ବାଲିଗଦା ତଳେ ବୋମା: ଜଣେ ଅଟକ

ସରକାରୀ ଜମି ଦଖଲକୁ ନେଇ ମୁହାଁମୁହିଁ

ଖଣ୍ଡଗିରି: ସ୍ଥାନୀୟ ଯଦୁପୁର ବେଗୁନିଆ ମୌଜାରେ ଏକ ବିବାଦୀୟ ଜମିରେ ପାଚେରି ନିର୍ମାଣକୁ କେନ୍ଦ୍ର କରି ଆଜି ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ମାତ୍ର ଖଣ୍ଡଗିରି ଥାନା ପୁଲିସ ଠିକଣା ସମୟରେ ଘଟଣାସ୍ଥଳରେ ପହଞ୍ଚିବାରୁ ଏକ ବଡ଼ ଧରଣର ଗଣ୍ଡଗୋଳ ରୋକି ହୋଇପାରିଥିଲା। ଆଉ କିଛି ସମୟ ବିଳମ୍ବ ହୋଇଥିଲେ ହୁଏତ ମାମଲା ବିସ୍ଫୋରଣର ରୂପ ନେଇଥାଆନ୍ତା। କାରଣ ଗଣ୍ଡଗୋଳକାରୀମାନେ ବୋମା ଭଳି ଆଗ୍ନେୟାସ୍ତ୍ରରେ ସଜ୍ଜିତ ହୋଇଥିବା ସୂଚନା ମିଳିଥିଲା। ସତକୁ ସତ ପୁଲିସ ମଧ୍ୟ ଘଟଣାସ୍ଥଳରୁ ବାଲିଗଦା ତଳୁ ଏକ ବୋମା ଜବତ କରିଛି ଓ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।

ସୂଚନାନୁସାରେ ଆଜି ବେଗୁନିଆ ଗାଁ ପାଖ ଏକ ପଡ଼ିଆରେ ଗ୍ରାମବାସୀମାନେ ପାଚେରି ନିର୍ମାଣ କରୁଥିଲେ। କ୍ଲବ ଘର ନିର୍ମାଣ କରିବାକୁ ଏହି ସରକାରୀ ଜମିକୁ ଗ୍ରାମବାସୀମାନେ ବହୁ ଦିନ ହେଲା ଜଗିଥିବାରୁ ପାଚେରି ନିର୍ମାଣ କରୁଥିଲେ। କିନ୍ତୁ ସେହି ଗାଁର ସେକ୍‌ ଆର୍ସାଦ୍‌ ନାମକ ଜଣେ ବ୍ୟକ୍ତି ଉକ୍ତ ପ୍ଲଟଟିକୁ ବହୁ ବର୍ଷ ହେଲା ଦଖଲ କରିଥିବାରୁ ତାଙ୍କର ବୋଲି ଦାବି କରି ଗ୍ରାମବାସୀଙ୍କୁ ବିରୋଧ କରିଥିଲେ। ଏଥିରୁ ବଚସା ହୋଇଥିଲା ଓ ପରେ ପରେ ଦୁଇ ପକ୍ଷ ମୁହାଁମୁହିଁ ଅବସ୍ଥାକୁ ଚାଲି ଆସିଥିଲେ। କୌଣସି ସୂତ୍ରରୁ ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲା। ଦୁଇ ପକ୍ଷ ବୋମା ଭଳି ମାରଣାସ୍ତ୍ରରେ ସଜ୍ଜିତ ହୋଇଥିବା ଖବର ପାଇ ପୁଲିସ ସଙ୍ଗେସଙ୍ଗେ ସେଠାରେ ପହଁଞ୍ଚିଥିଲା। ପୁଲିସକୁ ଦେଖି ଗଣ୍ଡଗୋଳକାରୀମାନେ ଛତ୍ରଭଙ୍ଗ ଦେଇଥିଲେ। ତେବେ ଏହି ସମୟରେ ଉକ୍ତ ପ୍ଲଟରେ ଥିବା ବାଲିଗଦା ତଳେ ବୋମା ପୋତା ହୋଇଥିବା ଖବର ପାଇ ପୁଲିସ ଛାନ୍‌ଭିନ୍‌ କରିଥିଲା। ସତକୁ ସତ ବାଲିଗଦା ତଳୁ ଏକ ବୋମା ମିଳିଥିଲା। ପୁଲିସ ସୂଚନାନୁସାରେ ସେଇଟି ଏକ ସୁତୁଲି ବୋମା। ଖୋଳତାଡ୍‌ରୁ ପୁଲିସ ବୋମା ପୋତିଥିବା ଯୁବକକୁ ଠାବ କରିବା ସହ ତାକୁ ଧରି ଥାନାରେ ଅଟକ ରଖିଥିଲା। ପୁଲିସ ସୂଚନାନୁସାରେ ଏହି ପ୍ଲଟକୁ ନେଇ ସେକ୍‌ ଆର୍ସାଦ୍‌ ଓ ଗ୍ରାମବାସୀଙ୍କ ମଧ୍ୟରେ ବର୍ଷ ବର୍ଷ ଧରି ବିବାଦ ଲାଗି ରହିଛି। ପୂର୍ବରୁ ଏହି ପ୍ଲଟ ଉପରେ ୧୪୪ ଧାରା ଲାଗି ହୋଇଥିଲା ଓ କେହି ସେଥିରେ ନିର୍ମାଣ କରିବେ ନାହିଁ ବୋଲି ମାନ୍ୟବର ଅଦାଲତଙ୍କ ନିର୍ଦ୍ଦେଶ ଥିଲା। ଏବେ ଉକ୍ତ ମାମଲାର ସ୍ଥିତାବସ୍ଥାକୁ ପୁଲିସ ଯାଞ୍ଚ କରୁଛି ବୋଲି ସୂଚନା ଦେଇଛି। ବାଲିଗଦା ତଳେ ବୋମା ରଖିଥିବା କେଉଁ ଗୋଷ୍ଠୀର ସ୍ପଷ୍ଟ ହୋଇନାହିଁ। ଗ୍ରାମବାସୀଙ୍କ ପକ୍ଷରୁ ୟାକୁବ୍‌ ଓ ନିଜେ ଆର୍ସାଦ୍‌ ଥାନାରେ ପରସ୍ପର ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର