ଟଙ୍କା ଦେବାକୁ ଡାକି ବୋମାମାଡ଼, ଧାନ ବ୍ୟବସାୟୀ ଗୁରୁତର

ସେବା ସମବାୟ ସମିତି କର୍ମଚାରୀ ଅଟକ, ଖୋଲିବ କି ମଣ୍ଡିର ଭିତିରି କଥା!

ବାଲିଅନ୍ତା : ମଙ୍ଗଳବାର ରାତିରେ ସ୍ଥାନୀୟ ପ୍ରତାପରୁଦ୍ରପୁରରେ ବୋମା ମାଡ଼ କରି ଜଣେ ଧାନ ବ୍ୟବସାୟୀଙ୍କୁ ହତ୍ୟା ଉଦ୍ୟମ କରାଯାଇଛି। ବୋମା ମାଡ଼ରେ ଗୁରୁତର ହୋଇଥିବା ବ୍ୟକ୍ତି ହେଲେ ସ୍ଥାନୀୟ କୁଳସାହି ଗାଁର ସଦାଶିବ ମିଶ୍ର(୭୦)। ସେ ଏବେ ଭୁବନେଶ୍ବର ଏମ୍‌ସରେ ଚିକିତ୍ସାଧୀନ ଅଛନ୍ତି ଓ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ନିଜ ଆଡ଼ୁ ମାମଲାର ଛାନ୍‌ଭିନ୍ କରି ବାଲିଅନ୍ତା ଥାନା ପୁଲିସ ଏହି ମାମଲାରେ ପ୍ରତାପରୁଦ୍ରପୁର ସେବା ସମବାୟ ସମିତିର ଡାଟା ଏଣ୍ଟ୍ରି ଅପରେଟର ଲକ୍ଷ୍ମୀଧର ନନ୍ଦ(୨୮)ଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ଏହି ମାମଲାରେ ଲକ୍ଷ୍ମୀଧରଙ୍କ ସମ୍ପୃକ୍ତି ‌ଥିବାରୁ ମଣ୍ଡିରେ ଚାଲିଥିବା ଅସାଧୁ କାରବାର ପଦାକୁ ଆସିଛି ବୋଲି ଆଲୋଚନା ହେଉଛି। ତେବେ ସଦାଶିବ ସୁସ୍ଥ ହେବା ପରେ ପୁଲିସ ତାଙ୍କ ବୟାନ୍ ରେକର୍ଡ କରିବ ଓ ଏହା ପରେ ମଣ୍ଡିରେ ଚାଲିଥିବା କେଳେଙ୍କାରୀର ପର୍ଦ୍ଦାଫାସ ହେବ ବୋଲି କୁହାଯାଉଛି।

ସଦାଶିବ ସ୍ଥାନୀୟ ଅଞ୍ଚଳର ଜଣେ ଜଣାଶୁଣା ଧାନ ବ୍ୟବସାୟୀ। ସେ ପ୍ରତାପରୁଦ୍ରପୁର ସେବା ସମବାୟ ସମିତି ମଣ୍ଡିରେ ଧାନ ବିକିଥିଲେ। ଧାନ ବିକ୍ରି ବାବଦ ଟଙ୍କା ପାଇବାକୁ ନେଇ ଗତ କିଛି ଦିନ ପୂର୍ବେ ସଦାଶିବ ଓ ଲକ୍ଷ୍ମୀଧରଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଗତକାଲି ରାତି ପ୍ରାୟ ୧୦ଟା ସମୟରେ କୁଳସାହି-ପ୍ରତ‌ାପରୁଦ୍ରପୁର ନିଛାଟିଆ ରାସ୍ତାରେ ସଦାଶିବଙ୍କ ଉପରେ ବୋମାମାଡ଼ ହୋଇଥିଲା। ସ୍ଥାନୀୟ ଲୋକଙ୍କ ସୂଚନାନୁସାରେ ୩ ଜଣ ଦୁର୍ବୃତ୍ତ ବୋମା‌ ଫିଙ୍ଗି ପଳାଇଥିଲେ। ସଦାଶିବ ରକ୍ତ ଜୁଡ଼ୁବୁଡ଼ୁ ଓ ସଂଜ୍ଞାହୀନ ଅବସ୍ଥାରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ପରେ ତାଙ୍କୁ ଭୁବନେଶ୍ବର ଏମ୍‌ସ ସ୍ଥାନାନ୍ତର କରାଯାଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଫୁଟି ଯାଇଥିବା ବୋମାର ଟୁକୁଡ଼ା ଅଂଶ ସଂଗ୍ରହ କରିବା ସହ ସଦାଶିବଙ୍କ ମୋବାଇଲ୍‌ କଲ୍‌ ରେକର୍ଡ ଯାଞ୍ଚ କରିଥିଲା। ବୋମା ମାଡ଼ର କିଛି ସମୟ ପୂର୍ବରୁ ଲକ୍ଷ୍ମୀଧର ତାଙ୍କୁ ଫୋନ୍‌ କରିଥିବା ଜଣାପଡ଼ିଥିଲା।

ଏଣେ ଆଜି ପୁଲିସ ଏମ୍‌ସରେ ସଦାଶିବକଙ୍କୁ ଭେଟିଥିଲା। ଧାନ ବିକ୍ରି ବାବଦ ଟଙ୍କା ଦେବାକୁ ଲକ୍ଷ୍ମୀଧର ଫୋନ୍‌ କରି ତାଙ୍କୁ ଡାକିଥିଲେ ବୋଲି ସେ ପୁଲିସକୁ କହିଥିଲେ। ତେଣୁ ପୁଲିସ ଲକ୍ଷ୍ମୀଧରଙ୍କୁ ଥାନାକୁ ନେଇ ଅଟକ ରଖିଛି। ନିୟମାନୁସାରେ ମଣ୍ଡିରେ ହୋଇଥିବା ଧାନ ବିକ୍ରି ଟଙ୍କା ସିଧାସଳଖ ଚାଷୀ ଆକାଉଣ୍ଟକୁ ଆସେ। ତେଣୁ ସଦାଶିବଙ୍କ ଆକାଉଣ୍ଟକୁ ଟଙ୍କା ଆସିବା କଥା। ଏ କ୍ଷେତ୍ରରେ ଡାଟା ଏଣ୍ଟ୍ରି ଅପରେଟର ଲକ୍ଷ୍ମୀଧରଙ୍କ ସହ ସଦାଶିବଙ୍କ ଝଗଡ଼ା ହେବାର କାରଣ କ’ଣ? ସଦାଶିବ ଜଣେ ଧାନ ବ୍ୟବସାୟୀ। ତେଣୁ ଲକ୍ଷ୍ମୀଧର ଓ ସେ ମିଶି ଗଳାବାଟ ଦେଇ ଚାଷୀଙ୍କ ନାଁରେ ଧାନ ବିକୁଥିଲେ ବୋଲି ସନ୍ଦେହ କରାଯାଉଛି। ଏହି ଅସାଧୁ କାରବାରରେ ଟଙ୍କା ଦେଣନେଣକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେବା ଯୋଗୁଁ ବୋମାମାଡ଼ ପର୍ଯ୍ୟନ୍ତ କଥା ଯାଇଛି ବୋଲି ପୁଲିସ ଅନୁମାନ କରୁଛି। ତେବେ ଯୋଗାଣ ବିଭାଗ ପକ୍ଷରୁ ମଣ୍ଡିରେ ଖୋଳତାଡ଼ ହେଲେ ସବୁ ଗୁମର ପଦାକୁ ଆସିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର