ଛାତ୍ର ସଂସଦ ନିର୍ବାଚନରୁ ବୋମାମାଡ଼ ଟ୍ରେଣ୍ଡ ଆରମ୍ଭ ହୋଇଥିଲା
ଠିକାଦାର, ଶିଳ୍ପପତିଙ୍କ ଘରେ ବୋମାମାଡ଼, ସରକାରୀ କ୍ବାର୍ଟର୍ସରୁ ବୋମା କାରଖାନା ଠାବ, ଗତ ସାଧାରଣ ନିର୍ବାଚନବେଳେ ମଧ୍ୟ ଫୁଟିଥିଲା ବୋମା
ରାଜଧାନୀରେ ବୋମାମାଡ଼ ଟ୍ରେଣ୍ଡ୍ ପ୍ରଥମେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଆରମ୍ଭ ହୋଇଥିଲା। ଉତ୍କଳ ବିଶ୍ବବିଦ୍ୟାଳୟଠାରୁ ଆରମ୍ଭ କରି ବିଜେବି, ମହର୍ଷି, ଦେବରାୟ ଆଦି କଲେଜ ଉପରେ ବୋମାମାଡ଼ ହୋଇଛି। ପ୍ରଥମେ ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତିଙ୍କ ଗଜପତିନଗର ଘର ଉପରେ ବୋମାମାଡ଼ ହୋଇଥିଲା। ପରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରାଯାଇଥିଲା। ଏବେ ରାଜ୍ୟର ଅଧିକାଂଶ କଲେଜରେ ଛାତ୍ର ସଂସନ ନିର୍ବାଚନବେଳେ ପରାଜିତ ହେବାକୁ ଥିବା ପ୍ରାର୍ଥୀଙ୍କ ସହଯୋଗୀ କଲେଜରେ ବୋମାମାଡ଼ କରି ନିର୍ବାଚନ ବନ୍ଦ କରୁଛନ୍ତି। ବଡ଼ କଥା ହେଉଛି ଏହି ସବୁ ମାମଲା ମଧ୍ୟ ଅଧିକାଂଶ ମାମଲାରେ ପୁଲିସ ଏଯାଏ କାହାରିକୁ ଗିରଫ କରିବାକୁ ସକ୍ଷମ ହୋଇ ପାରିନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ଠିକାଦାର, ଶିଳ୍ପପତିଙ୍କ ଘରେ ବୋମାମାଡ଼
ଦେଢ଼ ବର୍ଷ ତଳେ ମଞ୍ଚେଶ୍ବର ଥାନା ଅଧୀନ ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ରହୁଥିବା ମନୁ ଶର୍ମା ନାମକ ଜଣେ ଠିକାଦାରଙ୍କ ଘର ଉପରେ ହୋଇଥିଲା ବୋମାମାଡ଼। ଦାଦାବଟି ଆଦାୟକୁ କେନ୍ଦ୍ର କରି କେତେକ ଦୁର୍ବୃତ୍ତ ଏଭଳି କାଣ୍ଡ ଭିଆଇଥିଲେ। ମନୁଙ୍କର ପାରାଦୀପରେ ବ୍ୟବସାୟ ରହିଛି। ବ୍ୟବସାୟରେ ଥିବା ଶତ୍ରୁତା କାରଣରୁ ତାଙ୍କ ଘର ଉପରକୁ ବୋମାମାଡ଼ ହୋଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା। କିନ୍ତୁ ଏହି ଘଟଣାରେ ପୁଲିସ ଏଯାଏ କାହାରିକୁ ଗିରଫ କରିବାକୁ ସକ୍ଷମ ହୋଇନାହିଁ। ସେହିପରି ଚନ୍ଦ୍ରଶେଖରପୁର ଥାନା ଅଧୀନ ପଟ୍ରୋଲ ପମ୍ପ ନିକଟରେ ଜଣେ ରେଳବାଇ ଠିକାଦାର ଓ ବାଲିଅନ୍ତା ଥାନା ଅଞ୍ଚଳରେ ଜଣେ ବାଲି ମାଫିଆଙ୍କ ଘର ଉପରେ ମଧ୍ୟ ବୋମାମାଡ଼ ହୋଇଥିଲା। ଏହି ସବୁ ଘଟଣାରେ ମଧ୍ୟ ପୁଲିସ ହାତ ଖାଲି।
ସରକାରୀ କ୍ବାର୍ଟର୍ସରୁ ବୋମା କାରଖାନା ଠାବ
ଗତ ମାସରେ ଖଣ୍ଡଗିରି ଥାନା ଅଧୀନ ଓୟୁଏଟି କଲୋନି ପରିସରରୁ ଏକ ଗୁଳି ଓ ବୋମା ତିଆରି କାରଖାନା ଠାବ ହୋଇଥିଲା। ନୃସିଂହ ଚରଣ ନାୟକ ନାମକ ଜଣେ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିବା ସହିତ ୩ଟି ଅର୍ଧ ନିର୍ମିତ ପିସ୍ତଲ ଓ ବୋମା ତିଆରି ସରଞ୍ଜାମ ଜବତ କରିଥିଲା। ଏପରିକି ନୃସିଂହ ରାଜ୍ୟ ବିଭିନ୍ନ ଅପରାଧୀଙ୍କୁ ବୋମା ଓ ପିସ୍ତଲ ଯୋଗାଇ ଥିବା ସ୍ବୀକାର କରିଥିଲା। ପୁଲିସ ନୃସିଂହକୁ ରିମାଣ୍ଡରେ ମଧ୍ୟ ଆଣିଥିଲା, ତାର ନେଟୱର୍କ ସମ୍ପର୍କରେ ଖୋଳତାଡ଼ କରିବାକୁ। ସେହିପରି ଗତବର୍ଷ ଫେବ୍ରୁଆରି ମାସ ୨୨ ତାରିଖରେ ଲକ୍ଷ୍ମୀସାଗର ଥାନା ପୁଲିସ କଟକ-ପୁରୀ ବାଇପାସ ରାସ୍ତା ମଙ୍ଗରାଜ ପଏଣ୍ଟ ନିକଟରେ ଥିବା ଏକ ଫେବ୍ରିକେସନ୍ ପରିସରରୁ ୩୨ଟି ଅଫୁଟା ବୋମା ଜବତ କରିଥିଲା। ଏହି ଘଟଣାରେ ପୁଲିସ କୁନୁ ଜେନା ସମେତ ୫ ଜଣଙ୍କୁ ଗିରଫ କରିଥିଲା। କିନ୍ତୁ ଏତେ ପରିମାଣର ବୋମା କେମିତି ସେଠାକୁ ଆସିଲା ପୁଲିସ ସେ ନେଇ ପରବର୍ତୀ ସମୟରେ କିଛି ଯାଞ୍ଚ କରି ନ ଥିଲା।
ଗତ ସାଧାରଣ ନିର୍ବାଚନବେଳେ ମଧ୍ୟ ଫୁଟିଥିଲା ବୋମା
ଗତ ସାଧାରଣ ନିର୍ବାଚନବେଳେ ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀରେ ବୋମା ଫୁଟିଥିଲା। ନୂ୍ଆପଲ୍ଲୀ, କଟକରୋଡ୍ ଓ ଝାରପଡ଼ା ଅଞ୍ଚଳରେ ବିରୋଧୀ ଗୋଷ୍ଠୀ ପରସ୍ପର ଓ ପ୍ରାର୍ଥୀମାନଙ୍କ ଉପରେ ବୋମାମାଡ଼ କରିଥିଲେ। ପ୍ରଥମେ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଓ ତାଙ୍କ ସମର୍ଥକମାନଙ୍କ ଉପରେ ୟୁନିଟ-୮ ଅଞ୍ଚଳରେ ବୋମାମାଡ଼ ହୋଇଥିଲା। ଏହାର କିଛି ଦିନ ପରେ ବିଳମ୍ବିତ ରାତିରେ ଭୁବନେଶ୍ବର ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ କପୋର୍ରେଟର ଅମରେଶ ଜେନାଙ୍କ ଦଳୀୟ କାର୍ଯ୍ୟାଳୟ ଉପରେ ହୋଇଥିଲା ବୋମାମାଡ଼। ଏହା ପରେ ପରେ ଝାରପଡ଼ା କେନାଲ ରାସ୍ତାରେ ପୂର୍ବତନ ମେୟର ତଥା ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ଓ ତାଙ୍କର ଜଣେ ସହଯୋଗୀଙ୍କ ଉପରେ ହୋଇଥିଲା ବୋମାମାଡ଼। ଏ ନେଇ କ୍ୟାପିଟାଲ, ଲକ୍ଷ୍ମୀସାଗର ଓ ନୂଆପଲ୍ଲୀ ଥାନାରେ ପରସ୍ପର ବିରୋଧରେ ଏତଲା ମଧ୍ୟ ଦିଆ ଯାଇଛି। କିନ୍ତୁ କମିସନରେଟ ପୁଲିସ ସମସ୍ତ ଘଟଣାରେ ଜଣେ ହେଲେ ବି ଅଭିଯୁକ୍ତକୁ ଗିରଫ କରିପାରିନାହିଁ। ନିର୍ବାଚନ ପୂର୍ବରୁ ଭୁବନେଶ୍ବର ଏକାମ୍ର ନିର୍ବଚନ ମଣ୍ଡଳୀ ଅଧୀନ ଶିଶୁପାଳଗଡ଼ ଓ ନୂଆଗାଁରେ ମଧ୍ୟ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ ହୋଇଥିଲା।