ଭୁବନେଶ୍ବର/ମେଣ୍ଡାଶାଳ: ସରକାରୀ ଜମିକୁ ନେଇ ଚନ୍ଦକା ଅଞ୍ଚଳର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦରୁ ଗୁଳିକାଣ୍ଡ ଓ ବୋମାମାଡ଼ ଘଟଣାର ଦୁଇମାସ ପରେ ଚନ୍ଦକା ଥାନା ପୁଲିସ ଆଉ ଜଣେ ଫେରାର୍‌ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଲା ଭରତପୁର ଥାନା ହନୁମାନ ବସ୍ତିର ସୁଧୀର କୁମାର ଜେନା(୩୮)। ପୁଲିସ ତାଠାରୁ ଗୋଟିଏ ମୋବାଇଲ୍‌ ଜବତ କରିଛି।

Advertisment

ସୂଚନା ମୁତାବକ, ଗତ ମାର୍ଚ୍ଚ ୯ ତାରିଖରେ ଅପରାହ୍ଣ ପାଖାପାଖି ୩ଟା ସମୟରେ ମଳିପଡ଼ା ସଂଘର୍ଷବିହାର ଅଞ୍ଚଳରେ ଏକ ସରକାରୀ ଜମିରେ ଗୋଟିଏ ଗୋଷ୍ଠୀର କିଛି ସଦସ୍ୟ ବିକ୍ରି ପାଇଁ ଡିଲ୍‌ ବେଳେ ଅନ୍ୟ ଗୋଷ୍ଠୀର ସଦସ୍ୟ ପହଞ୍ଚି ବିରୋଧ କରିଥିଲେ। ଯାହାକୁ ନେଇ ଉଭୟ ‌ଗୋଷ୍ଠୀ ମଧ୍ୟରେ କଥା କଟାକଟିରୁ  ୧୦ରୁ ୧୫ ବୋମାମାଡ଼ ଓ ଗୁଳି ଚାଳନା କରାଯାଇଥିଲା। ଜୀବନ ବିକଳରେ ଯିଏ ଜୁଆଡ଼େ ପାରିଥିଲେ ଦୌଡ଼ିଥିଲେ। ହେଲେ ଗୋଟିଏ ଗୁଳି ସୋମନାଥ ସାହୁଙ୍କ ବାମ ଗୋଡ଼ରେ ବାଜିବାରୁ ‌ସେ ସେଠାରେ ପଡ଼ିଯାଇଥିଲେ। ଉଭୟ ପକ୍ଷ ଆକ୍ରମଣ ପ୍ରତିଆକ୍ରମଣ ଯୋଗୁ ୫ରୁ ଅଧିକ ଆହତ ହୋଇଥିଲେ। ସ୍ଥିତି ଅଣାୟତ୍ତ ଖବରପାଇ ଚନ୍ଦକା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଏମ୍‌ସ ପଠାଇଥିଲା। ଏନେଇ ଜଗନ୍ନାଥ ରାଓ ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁକରି ଗତ ମାର୍ଚ୍ଚ ୧୪ ତାରିଖରେ  ବୁଲେଟ୍‌ ରାଜାକୁ ଗିରଫ କରାଯାଇତିଲା। ଗତ ୧୦ ତାରିଖରେ ସହଯୋଗୀ ଆଶିଷ କୁମାର ରାୟ ଓରଫ ଆଶୁ ଓ ପପୁ ମାଝୀ ଓରଫ ପପୁକୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିଲା। ତେବେ ଆଜି ପୁଲିସ ସୁଧୀରକୁ ଗିରଫ କରି ‌କୋର୍ଟ ଚାଲାଣ କରିଛି।