ଭୁବନେଶ୍ବର : ଗତକାଲି ରାତିରେ ଭୁବନେଶ୍ବର ରେଳଷ୍ଟେସନ ୨ ନମ୍ବର ପ୍ଲାଟ୍ଫର୍ମରେ ଅଟକିଥିବା କୋଣାର୍କ ଏକ୍ସପ୍ରେସ୍ରେ ଏକ ବୋମା ବିସ୍ଫୋରଣ ହୋଇଥିଲା। ସୌଭାଗ୍ୟକୁ ସେତେବେଳେ ଟ୍ରେନ୍ରେ କେହି ଯାତ୍ରୀ ନଥିବା ବେଳେ ବୋମାଟି ଶକ୍ତିଶାଳୀ ନଥିବାରୁ କୌଣସି ପ୍ରକାର ବଡ଼ଧରଣର ଅଘଟଣ ଘଟି ନଥିଲା। ଏମିତିକି ଟ୍ରେନ୍ର ଉକ୍ତ ବଗିରେ ବି ଅଗ୍ନିକାଣ୍ଡ ଘଟି ନଥିଲା। ତେବେ ଟ୍ରେନ୍ରେ ସଫେଇ କରୁଥିବା କର୍ମଚାରୀମାନେ ବୋମା ବିସ୍ଫୋରଣର ପ୍ରଚଣ୍ଡ ଶବ୍ଦ ଶୁଣି ଓ ପ୍ରଚୁର ଧୂଆଁ ଦେଖି ଭୟଭୀତ ହୋଇପଡ଼ିଥିଲେ। ଷ୍ଟେସନରେ ଭୟର ବାତାବରଣ ଖେଳି ଯାଇଥିଲା।
ସଙ୍ଗେସଙ୍ଗେ ଜିଆର୍ପି ଓ ଆର୍ପିଏଫ୍ ଟିମ୍ ଟ୍ରେନ୍କୁ ଘେରି ଯାଇ ଯାଞ୍ଚ କରିଥିଲେ ଏବଂ ୨ଟି ବଗିରୁ ୨୩ଟି ବୋମା ଜବତ କରିଥିଲେ। ବୋମାଗୁଡ଼ିକ ପୁଲିସ ନିଜ ହେପାଜତକୁ ନେବା ପରେ ଷ୍ଟେସନରେ ଯାତ୍ରୀମାନେ ଆଶ୍ବସ୍ତ ହୋଇଥିଲେ। ତେବେ ଏହି ବୋମା ସବୁ କୋଣାର୍କ ଏକ୍ସପ୍ରେସ୍କୁ କିଭଳି ଆସିଲା, କିଏ କେଉଁ ଉଦ୍ଦେଶ୍ୟରେ ସେସବୁକୁ ଟ୍ରେନ୍ରେ ଛାଡ଼ି ଦେଇଥିଲା, ତାହା ସ୍ପଷ୍ଟ ହୋଇପାରିନାହିଁ। ଏନେଇ ଆର୍ପିଏଫ୍ ଓ ଜିଆର୍ପି ପୁଲିସ ତନାଘନା ଜାରି ରଖିଛି। ଟ୍ରେନ୍ର ସିସିଟିଭି ଓ ପ୍ଲାର୍ଟଫର୍ମରେ ଥିବା ସିସିଟିଭି ଯାଞ୍ଚ କରାଯାଉଛି। ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ଦିନ ବୋମା ନିଷ୍କ୍ରିୟକାରୀ ଟିମ୍ ପହଞ୍ଚିବା ପରେ ସେଗୁଡ଼ିକର ଯାଞ୍ଚ କରାଯିବା ସହ ନିଷ୍କ୍ରିୟ କରାଯିବ ବୋଲି ଜଣେ ଆର୍ପିଏଫ୍ ଅଧିକାରୀ କହିଛନ୍ତି। ଗତକାଲି ରାତିରୁ ଷ୍ଟେସନରେ ହାଇ ଆଲର୍ଟ ଜାରି କରାଯାଇଛି।
ବୁଧବାର ରାତି ପାଖାପାଖି ସାଢ଼େ ୧୧ଟା ସମୟରେ କୋଣାର୍କ ଏକ୍ସପ୍ରେସ୍ ମୁମ୍ବାଇରୁ ଆସି ଭୁବନେଶ୍ବରରେ ପହଞ୍ଚିଥିଲା। ଟ୍ରେନ୍ରୁ ଯାତ୍ରୀମାନେ ସମସ୍ତେ ଓହ୍ଲାଇ ଯାଇଥିଲେ ଏବଂ ୨ ନମ୍ବର ପ୍ଲାଟ୍ଫର୍ମରେ ଟ୍ରେନ୍ ଅଟକି ରହିଥିଲା। ସାଧାରଣ ସଫେଇ ପରେ ଟ୍ରେନ୍ ପ୍ଲାଟ୍ଫର୍ମରୁ ମାଲଗୋଦାମ ସେଡ୍କୁ ଯିବାର ଥିଲା। ରାତି ପ୍ରାୟ ୨ଟା ବେଳେ ସଫେଇ କର୍ମଚାରୀମାନେ ବିଭିନ୍ନ ବଗିରେ ପଶି କାମ କରୁଥିଲେ। ହଠାତ୍ ଇଞ୍ଜିନ୍ ପାଖକୁ ଲାଗିଥିବା ୨ ନମ୍ବର ଓ ୩ ନମ୍ବର ବଗି ଭିତରେ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ବଗି ଭିତରୁ ମଧ୍ୟ ପ୍ରଚୁର ପରିମାଣର ଘନ କଳା ଧୂଆଁ ବାହାରିଥିଲା। ତେଣୁ ଏହା ନିଶ୍ଚିତ ବୋମା ବିସ୍ଫୋରଣ ବୋଲି ସଫେଇ କର୍ମଚାରୀମାନେ ବୁଝିପାରି ଜୀବନ ବିକଳରେ ଟ୍ରେନ୍ରୁ ଡେଇଁ ଅନ୍ୟ ପ୍ଲାଟ୍ଫର୍ମକୁ ଚିତ୍କାର କରିକରି ଧାଇଁଥିଲେ। ସେମାନଙ୍କୁ ଏଭଳି ଭୀତତ୍ରସ୍ତ ଅବସ୍ଥାରେ ଦେଖିବା ସହ ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ଶୁଣି ଅନ୍ୟ ପ୍ଲାଟ୍ଫର୍ମରେ ଥିବା ଯାତ୍ରୀମାନେ ବି ଏଣେତେଣେ ଧାଇଁଥିଲେ। କିଛି ସମୟ ପାଇଁ ଷ୍ଟେସନରେ ଆତଙ୍କ ଖେଳିଯାଇଥିଲା।
ତୁରନ୍ତ ଆର୍ପିଏଫ୍ ଓ ଜିଆର୍ପି ଥାନା ପୁଲିସ ସେଠାରେ ପହଞ୍ଚି ଟ୍ରେନ୍କୁ ଘେରି ଯାଇଥିଲେ। ଧୂଆଁ କମିବା ପରେ କିଛି ପୁଲିସ କର୍ମଚାରୀ ଉକ୍ତ ବଗି ଭିତରକୁ ଯାଇ ଖୋଜାଖୋଜି କରିଥିଲେ। ଟ୍ରେନ୍ର ଦ୍ବିତୀୟ ବଗିରୁ ୮ଟି ଓ ତୃତୀୟ ବଗିରୁ ୧୫ଟି ବୋମା ଜବତ କରାଯାଇଥିଲା। ବମ୍ଗୁଡ଼ିକ ରକେଟ୍ ବାଣ ଭଳି ଓ ଲମ୍ବ ପ୍ରାୟ ଏକ ଫୁଟ୍ ବିଶିଷ୍ଟ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଏହି ବୋମାଗୁଡ଼ିକ ରକେଟ୍ ବାଣ ଭଳି କାମ କରେ। ମତ୍ସ୍ୟଜୀବୀମାନେ ସମୁଦ୍ରରେ ଏହି ବୋମାକୁ ବିଭିନ୍ନ ଉଦ୍ଦେଶ୍ୟରେ ବ୍ୟବହାର କରନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/konark.jpg)