ପୁଣି ମାତିଲେଣି ବୋମାମାଡ଼ ଗ୍ୟାଙ୍ଗ

୨୪ଘଣ୍ଟା ବ୍ୟବଧାନରେ ଦୁଇ ବୋମାମାଡ଼

ଭୁବନେଶ୍ବର: କିଛି ଦିନର ନିରବତା ପରେ ପୁଣି ରାଜଧାନୀରେ ସକ୍ରିୟ ହୋଇ ଉଠିଛନ୍ତି ବୋମାମାଡ଼ ଗ୍ୟାଙ୍ଗ। କଥା କଥାକେ ବୋମାମାଡ଼ କରୁଛନ୍ତି। କେଉଁଠି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତ କେଉଁଠି ଦାଦାବଟି, ରାଜନୈତିକ ଶତ୍ରୁତାକୁ ନେଇ ବି ବୋମାମାଡ଼ ହେଲାଣି। ଗତ ୨୪ ଘଣ୍ଟା ବ୍ୟବଧାନରେ ରାଜଧାନୀ ଛାତି ଉପରେ ଏଭଳି ଦୁଇ ଦୁଇଟି ଘଟଣା ଘଟି ସାରିଲାଣି। ଅପରପକ୍ଷେ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଅପରାଧୀମାନେ ଏଭଳି ଉପଦ୍ରବ କରୁଥିବାରୁ ରାଜଧାନୀବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ପୁଲିସର କୋହଳ ମନୋଭାବ ଓ ଢିଲାପଣକୁ ସେମାନେ ଦାୟୀ କରିଛନ୍ତି। ଉଦ୍‌ବେଗର କଥା, ଦୁଇଟି ବୋମାମାଡ଼ ଘଟଣା‌ରେ ପୁଲିସକୁ ଗୋଟିଏ ବି ମାମଲାରେ ସଫଳତା ମିଳିନାହିଁ। ଦୁଇ ଦୁଇଟି ଘଟଣାରେ ଅପରାଧୀ ବୋମାମାଡ଼ କରି ଫେରାର୍‌ ହୋଇଯାଇଛନ୍ତି। ହେଲେ ପୁଲିସ ସେମାନଙ୍କ ଟେର୍‌ ପାଉନାହିଁ। ରାଜଧାନୀରେ ଘନଘନ ବୋମାମାଡ଼ ପରେ ଅପରାଧୀଙ୍କୁ ଧରିବା ପାଇଁ କମିସନ୍‌ରେଟ୍‌ ପୁଲିସର ନିଦ ହଜିଯାଇଛି।

ଅପହଞ୍ଚରେ ଅପରାଧୀ
ହଜିଲାଣି ପୁଲିସ ନିଦ

ଗତ ୧୭ ତାରିଖ ରାତିରେ ଖାରବେଳନଗରସ୍ଥିତ ୟୁନିଟ୍‌-୪ରେ ଥିବା ଶ୍ରୀ ଜୁଏଲାରୀ ମାଲିକ ରମାକାନ୍ତ ମହାରଣା ସୋ’ ରୁମ୍‌ ବନ୍ଦ କରୁଥିଲେ। ଏହି ମସୟରେ ଦୁର୍ବୃତ୍ତ ତାଙ୍କ ଉପରକୁ ବୋମାମାଡ଼ କରିଥିଲେ। ଫଳରେ ରମାକାନ୍ତଙ୍କ ଦୁଇ ଗୋଡ଼ରେ କ୍ଷତ ସୃଷ୍ଟି ହୋଇଥିଲା। ବୋମାମାଡ଼ ପରେ ଦୁର୍ବୃତ୍ତ ସେଠାରୁ ଫେରାର୍‌ ହୋଇଯାଇଥିଲେ। ଖବର ପାଇ ଖାରବେଳନଗର ଥାନା ପୁଲିସ ସେଠାରେ ପହଞ୍ଚି ଆହତ ରମାକାନ୍ତଙ୍କୁ ଉଦ୍ଧାର କରି ପ୍ରଥମେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଓ ପରେ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲା। ତେବେ ଘଟଣାକୁ ୪୮ ଘଣ୍ଟା ବିତିଯାଇଥିଲେ ମଧ୍ୟ ପୁଲିସ ଅପରାଧୀଙ୍କ ପାଖରେ ପହଞ୍ଚି ପାରିନାହିଁ। ଗୋଟିଏ ବାଇକ୍‌ରେ ୨ଜଣ ଦୁର୍ବୃତ୍ତ ଜୁଏଲାରି ନିକଟକୁ ଆସିଥିଲେ। ଆଉ ଲଗାତାର ୨ଟି ବୋମା ମାଡ଼ କରିଥିଲେ। ଯାହାକି ସିସିଟିଭି ଫୁଟେଜ୍‌ରୁ ପୁଲିସ ଜାଣିବାକୁ ପାଇଛି।

ସେହିପରି ଏହି ଘଟଣାର ୨୪ ଘଣ୍ଟା ନ ପୂରୁଣୁ ୧୮ତାରିଖ ବିଳମ୍ବିତ ରାତିରେ ଦୁର୍ବୃତ୍ତ ଲକ୍ଷ୍ମୀସାଗର ଥାନା ଷ୍ଟେସନ୍‌ବଜାର ନିକଟ ପ୍ରଧାନସାହି ବସ୍ତିରେ ବୋମାମାଡ଼ କରିଛନ୍ତି। ବସ୍ତିର ଏସ୍‌. ଚେଲାପତିଙ୍କ ଘର ସମ୍ମୁଖରେ ଦୁର୍ବୃତ୍ତ ବୋମାମାଡ଼ କରିଥିଲେ। ଉଭୟ ଘଟଣାରେ କାରଣ ଏବେ ବି ଅସ୍ପଷ୍ଟ ରହିଛି। ସେମାନେ କିଏ ? କାହିଁକି ବୋମାମାଡ଼ କରିଥିଲେ? ଦାଦାବଟି ପାଇଁ ନା ଗହଣା ଲୁଟ୍‌ ପାଇଁ। ନା ଏହାପଛରେ ଅନ୍ୟ କୌଣସି କାରଣ ରହିଛି ତାହା ଜଣାପଡ଼ି ନାହିଁ।

ଏହା ପୂର୍ବରୁ ମଧ୍ୟ ନିକଟରେ ଅନେକ ବୋମା ମାଡ଼ ଘଟଣା ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ଗତ ଡିସେମ୍ବର ୨୫ ତାରିଖ ରାତିରେ ସହିଦନଗର ଅଞ୍ଚଳରେ ଥିବା ଡଲ୍‌ଫିନ୍‌ ଜୋତା ସୋ’ ରୁମ୍‌, ସେପ୍ଟେମ୍ବରରେ କଟକ ରୋଡ୍‌ରେ ଥିବା ରେନ୍‌ ଦ’ ବାର ଉପରକୁ ବୋମାମାଡ଼ ହୋଇଥିଲା। ଏହାଛଡ଼ା ସାମନ୍ତରାପୁରସ୍ଥିତ ଦୁର୍ଗା ଜୁଏଲାରି, ଡେଲ୍ଟା ଛକରେ ଥିବା ଲକ୍ଷ୍ମୀ ଜୁଏଲାରି, ଦୁଇ ଦୁଇଟି ରାଜନୈତିକ କାର୍ଯ୍ୟାଳୟ ଉପରକୁ ମଧ୍ୟ ବୋମାମାଡ଼ ହୋଇଥିଲା।

ପିପିଲି, ଜଟଣୀରୁ ଆସୁଛି ବୋମା

ଜଟଣୀ ଓ ପିପିଲି ପାଲଟିଛି ବୋମର ଗନ୍ତାଘର। ଯଦିଓ ଭୁଷଣ୍ଢପୁର, ବାଲିପାଟଣା, ତମାଣ୍ଡୋ, ତରାଭୋଇ ଭଳି ଅଞ୍ଚଳରୁ ଅପରାଧୀମାନେ ବୋମା କିଣୁଛନ୍ତି, ହେଲେ ଆଜି ପର୍ଯ୍ୟନ୍ତ ଯେଉଁ ସବୁ ବୋମା ଜବତ ହୋଇଛି ଅଧିକାଂଶ ଜଟଣୀ ଓ ପିପିଲି ଅଞ୍ଚଳର ବୋଲି ଅପରାଧୀମାନେ ସ୍ୱୀକାର କରିଛନ୍ତି। କାରଣ ସେଠାରେ ମିଳୁଥିବା ବୋମାଗୁଡ଼ିକ କମ୍‌ ଦର ଏବଂ ଅଧିକ ପ୍ରଭାବୀ ବୋଲି ଜଣାପଡ଼ିଛି। ଏଭଳି ବୋମା ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ନିକଟରେ ବୋମା ଭିଡ଼ିବା ବେଳେ ଭୁଷଣ୍ଢପୁର ଓ ବାଲିପାଟଣାରେ ଛାତିଥରା ଦୃଶ୍ୟ ଲୋକଙ୍କ ମନରୁ ଲିଭି ନାହିଁ।

ଦାଦାବଟି ପାଇଁ ହେଉଛି ବୋମାମାଡ଼, ଟାର୍ଗେଟ୍‌ରେ ବ୍ୟବସାୟୀ

ବୋମାମାଡ଼ର ମୁଖ୍ୟ କାରଣ ପାଲଟିଛି ଦାଦାବଟି। ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, କମ ସମୟରେ ଅଧିକ ଅର୍ଥ ରୋଜଗାର କରିବା ଲୋଭ ଯୋଗୁ ଦାଦାବଟି ସହଜ ମାଧ୍ୟମ ପାଲଟିଛି। ମୁଖତଃ ସେମାନେ ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ଟାର୍ଗେଟ୍‌ କରୁଛନ୍ତି। ଯେଉଁଥିରେ ବଡ଼ ବଡ଼ ବିଲ୍‌ଡର ସଂସ୍ଥା ଠାରୁ ଆରମ୍ଭ କରି ଗହଣା ଦୋକାନ, ରେସ୍ତୋରାଁ, ବାର୍‌, ମଲ, କାର ସୋରୁମ୍‌ ଭଳି ସ୍ଥାନକୁ ନିଜର ରୋଜଗାର ପନ୍ଥା ବନାଇଛନ୍ତି। ପତିଆରା ଦେଖାଇବା ପାଇଁ ଅପରାଧୀ ଗ୍ରୁପ ବନାଇ ସଂସ୍ଥାର ମାଲିକଙ୍କୁ ଦାଦାବଟି ମାଗୁଛନ୍ତି। ଯେଉଁମାନେ ସେମାନଙ୍କ କଥାରେ ରାଜି ହେଉ ନାହାନ୍ତି ସୋନଙ୍କୁ ବିଭିନ୍ନ ଉପାୟରେ ଧମକାଇବା ଏମିତିକି ବୋମାମାଡ଼ କରି ସେମାନଙ୍କ ଟାର୍ଗେଟ ହାସଲ କରୁଛନ୍ତି। ଏହାଛଡ଼ା ପୂର୍ବ ଶତ୍ରୁତା ଓ ରାଜନୈତିକ କାରଣ ଯୋଗୁଁ କେତେକ ସ୍ଥାନରେ ଏଭଳି ଘଟଣା ଘଟୁଥିବା ନଜିର ରହିଛି ବୋଲି ପୁଲିସ ଅଧିକାରୀ ଜଣଙ୍କ କହିଛନ୍ତି।

ସମ୍ବନ୍ଧିତ ଖବର