ଧଉଳି: ଗୁରୁବାର ରାତି ପ୍ରାୟ ୯ଟା ବେଳେ ପିପିଲି ଥାନା କୌଶଲ୍ୟାଗଙ୍ଗ ଫାଣ୍ଡି ଅଧୀନ ସଂଘଳେଇ ଶାସନ ଛକରେ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ୨ଟି ବାଇକ୍ରେ ଥିବା ୪ଜଣ ଦୁର୍ବୃତ୍ତ ମନୋଜ ପଣ୍ଡାଙ୍କ ଭେରାଇଟି ଷ୍ଟୋର୍କୁ ଲକ୍ଷ୍ୟ କରି ବୋମା ଫିଙ୍ଗିଥିବା ଜଣାପଡ଼ିଛି। ବୋମାମାଡ଼ରେ ଦୋକାନ କିମ୍ବା ମନୋଜଙ୍କର କିଛି ବଡ଼ଧରଣର କ୍ଷତି ହୋଇନାହିଁ। କିନ୍ତୁ ନିକଟରେ ଥିବା ଏକ କାର୍ ଭାଙ୍ଗିଛି ଏବଂ ବଜାରରୁ ଘରକୁ ଫେରୁଥିବା ଅନ୍ୟ ଜଣେ ବ୍ୟକ୍ତି ସାମାନ୍ୟ ଆହତ ହୋଇଛନ୍ତି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଦୁର୍ବୃତ୍ତମାନଙ୍କୁ ତୁରନ୍ତ ଗିରଫ କରିବା ଦାବି କରି ସ୍ଥାନୀୟ ଲୋକେ କୌଶଲ୍ୟାଗଙ୍ଗ ଫାଣ୍ଡି ଘେରାଉ କରିଥିଲେ। ଦୁର୍ବୃତ୍ତମାନେ ଜଣାଶୁଣା ହୋଇଥିବାରୁ ସେମାନଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ ପ୍ରତିଶ୍ରୁତି ଦେବା ପରେ ଉତ୍ତେଜନା ଥମିଥିଲା।
ପ୍ରତ୍ୟକ୍ଷଦର୍ଶୀମାନଙ୍କ କହିବା କଥା ରାତି ୯ଟା ବାଜିସାରିଥିବାରୁ ବଜାର ନିଛାଟିଆ ହୋଇଯାଇଥିଲା। କାଁ ଭାଁ କିଛି ଲୋକ ବଜାରରେ ଚଳପ୍ରଚଳ ହେଉଥିଲେ। ମନୋଜ ତାଙ୍କ ଭେରାଇଟି ଷ୍ଟୋର୍ ବନ୍ଦ କରିନଥିଲେ। ହଠାତ୍ ୨ଟି ବାଇକ୍ରେ ୪ଜଣ ଦୁର୍ବୃତ୍ତ ମନୋଜଙ୍କ ଦୋକାନ ଆଗରେ କିଛି ଗଜ ଦୂରରେ ଅଟକିଥିଲେ। ପଛରେ ବସିଥିବା ଦୁର୍ବୃତ୍ତ ଦୋକାନକୁ ଲକ୍ଷ୍ୟ କରି ଲାଗଲାଗ ୨ଟି ବୋମାମାଡ଼ କରିଥିଲା। ମାତ୍ର ବୋମାଦ୍ବୟ ଦୋକାନ ସମ୍ମୁଖରେ ପଡ଼ି ବିସ୍ଫୋରଣ ହୋଇଥିଲା। ବୋମା ଫୁଟିବା ଯୋଗୁ ସେଠାରେ ପ୍ରବଳ ଧୂଆଁ ଖେଳିଯାଇଥିଲା ଏବଂ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ବଜାରରେ ଥିବା ଲୋକେ ମନୋଜଙ୍କୁ ଉଦ୍ଧାର କରିବାକୁ ଘଟଣାସ୍ଥଳକୁ ଧାଇଁ ଆସିଥିଲେ। ସୌଭାଗ୍ୟକୁ ଦୋକାନ ଭିତରେ ମନୋଜ ସୁରକ୍ଷିତ ଥିଲେ। କିନ୍ତୁ ଦୋକାନ ନିକଟରେ ଜଣେ ବ୍ୟକ୍ତି ସାମାନ୍ୟ ଆହତ ହୋଇ ବସିପଡ଼ିଥିଲେ। ସେହିଭଳି ଦୋକାନ ନିକଟରେ ଥିବା ଏକ କାର୍ର କାଚ ଭାଙ୍ଗିଯାଇଥିଲା। ଲୋକମାନେ ତୁରନ୍ତ ଆହତ ବ୍ୟକ୍ତିଙ୍କୁ ପିପିଲି ଡାକ୍ତରଖାନାକୁ ପଠାଇଥିଲେ। ଖବର ପାଇ ପିପିଲି ଥାନା ପୁଲିସ ସଂଘଳେଇ ଶାସନ ବଜାରରେ ପହଞ୍ଚି ବୋମାର ଟୁକୁଡ଼ା ଅଂଶ ଗୋଟାଇ ଜବତ କରିଥିଲା। ବୋମାମାଡ଼ ଖବର ପାଇ ମନୋଜଙ୍କ ବାପା ରଘୁନାଥ ଓ ତାଙ୍କ ଗ୍ରାମବାସୀମାନେ ସେଠାରେ ପହଞ୍ଚିଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାଗ ରଖିଥିବା ଦୁର୍ବୃତ୍ତମାନେ ଏହି କାଣ୍ଡ ଘଟାଇଛନ୍ତି ବୋଲି ରଘୁନାଥ ଅଭିଯୋଗ କରିଥିଲେ। ଏହାପରେ ଉତ୍ତ୍ୟକ୍ତ ଲୋକେ କୌଶଲ୍ୟାଗଙ୍ଗ ଫାଣ୍ଡିରେ ପହଞ୍ଚି ଦୁର୍ବୃତ୍ତମାନଙ୍କ ନାଁ ନେଇ ତୁରନ୍ତ ଗିରଫ କରିବାକୁ ଦାବି କରି ହୋହଲ୍ଲା କରିଥିଲେ।