ଜଟଣୀ: ଗତକାଲି ରାତିରେ ବେଣାପଞ୍ଜରୀ ମସଜିଦ୍ ଛକରେ ହୋଇଥିବା ବୋମାମାଡ଼ ଘଟଣାରେ ଜଟଣୀ ଥାନା ପୁଲିସ କାହାକୁ ଗିରଫ କରିପାରିନାହିଁ। ସିସିଟିଭି ଫୁଟେଜ୍କୁ ଆଧାର କରି ପୁଲିସ ଜଣକୁ ଉଠାଇଥିବା ଜଣାପଡ଼ିଛି। ମାତ୍ର ପୁଲିସ ପକ୍ଷରୁ ଏନେଇ ସୂଚନା ଦିଆଯାଇନାହିଁ। ଭାଇଗିରିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଲାଗିରହିଥିବା ଛକାପଞ୍ଝାରୁ ବେଣାପଞ୍ଜରୀ ଗାଁରେ ବୋମାମାଡ଼ ହେଉଥିବା ସ୍ପଷ୍ଟ ହୋଇଛି। ଗତ ୫ମାସ ଭିତରେ ତିନି ତିନି ଥର ବୋମା ଫୁଟିଥିଲେ ହେଁ ପୁଲିସ ଅପରାଧୀଙ୍କୁ ଧରିପାରୁନଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଗାଁରେ ଏକ ଭୟର ବାତାବରଣ ଲାଗି ରହିଛି ବୋଲି ଗ୍ରାମବାସୀ କହିଛନ୍ତି।
ବେଣାପଞ୍ଜରୀ ମସଜିଦ୍ ଛକ ଅଞ୍ଚଳରେ ବଣ୍ଟି ଓ ହମ୍ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଆସିଛି। ଭାଇଗିରି ଦେଖାଇବାକୁ ଯାଇ ଦୁଇ ଗୋଷ୍ଠୀ କଥା କଥାକେ ବୋମାମାଡ଼ କରୁଛନ୍ତି। ବୋମାମାଡ଼ କରୁଥିବା ଅଭିଯୁକ୍ତମାନେ ଜେଲ୍ ଫେରନ୍ତା। ସେମାନେ ପୂର୍ବରୁ ବିଭିନ୍ନ ଅପରାଧିକ ମାମଲାରେ ଜେଲ୍ ଯାଇଥିଲେ ଏବଂ ଜାମିନରେ ଜେଲ୍ରୁ ମୁକୁଳି ଗାଁକୁ ଫେରି ଆତଙ୍କରାଜ୍ ଚଳାଇଛନ୍ତି। ଦୁଇ ଗୋଷ୍ଠୀ ମଧ୍ୟରେ କୌଣସି ବଡ଼ଧରଣର ଶତ୍ରୁତା ନାହିଁ ବୋଲି କୁହାଯାଉଛି। ମାତ୍ର ଭାଇଗିରି କରି ଏପରି କାଣ୍ଡ ଭିଆଉଛନ୍ତି। ଜୁଲାଇ ୨୬ତାରିଖ ରାତିରେ ଗୋଟିଏ ଗୋଷ୍ଠୀ ସଦସ୍ୟ ପ୍ରତିପକ୍ଷ ଉପରେ ବୋମାମାଡ଼ କରିଥିଲା। ସେଥିରେ ଜଣେ ନାବାଳକ ଆହତ ହୋଇଥିଲେ। ସେହି ଘଟଣାକୁ ନେଇ ପୁଣି ଗତକାଲି ରାତିରେ ଗୋଟିଏ ଗୋଷ୍ଠୀର ଜଣେ ସଦସ୍ୟ ଗାଁ ଭିତରେ ପଶି ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି। ଏଥିରେ ୩ଜଣ ଆହତ ହୋଇଛନ୍ତି। କିନ୍ତୁ ମହମ୍ମଦ ରହିମ୍ଙ୍କ ଅବସ୍ଥା ଗୁରୁତର ରହିଛି। ଆହତ ରହିମ୍ଙ୍କ ପରିବାର ଲୋକେ ଥାନାରେ ଦୁଇଟି ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୋଗ ଆଧାରରେ ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି। ପୁଲିସ ଅଭିଯୁକ୍ତକୁ ଚିହ୍ନଟ କରିଥିବା ସୂଚନା ଦେଇଛି।
ବେଣାପଞ୍ଜରୀରେ ଭାଇଗିରିରୁ ବୋମାମାଡ଼
ଗତକାଲି ରାତିରେ ବେଣାପଞ୍ଜରୀ ମସଜିଦ୍ ଛକରେ ହୋଇଥିବା ବୋମାମାଡ଼ ଘଟଣାରେ ଜଟଣୀ ଥାନା ପୁଲିସ କାହାକୁ ଗିରଫ କରିପାରିନାହିଁ। ସିସିଟିଭି ଫୁଟେଜ୍କୁ ଆଧାର କରି ପୁଲିସ ଜଣକୁ ଉଠାଇଥିବା ଜଣାପଡ଼ିଛି। ମାତ୍ର ପୁଲିସ ପକ୍ଷରୁ ଏନେଇ ସୂଚନା...
/sambad/media/media_files/2025/08/07/bombing-2025-08-07-06-42-08.jpg)