ଭୁବନେଶ୍ବର: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ସମ୍ମୁଖ ଜୋତା ସୋ’ରୁମ୍ ଡଲ୍ଫିନ୍ ଉପରେ ବୋମାମାଡ଼ କରିଥିବା ୪ ଅଭିଯୁକ୍ତଙ୍କୁ ସହିଦନଗର ଥାନା ପୁଲିସ ଗିରଫ କରିଛି। ସେମାନେ ହେଲେ ଝାରପଡ଼ାର କାହ୍ନା ମଙ୍ଗରାଜ, ମୀର୍ ରିଆଉଦ୍ଦିନ୍, ରସୁଲଗଡ଼ର ବିଶାଲ୍ ଶ୍ରୀଚନ୍ଦନ ଓ ଜିଜିପି କଲୋନିର ରାହୁଲ୍ କୁମାର ସାହୁ। ଅଭିଯୁକ୍ତମାନେ କଲେଜ ଛାତ୍ର ବୋଲି ପୁଲିସ କହିଛି। ସୋ’ରୁମ୍ ସମ୍ମୁଖରେ ଖଟିକୁ ବିରୋଧ କରିବାରୁ ମାଲିକଙ୍କ ଉପରେ ରାଗ ସୁଝାଇବାକୁ ଯାଇ ଅଭିଯୁକ୍ତମାନେ ବୋମାମାଡ଼ କରିଥିବା ଜଣାପଡ଼ିଛି। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।
ଏସିପି ସଂଜୀବ ଶତପଥୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ ଉକ୍ତ ସୋ’ରୁମ୍ ସମ୍ମୁଖରେ ଅଭିଯୁକ୍ତମାନେ ସବୁଦିନ ସନ୍ଧ୍ୟାରେ ଖଟି କରୁଥିଲେ। ସୋ’ରୁମ୍ ମାଲିକ ପ୍ରତ୍ୟୁଷ ଖଣ୍ଡାୟତଙ୍କ ପୁଅ ସେମାନଙ୍କୁ ବିରୋଧ କରିବାରୁ ପୂର୍ବରୁ ବିବାଦ ଥିଲା। କିଛି ଦିନ ତଳେ ଅଭିଯୁକ୍ତମାନଙ୍କ ସହିତ ଯୁକ୍ତିତର୍କ ହୋଇଥିଲା। ସେହି ରାଗରେ ଗତକାଲି ସଂଧ୍ୟାବେଳେ ସେମାନେ ପ୍ରଥମେ ସୋ’ରୁମ ଉପରକୁ ଟେକା ଫିଙ୍ଗିବା ସହ ଏକ ବୋମାମାଡ଼ କରିଥିଲେ। ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ତେବେ ଯାଞ୍ଚ ବେଳେ ଜଣାପଡ଼ିଲା ଯେ ବୋମା ନୁହେଁ, ଅଭିଯୁକ୍ତମାନେ ଏକ ବାଣ ଫୋପାଡ଼ି ଥିଲେ। ଅନ୍ୟପକ୍ଷରେ ଆଜି ଏକାଧିକ ବ୍ୟବସାୟୀ ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ସୋ’ରୁମ୍ ଆଗରେ ସକାଳ ୧୦ଟାରୁ ରାତି ୧୨ଟା ପର୍ଯ୍ୟନ୍ତ କେତେକ ଯୁବକ ଖଟି ଜମାଇବା ସହ ଯୁବତୀ ଓ ମହିଳାମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଛନ୍ତି। ଫଳରେ ସେମାନଙ୍କ ବ୍ୟବସାୟରେ କ୍ଷତି ହେଉଛି। ତେଣୁ ପୁଲିସ ସଂଧ୍ୟା ସମୟରେ ସେଠାରେ ପାଟ୍ରୋଲିଂ କରିବାକୁ ସେମାନେ ଦାବି କରିଛନ୍ତି।