ତାଜାରୁ ଖସି ଫୁଟିଲା ବୋମା, ୩ ଆହତ

ଧଉଳି: ପୁବଶାସନ ଅଞ୍ଚଳରେ ଥିବା ଏକ ପରିତ୍ୟକ୍ତ ଘର ତାଜା ଉପରୁ ବୋମା ଖସି ପଡ଼ିବାରୁ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେ ଘରେ କିଏ ବୋମା ରଖିଥିଲା ତାହା ଜଣାପଡ଼ି ନାହିଁ। ବୋମା ବିସ୍ଫୋରଣରେ ଆହତ ଯୁବକମାନେ ହେଲେ ଆସାମ ନାଲମାରି ଜିଲ୍ଲା ମୁଲଦାମୁଲ୍ଲା ଥାନା ଅଧୀନ ଭାଙ୍ଗନାମାସି ଗ୍ରାମର ମୁଙ୍ଗଲା ଅଲ୍ଲୀଙ୍କ ପୁଅ ଅବଦୁଲ ସାମଦ(୨୨), ଅନିଆଲ ହୋକ୍ୟୁଙ୍କ ପୁଅ ସାହାଜାନ ଅଲ୍ଲୀ (୨୩) ଓ ଅନୁସ ଅଲ୍ଲୀଙ୍କ ପୁଅ ମୀର ଅଲ୍ଲୀ(୨୧)। ହୋଲି ଖେଳିସାରି କେନାଲକୁ ଗାଧୋଇବାକୁ ଯିବା ବାଟରେ ଏମାନେ ଥକା ମେଣ୍ଟାଇବା ପାଇଁ ଏହି ଘର ଭିତରକୁ ପଶି ଯାଇଥିଲେ। ତେବେ ସେମାନେ ପଶିଯିବାରୁ ଘର ଭିତରେ ଥିବା ପାରାଗୁଡ଼ିକ ବାହାରକୁ ଉଡ଼ି ଯାଇଥିଲେ। ଠିକ୍‌ ଏହି ସମୟରେ ତାଜା ଉପରୁ ତଳକୁ ଖସିପଡ଼ିଥିଲା ବୋମା। ଚଟାଣରେ ମାଡ଼ ହୋଇ ବୋମା ଫୁଟିଯିବାରୁ ସେମାନେ ଆହତ ହୋଇଥିଲେ। ବିସ୍ଫୋରଣ ଶବ୍ଦ ଶୁଣି ସ୍ଥାନୀୟ ଲୋକମାନେ ସେଠାରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଡକାଇ ଚିକିତ୍ସା ଲାଗି କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଥିଲେ। ପରେ ଅବସ୍ଥା ସଂକଟାପନ୍ନ ହେବାରୁ ମୀର ଅଲ୍ଲୀଙ୍କୁ କଟକ ବଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଥିବା ମୀରଙ୍କ ସ୍ବାସ୍ଥ୍ୟ ଅବସ୍ଥା ଅଧିକ ସଂକଟାପନ୍ନ ଥିବା ବେଳେ ଅନ୍ୟ ଦୁଇଜଣ ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ହୋଇ ଫେରି ଆସିଥିବା ଜଣାପଡ଼ିଛି। ଖବର ପାଇ ଉତ୍ତରାଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରିବା ସହିତ ବୋମାର ଟୁକୁଡ଼ା ଅଂଶ ଜବତ କରିଥିଲା। ପ୍ରାପ୍ତ ସୂଚନାନୁଯାୟୀ ଆହତ ଛାତ୍ରମାନେ କର୍ମସଂସ୍ଥାନ ପାଇବା ପାଇଁ ଏକ ଘରୋଇ ସଂସ୍ଥାରେ ତାଲିମ ନେଉଥିଲେ। ଏହି ପରିତ୍ୟକ୍ତ ଘର ଅସାମାଜିକ ଯୁବକମାନଙ୍କ ଆଡ଼ାସ୍ଥଳୀ ପାଲଟିଛି। ଦୁର୍ବୃତ୍ତମାନେ ଏହି ଘର ଭିତରେ ମଦ ପିଇବା ସହିତ ରାତିରେ ଚୋରି ଡକାୟତି ପାଇଁ ଯୋଜନା କରିଥାନ୍ତି। ଏ ଦିଗରେ ପିପିଲି ଥାନା ଓ ପୁରୀ ଜିଲ୍ଲା ଏସିପି ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି । ତେବେ ବୋମା ବିସ୍ଫୋରଣ ଘଟଣାର ପୁଲିସ ଅଧିକ ତଦନ୍ତ କରୁଛି।

ସମ୍ବନ୍ଧିତ ଖବର