ବୋମାମାଡ଼ ଘଟଣା: ବାପ ଗିରଫ, ପୁଅ ଫେରାର୍‌

ଭୁବନେଶ୍ବର: ଝାରପଡ଼ା ବୋମାମାଡ଼ ଘଟଣାର ଦୁଇଦିନ ପରେ ଲକ୍ଷ୍ମୀସାଗର ଥାନା ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଲା, ଏକ୍କା ସାହୁ(୫୨)। ଅନ୍ୟତମ ଅଭିଯୁକ୍ତ ପୁଅ ବଟ ଏବେ ବି ଫେରାର୍‌ ଅଛି। ପୁଲିସ ତା’ ଟେର୍‌ ପାଉନାହିଁ।
ସୂଚନା ମୁତାବକ, ସ୍ଥାନୀୟ ଅଞ୍ଚଳର ସାଜନ ଖାଁ ଏକ୍କାଙ୍କ ଇଟା ଯୋଡ଼େଇ କାମ କରୁଥିଲେ। ତେବେ ସେ ତାଙ୍କ ମଜୁରି ନ ଦେବାରୁ କାମକୁ ଆସି ନଥିଲେ। ଯାହାକୁ ନେଇ ୨୨ ତାରିଖ ଦିନ ପାଟିତୁଣ୍ଡ ହୋଇଥିଲା। ପରଦିନ ଅପରାହ୍‌ଣ ପାଖାପାଖି ୩ଟାରେ ବଟ ସାଜନଙ୍କୁ ଫୋନ୍‌ କରି ଗାଳିମନ୍ଦ କରିଥିଲେ। ରାଗରେ ସାଜନ, ତାଙ୍କ ମା’ ଏବଂ ୩ରୁ ୪ଜଣ ସମର୍ଥକ ବଟଙ୍କ ଘର ନିକଟକୁ ଆସି ବାହାରକୁ ଆସିବାକୁ ଡାକିଥିଲେ। ଘର ତଳେ ଏଭଳି ସ୍ଥିତି ଦେଖି ବଟ ଓ ତାଙ୍କ ବାପା ଉତ୍ତ୍ୟକ୍ତ ହୋଇ ଛାତ ଉପରୁ ସାଜନ ଓ ତାଙ୍କ ମା’ଙ୍କ ଉପରକୁ ବୋମାମାଡ଼ କରିଥିଲେ।

ସୌଭାଗ୍ୟବଶତଃ ବୋମା ସେମାନଙ୍କ ଉପରେ ନପଡ଼ି ରାସ୍ତାରେ ପଡ଼ିଥିଲା। ହେଲେ ପ୍ରଚଣ୍ଡ ଶବ୍ଦ ଯୋଗୁଁ ମା’ ପୁଅ ତଳେ ପଡ଼ି ଯାଇଥିଲେ। ଯାହାକୁ ନେଇ ସେଠାରେ ଉତ୍ତେଜନା ସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ବାପ ପୁଅ ବୋମାମାଡ଼ କରି ଫେରାର ହୋଇଯାଇଥିଲେ। ପୁଲିସ ଆହତଦ୍ବୟଙ୍କୁ ଉଦ୍ଧାର କରି ହସ୍ପିଟାଲ୍‌ ପଠାଇବା ପରେ ସ୍ଥିତି ଆୟତ୍ତ ହୋଇଥିଲା। ଏନେଇ ସାଜନ ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ଆଜି ପୁଲିସ ଏକ୍କାକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର