ବୋମାମାଡ଼ରେ ଥରୁଛି ରାଜଧାନୀ

ସାଧାରଣଲୋକେ ଆତଙ୍କିତ, ୬ ମାସରେ ୭ ବୋମାମାଡ଼

ଭୁବନେଶ୍ୱର: ରାଜଧାନୀରେ ଘନଘନ ବୋମାମାଡ଼ କମିସନ୍‌ରେଟ୍‌ ପୁଲିସର ନିଦ ହଜାଇ ଦେଇଛି। କଥା କଥାକେ ବୋମାମାଡ଼ ହେଉଛି। କେତେବେଳେ ଲୋକଙ୍କ ଉପରକୁ ତ କେତେବେଳେ ରେସ୍ତୋରାଁ, ପୁଣି କେତେବେଳେ ରାଜନୈତିକ ଦଳ କାର୍ଯ୍ୟାଳୟ ଉପରେ। ଗତ ୬ ମାସ ମଧ୍ୟରେ ରାଜଧାନୀ ଛାତି ଉପରେ ଏଭଳି ୭ଟି ଘଟଣା ଘଟି ସାରିଲାଣି। ଅପରପକ୍ଷେ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଅପରାଧୀମାନେ ଏଭଳି ଉପଦ୍ରବ କରୁଥିବାରୁ ରାଜଧାନୀବାସୀ ଆତଙ୍କିତ ହୋଇପଡ଼ିଲେଣି। ଯଦିଓ ବୋମାମାଡ଼ ଯୋଗୁଁ ଏପର୍ଯ୍ୟନ୍ତ କୌଣିସ ବ୍ୟକ୍ତିଙ୍କ ମୃତ୍ୟୁ ହୋଇନାହିଁ, କିନ୍ତୁ କେତେବେଳେ କାହାର ଜୀବନ ଚାଲିଯିବ, ତାହା କେହି କହିପାରିବେ ନାହିଁ। ତେବେ ରାଜଧାନୀରେ ବାରମ୍ବାର ଘଟୁଥିବା ଏଭଳି କାଣ୍ଡ ପାଇଁ କିଛି ବୁଦ୍ଧିଜୀବୀ ପୁଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି। ପୁଲିସର କୋହଳ ମନୋଭାବ ଓ ଢିଲା କାର୍ଯ୍ୟାନୁଷ୍ଠାନକୁ ସେମାନେ ଦାୟୀ କରିଛନ୍ତି। ୭ଥର ବୋମାମାଡ଼ ଘଟଣା ମଧ୍ୟରୁ କେବଳ ସୋମବାର ୩ଟି ଜାଗାରେ ବୋମାମାଡ଼ ହୋଇଥିଲା। ଗତକାଲି ସନ୍ଧ୍ୟାରେ ତମାଣ୍ଡୋ ଥାନା କେ-୬ ଅଞ୍ଚଳରେ ୨ଟି, ରାତି ପ୍ରାୟ ସାଢ଼େ ୧୦ଟାରେ ବାପୁଜୀନଗରସ୍ଥିତ ଏକ ରେସ୍ତୋରାଁ ଉପରକୁ ୨ଟି ଓ ବିଳମ୍ବିତ ରାତି ପ୍ରାୟ ୨ଟାରେ ନାରଗୋଦା ଗାଁର ଜଣେ ବ୍ୟକ୍ତିଙ୍କ ଘର ଉପରକୁ ୩ଟି ବୋମା ମାଡ଼। ହୋଇଥିଲା। ୭ଘଣ୍ଟା ବ୍ୟବଧାନରେ ୩ଟି ବୋମାମାଡ଼ ଘଟଣା ସାରା ରାଜଧାନୀରେ ଆତଙ୍କ ଖେଳାଇ ଦେଇଥିଲା।

ମେ ୨୬ ତାରିଖ: ସନ୍ଧ୍ୟାରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବୋମା ମାଡ଼। ଦୁର୍ବୃତ୍ତମାନେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ୨ଟି ବୋମାମାଡ଼ କରିଥିଲେ। ଏଥିରୁ ସେଠାରେ ଥିବା ସିକ୍ୟୁରିଟିଗାର୍ଡ ଜଣଙ୍କ ଅଳ୍ପକେ ରକ୍ଷା ପାଇଯାଇଥିଲେ। ମେ ୧୮ ତାରିଖ: ବିଳମ୍ବିତ ରାତିରେ କଟକରୋଡ୍‌ ହୋଟେଲ୍‌ ପେଣ୍ଟାଗନ୍‌ ସମ୍ମୁଖରେ ଥିବା ଏକ କାର୍‌ ଉପରକୁ ଦୁର୍ବୃତ୍ତମାନେ ଲଗାତାର ଭାବେ ୩ଟି ବୋମାମାଡ଼ କରିଥିଲେ। ଯଦିଓ କାର କେତେକ ଅଂଶ ଭାଙ୍ଗି ଯାଇଥିଲା। ହେଲେ କାର ଭିତରେ ଥିବା ପଦିଆ ସାହୁ ନାମକ ବ୍ୟକ୍ତି ଅଳ୍ପକେ ବର୍ତ୍ତି ଯାଇଥିଲେ।

ମାର୍ଚ୍ଚ ୪ ତାରିଖ: ଏହି ଦିନ ସକାଳେ ଲକ୍ଷ୍ମୀସାଗର ଥାନା ଅଧୀନ ବମିଖାଲ ଅଞ୍ଚଳରେ ହଠାତ୍‌ ପ୍ରଚଣ୍ଡ ବିସ୍ଫୋରଣ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ପ୍ଲଟ୍‌ ନଂ-୧୨୦୨ରେ ଥିବା ୩ମହଲା ବିଶିଷ୍ଟ କୋଠାର ପ୍ରଥମ ମହଲାରେ ବିସ୍ଫୋରଣ ଯୋଗୁଁ ଘରଟି ସମ୍ପୂର୍ଣ୍ଣ ଜଳିଯାଇଥିଲା। ସୌଭାଗ୍ୟବସତଃ ଉପର ମହଲା ଓ ତଳ ମହଲାରେ ଥିବା ୨ଟି ପରିବାରର ଲୋକମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ।

ଡିସେମ୍ବର ୧୩: ସନ୍ଧ୍ୟା ସାଢ଼େ ୭ଟା ସମୟରେ ଲକ୍ଷ୍ମୀସାଗର ଅଞ୍ଚଳର ସଞ୍ଜୀବ ହରିଚନ୍ଦନ ଓ ତାଙ୍କ ପରିବାରଲୋକ ଘର ଉପର ମହଲାରେ ଥିବା ସମୟରେ ଅଚାନକ ଘର ଉପରକୁ ବୋମାମାଡ଼ କରାଯାଇଥିଲା। ଦୁର୍ବୃତ୍ତମାନେ ଗୋଟିଏ କି ଦୁଇଟି ନୁହେଁ ଲଗାତାର ୪ଟି ବୋମା ମାଡ଼ କରିଥିଲେ। ଉପର ମହଲା ଝରକା, ବାଲ୍‌କୋନି ଓ ୨ଟି କାରକୁ ୪ଟି ବୋମା ମାଡ଼ କରିଥିଲେ। ବୋମା ମାଡ଼ ଫଳରେ ସଞ୍ଜୀବଙ୍କ ସ୍କର୍ପିଓ ଏବଂ ଅଲ୍ଟୋ କାର କାଚ ଭାଙ୍ଗି ଯାଇଥିଲା। ସେହିପରି ଉପର ମହଲାରେ ଥିବା ଝରକା ଭାଙ୍ଗି କାଚ ଘର ଭିତରେ ବିଛାଡ଼ି ହୋଇ ପଡ଼ିଥିଲା। ସୌଭାଗ୍ୟବସତଃ ସେଠାରେ ବସିିଥିବା ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିଲେ।

ବୋମାର ଗନ୍ତାଘର ପିପିଲି
ପିପିଲି ପାଲଟିଛି ବୋମର ଗନ୍ତାଘର। ଯଦିଓ ଜଟଣୀ, ତମାଣ୍ଡୋ, ତରାଭୋଇ ଭଳି ଅଞ୍ଚଳରୁ ଅପରାଧୀମାନେ ବୋମା କିଣୁଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ଯେଉଁ ସବୁ ବୋମା ଜବତ ହୋଇଛି ଅଧିକାଂଶ ପିପିଲି ଅଞ୍ଚଳର ବୋଲି ଅପରାଧୀମାନେ ସ୍ୱୀକାର କରିଛନ୍ତି। କାରଣ ପିପିଲିରୁ ମିଳୁଥିବା ବୋମାଗୁଡ଼ିକ କମ୍‌ ଦର ଏବଂ ଅଧିକ ପ୍ରଭାବ ଥିବାରୁ ଅପରାଧୀମାନେ ସେଠାରୁ କିଣୁଥିବା ଜଣାପଡ଼ିଛି। ଏଭଳି ବୋମା ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ବୋମା ମାଡ଼ରେ ଯେ କେବଳ ମାଲିକ ମାନେ ପ୍ରଭାବିତ ହେଉଛନ୍ତି ତାହା ନୁହେଁ। ଗ୍ରାହକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି।

ସନ୍ଧ୍ୟାରେ କଳିଙ୍ଗବିହାର, ରାତିରେ ନାରଗୋଦା
ଖଣ୍ଡଗିରି: ସୋମବାର ରାତିରେ ତମାଣ୍ଡୋ ଅଞ୍ଚଳରେ ଘନଘନ ବୋମାମାଡ଼ ହୋଇଛି। ସନ୍ଧ୍ୟାରେ କଳିଙ୍ଗବିହାରରେ ଦୁର୍ବୃତ୍ତମାନେ ୨ଟି ବୋମାମାଡ଼ କରିଥିବାବେଳେ ବିଳମ୍ବିତ ରାତିରେ ନାରଗୋଦା (ସିଜିପୁଟ) ଗାଁର ସୁଦର୍ଶନ ହରିଚନ୍ଦନଙ୍କ ଘରକୁ ଲକ୍ଷ୍ୟ କରି ୩ଟି ବୋମାମାଡ଼ କରିଛନ୍ତି। ଦୁର୍ବୃତ୍ତମାନେ ମଧ୍ୟ ଫାଙ୍କା ଗୁଳିଚାଳନା କରିଥିବା ଅଭିଯୋଗ ହୋଇଛି। ତେବେ ଏହି ଗୁଳିଚାଳନା ଓ ବୋମାମାଡ଼ରେ କହାର କିଛି କ୍ଷତି ଘଟିନାହିଁ। ଗୋଟିଏ ଗ୍ୟାଙ୍ଗ୍‌ର ଦୁର୍ବୃତ୍ତମାନେ ସୁଦର୍ଶନଙ୍କ ପରିବାରକୁ ଭୟଭୀତ କରାଇବାକୁ ଏଭଳି କାଣ୍ଡ କରିଥିବା ଆଶଙ୍କା କରାଯାଉଛି। କମିସନରେଟ୍‌ ପୁଲିସର ଏକ ସ୍ୱତନ୍ତ୍ର ଟିମ୍‌ ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ନାରଗୋଦା ଗାଁର ସୁଦର୍ଶନ ହରିଚନ୍ଦନ ଓ ତାଙ୍କ ପୁଅ ଶକ୍ତିକାନ୍ତଙ୍କ ଅଭିଯୋଗ ଅନୁସାରେ ତାଙ୍କ ଭାଇ ଗିରିଜା ଗତକାଲି ରାତି ପ୍ରାୟ ୯ଟା ସମୟରେ କଳିଙ୍ଗବିହାର କେ-୬ସ୍ଥିତ ଲକ୍ଷ୍ମୀପୂଜା ମଣ୍ଡପ ନିକଟସ୍ଥ ଏଲ୍‌ଆଇଜି-୯୩ରେ ଏକ ସପ୍ଲାଏ ଅଫିସ୍‌ରେ ବସିଥିଲେ। ଏହି ସମୟରେ ପ୍ରଥମେ ୨ ଜଣ ଯୁବକ ମୁହଁରେ ରୁମାଲ୍‌ ବାନ୍ଧି ଏକ ପଲସର୍‌ରେ ସେଠାରେ ପହଞ୍ଚି ୨ଟି ବୋମାମାଡ଼ କରିଥିଲେ। ଏହି ଦୁଇ ଦୁର୍ବୃତ୍ତ ଫାଙ୍କା ଗୁଳିଚାଳନା ମଧ୍ୟ କରିଥିଲେ ବୋଲି ଶକ୍ତିକାନ୍ତ ଏତଲାରେ ଦର୍ଶାଇଛନ୍ତି। ଭୟରେ ଦୌଡ଼ି ପଳାଇବାବେଳେ ଗିରିଜା ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ସେହିଭଳି ସୁଦର୍ଶନଙ୍କ ଅଭିଯୋଗ ଅନୁସାରେ ସୋମବାର ରାତି ପ୍ରାୟ ୨ଟାବେଳେ ତାଙ୍କ ନାରଗୋଦା ଗଁର ଘର ଉପରକୁ ଦୁର୍ବୃତ୍ତମାନେ ୩ଟି ବୋମା ଫିଙ୍ଗିଥିିଲେ। ବୋମାମାଡ଼ରେ ତାଙ୍କ ଘରର କାନ୍ଥ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି।

୩୨ ବୋମା ଜବତ, ୧୨ ଅଭିଯୁକ୍ତ ଗିରଫ, ଏବେ ବି ୩ ଘଟଣାର ଅଭିଯୁକ୍ତ ଫେରାର
ଗତ ଡିସେମ୍ବରରୁ ଆଜି ପର୍ଯ୍ୟନ୍ତ ୬ମାସ ମଧ୍ୟରେ ରାଜଧାନୀରେ ଘଟିଥିବା ୭ଟି ବୋମାମାଡ଼ ଘଟଣାରୁ କମିସନରେଟ୍‌ ପୁଲିସ ୪ଟି ଘଟଣାରେ ୧୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୁଲିସ ସେମାନଙ୍କଠାରୁ ୩୨ଟି ବୋମା ସହ ବହୁ ମାରଣାସ୍ତ୍ର ଜବତ କରିଛି। ହେଲେ ଏବେ ବି ୩ଟି ଘଟଣାର ଅଭିଯୁକ୍ତମାନେ ଫେରାର ଅଛନ୍ତି। କମିସନରେଟ ପୁଲିସ ଲକ୍ଷ୍ମୀସାଗର ସଞ୍ଜୀବ ହରିଚନ୍ଦଙ୍କ ଘରକୁ ବୋମାମାଡ଼ ଘଟଣାରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ବମିଖାଲ ପ୍ଲଟ୍‌ ନଂ-୧୨୦୨ରେ ବିସ୍ଫୋରଣ ଘଟଣାରେ ୩ଜଣ। ସେହିପରି କଟକରେଡ୍‌ ହୋଟେଲ୍‌ ପେଣ୍ଟାଗନ୍‌ ସମ୍ମୁଖରେ କାର ଉପରକୁ ବୋମାମାଡ଼ ଘଟଣାରେ ୨ଜଣ ଓ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ବୋମାମାଡ଼ ଘଟଣାରେ ୨ଜଣଙ୍କୁ ଗିରଫ କରିଛି।

ଦାଦାବଟି ପାଇଁ ହେଉଛି ବୋମାମାଡ଼, ଟାର୍ଗେଟ୍‌ରେ ମଲ୍‌ ଓ ଗହଣା ଦୋକାନ
ବୋମାମାଡ଼ର ମୁଖ୍ୟ କାରଣ ପାଲଟିଛି ଦାଦାବଟି। ଜଣେ ବରିଷ୍ଠ ପୁଲିିସ ଅଧିକାରୀଙ୍କ କହିବା ଅନୁଯାୟୀ, କମ ସମୟରେ ଅଧିକ ଅର୍ଥ ରୋଜଗାର କରିବା ଲୋଭ ଏବେ ଅପରାଧୀଙ୍କ ମନରେ ବସା ବାନ୍ଧିଛି। ତାହାପୁଣି ବିନା ପରିଶ୍ରମରେ ମୋଟା ରକମର ଟଙ୍କା ରୋଜଗାର କରୁଛନ୍ତି। ସେମାନଙ୍କ ଟାର୍ଗେଟ୍‌ରେ ରହିଛି ବଡ଼ ବଡ଼ ବିଲ୍‌ଡର ସଂସ୍ଥା, ଗହଣା ଦୋକାନ, ରେସ୍ତୋରାଁ, ବାର, ମଲ, କାର ସୋରୁମ୍‌ ଭଳି ସ୍ଥାନ। ଅପରାଧୀମାନେ ଗ୍ରୁପ ବନାଇ ସଂସ୍ଥାର ମାଲିକଙ୍କୁ ଦାଦାବଟି ମାଗୁଛନ୍ତି। ଯେଉଁମାନେ ସେମାନଙ୍କ କଥାରେ ରାଜି ହେଉ ନାହାନ୍ତି ସୋନଙ୍କୁ ବିଭିନ୍ନ ଉପାୟରେ ଧମକାଇବା ଏମିତିକି ବୋମାମାଡ଼ କରି ସୋନଙ୍କ ଟାର୍ଗେଟ ହାସଲ କରୁଛନ୍ତି। ଏହାଛଡ଼ା ପୂର୍ବ ଶତ୍ରୁତା ଓ ରାଜନୈତିକ କାରଣ ଯୋଗୁଁ କେତେକ ସ୍ଥାନରେ ଏଭଳି ଘଟଣା ଘଟୁଥିବା ନଜିର ରହିଛି ବୋଲି ପୁଲିସ ଅଧିକାରୀ ଜଣଙ୍କ କହିଛନ୍ତି।

ସମ୍ବନ୍ଧିତ ଖବର