନ୍ଦ୍ରର ବିଜେପି ସରକାରର ୪ବର୍ଷ ପୂର୍ତ୍ତି ଉପଲକ୍ଷେ କଟକଠାରେ ଆୟୋଜିତ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକ୍ରମ ଥିବାରୁ ବିଜେପି କର୍ମୀ ଓ ନେତାମାନେ ସେଠାରେ ଡେରା ପକାଇଥିଲେ। ସେହିପରି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ନେଇ ପୁଲିସ୍‌ ବି ବ୍ୟସ୍ତ ରହିଥିଲା। ଏହି ସୁଯୋଗର ଫାଇଦା ନେଇ ଶନିବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ଉଭୟ ପିନାକୀ ଓ ବିଶ୍ୱଜିତ ବିଜେପି କାର୍ଯ୍ୟାଳୟ ଉପରେ ବୋମାମାଡ଼ କରିଥିଲେ। ଲଗାତାର ଭାବେ କାର୍ଯ୍ୟାଳୟର କାନ୍ଥକୁ ଦୁଇଟି ବୋମା ମାଡ଼ ଯୋଗୁଁ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ଫଳରେ ସେଠାରେ ଥିବା ନିରାପତ୍ତା ରକ୍ଷୀ ଜୀବନ ବିକଳରେ ଚିତ୍କାର କରି ଧାଇଁଥିଲେ। କେବଳ ନିରାପତ୍ତା ରକ୍ଷୀ ନୁହେଁ, ଆଖପାଖରେ ଥିବା ଲୋକମାନେ ଭୟରେ ଦୌଡ଼ାଦୌଡ଼ି ଆରମ୍ଭ କରିଦେଇଥିଲେ। ଖବର ପାଇ ଖାରବେଳନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା। ତେବେ ରାଜ୍ୟ କାର୍ଯ୍ୟାଳୟରେ ଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ ପରେ ପୁଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା। କେଉଁ କାରଣ ଯୋଗୁଁ ଉଭୟ ଏଭଳି କାଣ୍ଡ ଘଟାଇଛନ୍ତି ସେ ନେଇ ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି। ପ୍ରକାଶ ଥାଉ କି, ଗତ ନଭେମ୍ବର ମାସରେ ପିନାକୀ ଓ ତାଙ୍କର ଜଣେ ସହଯୋଗୀ ବିଜେପି କାର୍ଯ୍ୟାଳୟକୁ ପଶି ସଭାପତି ବସନ୍ତ ପଣ୍ଡାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଥିଲେ। ପୁଲିସ୍‌ ଉଭୟଙ୍କୁ ଗିରଫ କରିଥିଲା। ତେବେ ପିନାକୀ ଗଣମାଧ୍ୟମକୁ କହିଥିଲେ ଯେ ଏକ ଓଡ଼ିଆ ଧାରାବାହିକରେ ମା’ ଦୁର୍ଗାଙ୍କୁ ବିକୃତ କରି ଦେଖାଇବା ପରେ ପିନାକୀ ଅସନ୍ତୋଷ ପ୍ରକାଶ କରିଥିଲେ। ଆଉ ଏନେଇ ରାଜ୍ୟ ସଭାପତିଙ୍କୁ ଜଣାଇଥିଲେ। ହେଲେ ସଭାପତିଙ୍କୁ ଜଣାଇବା ପରେ ମଧ୍ୟ ଧାରାବାହିକରେ ମା’ଙ୍କୁ ପୁନଶ୍ଚ ବିକୃତ କରି ପ୍ରସାରଣ କରାଯାଇଥିଲା। ଯାହକୁ ନେଇ ସେ ଉତ୍‌କ୍ଷିପ୍ତ ହୋଇ ସଭାପତିଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଥିଲେ। ପିନାକୀ ଓ ତାଙ୍କର ସହଯୋଗୀ ବିଜେପିର କର୍ମୀ ବୋଲି କୁହାଯାଉଥିଲେ ବି ବିଜେପି ପକ୍ଷରୁ ଏହାକୁ ଅସ୍ୱୀକାର କରାଯାଇଥିଲା।

ସମ୍ବନ୍ଧିତ ଖବର