ଭୁବନେଶ୍ବର: ବିମାନରେ ବୋମା ଅଛି। ବିସ୍ଫୋରଣ କରି ବିମାନବନ୍ଦର ଉଡ଼ାଇଦେବୁ। ସୋମବାର ରାତିରେ ଭୁବନେଶ୍ବରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ଇଣ୍ଡିଗୋ ବିମାନରେ ବୋମା ଥିବା ନେଇ ଏଭଳି ଧମକ ସମସ୍ତଙ୍କୁ ଆତଙ୍କିତ କରି ଦେଇଥିଲା। ରାତି ପାଖାପାଖି ୭ଟା ୫୦ ମିନିଟ୍‌ ସମୟରେ ଇଣ୍ଡିଗୋ ବିମାନ ୧୭୯ ଯାତ୍ରୀଙ୍କୁ ନେଇ ରନ୍‌‌ୱେରେ ଉଡ଼ାଣ ଭରିବାକୁ ଯାଉଥିବା ବେଳେ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ପରେ ବିମାନ ଜରୁରିକାଳୀନ ଅବତରଣ କରିଥିଲା। 

Advertisment

ସିଆଇଏସ୍‌ଏଫ୍‌ କର୍ମଚାରୀ, ବୋମା ନିଷ୍କ୍ରିୟକାରୀ ଦଳ ଓ ପୁଲିସ ଟିମ୍‌ ପହଞ୍ଚି ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବିମାନରୁ ଓହ୍ଲାଇ ତନ୍ନତନ୍ନ କରି ଯାଞ୍ଚ କରିଥିଲେ। ହେଲେ ବିମାନ କି ଯାତ୍ରୀ କାହାରିଠାରୁ ସେଭଳି କୌଣସି ଆପତ୍ତିଜନକ ବିସ୍ଫୋରକ ସାମଗ୍ରୀ ମିଳିନଥିଲା। ବିଳମ୍ବିତ ରାତି ଯାଏ ବିମାନକୁ ଉଡ଼ାଣ ପାଇଁ କ୍ଲିୟରାନ୍ସ ମିଳିନଥିଲା। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ବୋମା ଧମକ ସପ୍ତାହେ ନପୂରୁଣୁ ପୁଣି ବିମାନରେ ବୋମା ଧମକ ଯୋଗୁଁ ସାରା ରାଜଧାନୀରେ ଆତଙ୍କ ଖେଳିଯାଇଛି।ପ୍ରକାଶ ଥାଉ କି, ଗତ କିଛିଦିନ ‌ହେବ ବିମାନରେ ବୋମା ନେଇ ପ୍ରତିଦିନ ଏଭଳି ଅଜଣା ନମ୍ବରରୁ ଗୋଟିଏ ପରେ ଗୋଟିଏ ୩୦୦ରୁ ଊର୍ଧ୍ବ ମିଛ କଲ୍‌ ସାଙ୍ଗକୁ ‘ଏକ୍ସ’ ମେସେଜ୍ ନେଇ ସାରା ଦେଶରେ ଆତଙ୍କ ଖେଳିଯାଇଛି।