ଜଟଣୀ,): ପୁଣି ଅଶାନ୍ତ ହୋଇଉଠିଛି ଜଟଣୀ। ଆଜି ରାତିରେ ପୁଣି ଜଟଣୀ ଥାନା ଅନ୍ତର୍ଗତ ବେଣାପଞ୍ଜରୀରେ ବୋମାମାଡ଼ ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ବୋମାମାଡ଼ ହୋଇଥିବା ବେଳେ ଏଥିରେ ୩ଜଣ ଆହତ ହୋଇଛନ୍ତି। ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇଟି ଗୋଷ୍ଠୀ ମଧ୍ୟରେ ବାରମ୍ୱାର ବୋମାମାଡ଼ ହେଉଥିଲେ ହେଁ ପୁଲିସର ନିଷ୍କ୍ରିୟତା ଯୋଗୁ ଅପରାଧୀମାନେ ବେଫିକର ହୋଇ ବୁଲୁଥିବା ଅଭିଯୋଗ ହୋଇଛି। 
ଭାଇଗିରି ଜାହାିର କରିବା ପାଇଁ ବେଣାପଞ୍ଜରୀ ମସଜିଦ୍ ଛକ ଅଞ୍ଚଳରେ ବଣ୍ଟି ଓ ହମ ଦୁଇଗୋଷ୍ଠୀ ମଧ୍ୟରେ କିଛି ଦିନ ହେଲା ବିବାଦ ଲାଗି ରହିଛି। ପୂର୍ବରୁ କୌଣସି ଏକ ଘଟଣାକୁ କେନ୍ଦ୍ରକରି ଉଭୟ ଗୋଷ୍ଠୀର ସଦସ୍ୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ଓ ପରବର୍ତ୍ତୀ ସମୟରେ ଏହାର ଆପୋସ ସମାଧାନ ହୋଇଥିଲା। ହେଲେ ଉଭୟ ଗୋଷ୍ଠୀ ପରସ୍ପର ଉପରେ ରାଗ ସୁଜାଇବା ପାଇଁ ସୁଯୋଗ ଆପେକ୍ଷାରେ ରହୁଥିଲେ।  ଗତ ଜୁଲାଇ ୨୬ତାରିଖ ରାତିରେ ଗୋଟିଏ ଗୋଷ୍ଠୀର ସଦସ୍ୟ ଅପରପକ୍ଷ ସଦସ୍ୟଙ୍କ ଉପରେ ବୋମାମାଡ଼ କରିଥିଲେ। ଏଥିରେ ଜଣେ ନାବାଳକ ଆହତ ହୋଇଥିଲେ। ସେତେବେଳେ ପୁଲିସ କେବଳ ଏକ ମାମଲା ରୁଜୁ କରି ବସିଯାଇଥିଲା। ଏହି ଘଟଣାକୁ କେନ୍ଦ୍ରକରି ଆଜି ରାତିରେ ପୁଣି  ବୋମାମାଡ଼ ହୋଇଛି। ଏଥିରେ ଗୋଟିଏ ଗୋଷ୍ଠୀର ୩ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ମହମ୍ମଦ ରିଆନ୍‌ ଗୁରୁତର ଭାବେ ଆହତ ହୋଇଥିବାରୁ ତାଙ୍କୁ ଖୋଦ୍ଧା ଡାକ୍ତରଖାନାକୁ ସ୍ଥାନନ୍ତର କରାଯାଇଛି। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 
ଅନ୍ୟପଟେ ବେଣାପଞ୍ଜରୀରେ ଏହି ଦୁଇଗୋଷ୍ଠୀ ମଧ୍ୟରେ ଗତ ୫ମାସ ଭିତରେ ୩ଥର ବୋମାମାଡ଼ ହେଲାଣି। ଗାଁରେ ଦୁଇଗୋଷ୍ଠୀ ମଧ୍ୟରେ ଭାଇଗିରି ପାଇଁ ବାରମ୍ୱାର ବୋମାମାଡ଼ ହେଉଥିବାରୁ ସାଧାରଣ ଲୋକେ ଅତିଷ୍ଠ ହୋଇଗଲେଣି।। ଆଗକୁ ଭୟଙ୍କର ସ୍ଥିତି ସୃଷ୍ଟି ହେବା ପୂର୍ବରୁ ପୁଲିସ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।