ଭୁବନେଶ୍ବର : ଗୁରୁବାର ରାତି ପ୍ରାୟ ୮ଟା ବେଳେ ମଞ୍ଚେଶ୍ବର ଥାନା ରସୁଲଗଡ଼ସ୍ଥିତ ହୋଟେଲ ଉର୍ମୀ ଉପରକୁ ଦୁର୍ବୃତ୍ତମାନେ ବୋମାମାଡ଼ କରିଛନ୍ତି। ରସୁଲଗଡ଼ ଫ୍ଲାଏଓଭର ବ୍ରିଜ୍ ଉପରୁ ଦୁର୍ବୃତ୍ତମାନେ ଦୁଇଟି ବୋମାମାଡ଼ କରି ଫେରାର୍ ହୋଇଯାଇଛନ୍ତି। ଗୋଟିଏ ବୋମା ଫୁଟିଥିବା ବେଳେ ଅନ୍ୟଟି ଫୁଟିନଥିବା ଜଣାପଡ଼ିଛି ଏବଂ ପୁଲିସ ଅଫୁଟା ବୋମାକୁ ଜବତ କରିଛି। ବୋମାମାଡ଼ରେ ହୋଟେଲର ଏକ କାଚ ଝରକା ଛିନ୍ନଛତ୍ର ହୋଇଯାଇଛି। କିନ୍ତୁ କେହି ମୃତାହତ ହୋଇନାହାନ୍ତି। ପୁଲିସ ଦୁଇ ଦୁର୍ବୃତ୍ତଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ ଆରମ୍ଭ କରିଛି। ତେବେ ବଡ଼ କଥା ହେଉଛି, ଥାନାଠରୁ ମାତ୍ର ଦେଢ଼ ଶହ ମିଟର ଦୂରରେ ସନ୍ଧ୍ୟା ବେଳେ ଜନଗହଳିପୂର୍ଣ୍ଣ ସ୍ଥାନରେ ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଘଟାଇ ଫେରାର୍ ହୋଇଯିବାରେ ସଫଳ ହୋଇଥିବାରୁ ରାଜଧାନୀରେ କମିସନରେଟ୍ ପୁଲିସର ସୁରକ୍ଷା ବ୍ୟବସ୍ଥାକୁ ନେଇ ବିଭିନ୍ନ ମହଲରୁ ପ୍ରଶ୍ନ କରାଯାଇଛି। ରାଜଧାନୀରେ ଅପରାଧୀମାନେ କେତେ ବେଲଗାମ୍ ହୋଇପଡ଼ିଛନ୍ତି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଘଟଣାଟି ଥିଲା ଏମିତି। କିଏ ଉକ୍ତ ହୋଟେଲ୍ ବାଲ୍କୋନିରେ ବସି ଚା’ ପିଉଥିଲେ ତ କିଏ ରେସ୍ତୋରାଁରେ ଖାଉଥିଲେ। ହଠାତ୍ ଏକ ପ୍ରଚଣ୍ଡ ଶବ୍ଦରେ ହୋଟେଲ କମ୍ପିଉଠିଲା। ସମ୍ମୁଖ କାଚ ଭାଙ୍ଗିଯିବାରୁ ଭଙ୍ଗା କାଚ ଖଣ୍ଡ ଏଣେତେଣେ ବିଛାଡ଼ି ହୋଇପଡ଼ିଲା। ସେହି ସମୟରେ ବାଲ୍କୋନିରେ ବସି ଗ୍ରାହକ ଜଣକ ଚା’ ପିଉଥିଲେ। ସୌଭାଗ୍ୟକୁ ତାଙ୍କର କିଛି କ୍ଷତି ହୋଇନଥିଲା। ତେବେ କିଛି ସମୟ ପାଇଁ ସେ ପ୍ରକାଣ୍ଡ ଶବ୍ଦରେ ସ୍ତବ୍ଦ ହୋଇଯାଇଥିଲେ। ଯେତେବେଳେ ଅନ୍ୟ ରୁମ୍ରେ ଓ ତଳେ ରେସ୍ତୋରାଁରେ ଲୋକମାନେ ଧାଁ ଧଉଡ଼ କଲେ ଏବଂ ବୋମା ବୋମା ବୋଲି ପାଟି କଲେ, ସେ ବୁଝିପାରିଲେ ଏବଂ ଜୀବନ ବିକଳରେ ଦୌଡ଼ିଥିଲେ। ରେସ୍ତୋରାଁ ନିକଟରେ ପଡ଼ିଥିବା ବୋମାଟି ଫୁଟିନଥିଲା। କିନ୍ତୁ ତାକୁ ଦେଖି ଲୋକେ ଭୟରେ ଦୂରକୁ ଧାଇଁବାକୁ ଲାଗିଥିଲେ। ରେସ୍ତୋରାଁ କବାଟ ବନ୍ଦ ହୋଇଯାଇଥିଲା ଏବଂ କର୍ମଚାରୀମାନେ ଭିତରେ ରହି ପ୍ରମାଦ ଗଣିଥିଲେ। ଏଣେ ବୋମା ଖବର ସେଠାରେ ଆତଙ୍କ ଖେଳାଇବାରୁ ରାସ୍ତାରେ ଚଳପ୍ରଚଳ ବନ୍ଦ ହୋଇଯାଇଥିଲା। ଗାଡ଼ିମଟର ଅଟକି ଯିବାରୁ ରାସ୍ତା ଜାମ୍ ହୋଇଯାଇଥିଲା। ଖବର ପାଇ ମଞ୍ଚେଶ୍ବର ଥାନା ପୁଲିସ ସେଠାରେ ପହଞ୍ଚିବା ପରେ ଲୋକଙ୍କ ଭିତରୁ ଭୟ ଦୂର ହୋଇଥିଲା। ପୁଲିସ ଅଫୁଟା ବୋମାକୁ ଜବତ କରିବା ସହ ଲୋକଙ୍କୁ ଘଟଣା ବିଷୟରେ ପଚରାଉଚରା କରିଥିଲା।
କିଛି ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ମୁତାବକ ଏକ ବାଇକ୍ରେ ଥିବା ଦୁଇ ଦୁର୍ବୃତ୍ତ ହୋଟେଲ ସମ୍ମୁଖ ଫ୍ଲାଏଓଭର ବ୍ରିଜ୍ ଉପରେ ଅଟକିଥିଲେ। ସେତେବେଳେ ଉର୍ମୀ ହୋଟେଲ୍ ତଳେ ଥିବା ରେସ୍ତୋରାଁରେ ଗ୍ରାହକଙ୍କ ଭିଡ଼ ଜମିଥିଲା। କିନ୍ତୁ ଜଣେ ଦୁର୍ବୃତ୍ତ ଅଚାନକ ହୋଟେଲ୍ ଉପରକୁ ବୋମାମାଡ଼ କରିଥିଲା। ଲଗାତାର ଦୁଇଟି ବୋମାମାଡ଼ ହୋଇଥିଲା। ଗୋଟିଏ ବୋମା ବିସ୍ଫୋରଣ ହୋଇଥିଲା ଏବଂ ହୋଟେଲ୍ ଝରକାର କାଚ ଭାଙ୍ଗି ଯାଇଥିଲା। ଅନ୍ୟ ବୋମାଟି ତଳେ ପଡ଼ିଥିଲେ ବି ଫୁଟିନଥିଲା। ସେଇଟି ଫୁଟିଥିଲେ ରେସ୍ତୋରାଁର ଗ୍ରାହକମାନେ କ୍ଷତିଗ୍ରସ୍ତ ହେବା ନିଶ୍ଚିତ ଥିଲା। ସୌଭାଗ୍ୟକୁ ବାଲ୍କୋନିରେ ବସିଥିବା ଗ୍ରାହକ ଓ ରେସ୍ତୋରାଁର ଗ୍ରାହକମାନେ ବର୍ତ୍ତି ଯାଇଥିଲେ। ସେହିଭଳି ଅନ୍ୟ ଜଣେ ଦେଖଣାହାରୀଙ୍କ କହିବା କଥା ବୋମା ଯଦି ନିକଟସ୍ଥ ପେଟ୍ରୋଲ ପମ୍ପରେ ପଡ଼ି ବିସ୍ଫୋରଣ ହୋଇଥାଆନ୍ତା, ତେବେ ବଡ଼ଧରଣର କ୍ଷୟକ୍ଷତି ହୋଇଥାଆନ୍ତା। ଦୁର୍ବୃତ୍ତମାନେ ବୋମାମାଡ଼ କରିବା ପରେ ବାଇକ୍ ନେଇ ରଙ୍ଗ ସାଇଡ୍ରେ ପୁଣି ପଳାସୁଣୀ ଦିଗରେ ପଳାଇଥିଲେ। ହୋଟେଲ୍ର ସିକ୍ୟୁରିଟି ଗାର୍ଡମାନେ ମଧ୍ୟ ପୁଲିସକୁ ସମାନ କଥା କହିଥିଲେ। ଦୁର୍ବୃତ୍ତଦ୍ବୟ ମୁଖା ପିନ୍ଧିଥିଲେ ବୋଲି ହୋଟେଲ ସୁରକ୍ଷାକର୍ମୀ ସୂଚନା ଦେଇଛନ୍ତି। ତେବେ ଦୁର୍ବୃତ୍ତମାନେ କିଏ, କାହିଁକି ବୋମାମାଡ଼ କଲେ, ସେନେଇ କିଛି ତଥ୍ୟ ବା ସୂଚନା ପୁଲିସକୁ ମିଳିପାରିନାହିଁ। ତେବେ ହୋଟେଲକୁ ବଦନାମ୍ କରିବାକୁ କେହି ଦୁର୍ବୃତ୍ତ ଏଭଳି କାଣ୍ଡ କରିଥିବା ସନ୍ଦେହ କରାଯାଉଛି। ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିବା ପାଇଁ ପୁଲିସ ସ୍ଥାନୀୟ ଅଞ୍ଚଳର ସବୁ ସିସିଟିଭିକୁ ଯାଞ୍ଚ କରୁଛି। ସେହିଭଳି ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ସୂଚନାଯୋଗ୍ୟ ଯେ ୬/୭ବର୍ଷ ତଳେ ମଧ୍ୟ ଏହି ହୋଟେଲ୍ ଉପରକୁ ବୋମାମାଡ଼ ହୋଇଥିଲା।
ମାସକରେ ତିନି ତିନି ଥର ବୋମାମାଡ଼
ଆଜିର ବୋମାମାଡ଼କୁ ମିଶାଇଲେ, ଗତ ମାସକ ମଧ୍ୟରେ ରାଜଧାନୀରେ ତିନି ତିନି ଥର ବୋମାମାଡ଼ ହେଲାଣି। କମିସନରେଟ୍ ପୁଲିସକୁ ଚ୍ୟାଲେଞ୍ଜ୍ କରି ଅପରାଧୀମାନେ ଖୋଦ୍ ରାଜଧାନୀରେ ବୋମାମାଡ଼ କରୁଛନ୍ତି। ମାର୍ଚ୍ଚ ୧୭ ତାରିଖ ରାତିରେ ଖାରବେଳନଗରସ୍ଥିତ ୟୁନିଟ୍-୪ସ୍ଥିତ ଶ୍ରୀଜୁଏଲାରି ଉପରକୁ ବୋମାମାଡ଼ ହୋଇଥିଲା। ଜୁଏଲାରି ମାଲିକ ରମାକାନ୍ତ ମହାରଣା ସୋ’ ରୁମ୍ ବନ୍ଦ କରୁଥିବା ସମୟରେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ବୋମାମାଡ଼ କରିଥିଲେ। ଫଳରେ ରମାକାନ୍ତଙ୍କ ଦୁଇ ଗୋଡ଼ରେ କ୍ଷତ ସୃଷ୍ଟି ହୋଇଥିଲା। ସେହିପରି ମାର୍ଚ୍ଚ ୧୮ତାରିଖ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଲକ୍ଷ୍ମୀସାଗର ଥାନା ଷ୍ଟେସନ୍ବଜାର ନିକଟ ପ୍ରଧାନସାହି ବସ୍ତିରେ ବୋମାମାଡ଼ କରିଥିଲେ। ବସ୍ତିର ଏସ୍. ଚେଲାପତିଙ୍କ ଘର ସମ୍ମୁଖରେ ବୋମାମାଡ଼ ହୋଇଥିଲା।