ଭୁବନେଶ୍ବର/ଝାରସୁଗୁଡ଼ା: ବିମାନରେ ବୋମା ଅଛି। ବିସ୍ଫୋରଣ କରି ବିମାନବନ୍ଦର ଉଡ଼ାଇଦେବୁ। ଆଜି ଅପରାହ୍ଣରେ ଭୁବନେଶ୍ବର ଓ ଝାରସୁଗୁଡ଼ା ବିମାନବନ୍ଦରକୁ ଏଭଳି ଧମକ ଆସିବା ପରେ ଦୁଇ ବିମାନବନ୍ଦରରେ ଆତଙ୍କ ଖେଳିଯାଇଥିଲା। ବେଙ୍ଗାଲୁରୁ-ଭୁବନେଶ୍ବର ଏୟାର ଆକାଶ ବିମାନରେ ବୋମା ଥିବା ନେଇ ଅଜଣା ନମ୍ବରରୁ କଲ୍ ଆସିଥିଲା। ସେହିପରି ବେଙ୍ଗାଲୁରୁ-ଝାରସୁଗୁଡ଼ା ଇଣ୍ଡିଗୋ ବିମାନରେ ବୋମା ଥିବା ନେଇ ‘ଏକ୍ସ’ରେ ମେସେଜ୍‌ ଆସିଥିଲା। ଯାହାକୁ ନେଇ ଯାତ୍ରୀମାନେ ଭୟଭୀତ ହୋଇ ଯାଇଥିଲେ। ଖବର ପାଇ କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ (ସିଆଇଏସ୍‌ଏଫ୍‌), ବୋମା ନିଷ୍କ୍ରିୟକାରୀ ଟିମ୍‌ ଓ ଡଗ୍‌ ସ୍କ୍ବାଡ୍‌ ବିମାନବନ୍ଦରକୁ ସିଲ୍‌ କରିବା ସହ ଯାଞ୍ଚ କରିଥିଲେ। ତିନି ଘଣ୍ଟା ଧରି ବିମାନବନ୍ଦର ଓ ଏକାଧିକ ବିମାନକୁ ତନ୍ନତନ୍ନ କରି ଯାଞ୍ଚ କରାଯାଇଥିଲେ ବି ସେଭଳି କିଛି ବିସ୍ଫୋରକ ସାମଗ୍ରୀ କି ବୋମା ମିଳିନଥିଲା।

Advertisment

ଗତ ୧୦ ଦିନ ହେବ ବିମାନରେ ବୋମା ନେଇ ପ୍ରତିଦିନ ଅଜଣା ନମ୍ବରରୁ ମିଛ କଲ୍‌ ଆସୁଛି। ଆଜି ଏୟାର ଆକାଶର ୨୫ଟି, ଏୟାର ଇଣ୍ଡିଆର ୨୯, ଇଣ୍ଡିଗୋର ୨୦ ଓ ଭିସ୍ତାରାର ୨୦ଟି ବିମାନକୁ ବୋମା ଧମକ ମିଳିଥିଲା। ମାତ୍ର ଏପର୍ଯ୍ୟନ୍ତ କେଉଁଠି ବି କିଛି ଅଘଟଣ ଘଟିନାହିଁ କି କୌଣସି ବିମାନରୁ ବୋମା ମଧ୍ୟ ମିଳିନାହିଁ। ହେଲେ କିଏ ଓ କାହିଁକି ଏଭଳି ଗୁଜବ ସୃଷ୍ଟି କରୁଛି, ଏହାପଛରେ କ’ଣ କାରଣ ରହିଛି; ତାହା ଏବେ ବି ଅସ୍ପଷ୍ଟ ରହିଛି। 
ଗୁରୁବାର ବେଙ୍ଗାଲୁରୁ-ଝାରସୁଗୁଡ଼ା ବିମାନ (୬ଇ-୧୨୫)ରେ ବୋମା ଥିବାର ସୂଚନା ମିଳିବା ପରେ ଇଣ୍ଡିଗୋ ଏୟାରଲାଇନ୍ସ କର୍ତ୍ତୃପକ୍ଷ ଝାରସୁଗୁଡ଼ା ବିମାନବନ୍ଦରକୁ ସୂଚୀତ କରିଥିଲେ। ସେତେବେଳେ ବିମାନଟି ମଝି ଆକାଶରେ ରହିଥିଲା। ଦିନ ୧୨ଟା ୩୫ ମିନିଟ୍‌ରେ ବିମାନଟି ଝାରସୁଗୁଡ଼ା ବିମାନବନ୍ଦରରେ ଅବତରଣ କରିବା ପରେ ସୁରକ୍ଷା ଏଜେନ୍ସି ପକ୍ଷରୁ ବିମାନ, ଯାତ୍ରୀଙ୍କ ଲଗେଜ୍‌ ଓ ଯାତ୍ରୀଙ୍କୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଇଥିଲା। କିନ୍ତୁ ବିମାନରେ ସେଭଳି କୌଣସି ବୋମା କିମ୍ବା ସନ୍ଦିଗ୍ଧ ସାମଗ୍ରୀ ମିଳି ନଥିଲା।

ବୋମା ନଥିବା ସ୍ପଷ୍ଟ ହେବା ପରେ ବିମାନଟି ବେଙ୍ଗାଲୁରୁ ଅଭିମୁଖେ ଉଡ଼ାଣ ଭରିଥିବା ଝାରସୁଗୁଡ଼ା ବିମାନବନ୍ଦର ନିର୍ଦ୍ଦେଶକ ସନ୍ଦୀପ ତିୱାରୀ ସୂଚନା ଦେଇଛନ୍ତି। ଅନ୍ୟପଟେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି, ଏୟାର ଆକାଶ ବିମାନରେ ବୋମା ଥିବା ନେଇ ‘ଏକ୍ସ’ ମାଧ୍ୟମରେ ସୂଚନା ମିଳିଥିଲା। ଯାଞ୍ଚ ପରେ ବିମାନକୁ ଉଡ଼ାଣ ପାଇଁ କ୍ଲିୟରାନ୍ସ ଦିଆଯାଇଥିଲା ବୋଲି ସେ କହିଛନ୍ତି।