ଖଣ୍ଡଗିରି: ଗତ ବୁଧବାର ବିଳମ୍ବିତ ରାତିରେ ଭରତପୁର ଥାନା ଅନ୍ତର୍ଗତ ଶ୍ୟାମପୁର ଓ ଘାଟିକିଆ ଅଞ୍ଚଳରେ ଦୁର୍ବୃତ୍ତମାନେ ଏକ ବ୍ୟବସାୟିକ ସଂସ୍ଥାର କାର୍ଯ୍ୟାଳୟ ସହ ମାଲିକଙ୍କ ଘର ଉପରକୁ ବୋମାମାଡ଼ କରିଥିଲେ। ଏନେଇ ଥାନାରେ ଅଭିଯୋଗ ପରେ ଭରତପୁର ଥାନା ପୁଲିସ ତଦନ୍ତ କରି ଘଟଣାରେ ସମ୍ପୃକ୍ତ ୨ଜଣଙ୍କୁ କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ବାଘମାରି ଶାଳୁଆ ଗ୍ରାମର ଶ୍ରୀକାନ୍ତ ସାହୁ(୨୫) ଓରଫ ଟନି ଓ ନୟାଗଡ଼ ଜିଲ୍ଲା ଶରଣକୁଳ ଗ୍ରାମର ଚନ୍ଦନ ନାୟକ (୨୭) ଓରଫ ନନ୍ଦୁ। ବ୍ୟବସାୟକୁ କେନ୍ଦ୍ରକରି ଏହି ବୋମାମାଡ଼ ହୋଇଥିଲା।
ଅଭିଯୋଗ ମୁତାବକ, ଘାଟିକିଆ ଅଞ୍ଚଳର ଦୀପକ ମହାରଣା ସମ୍ ହସ୍ପିଟାଲ୍ ଛକ ନିକଟରେ ଏକ ସେଲ୍ଫ ଡ୍ରାଇଭ୍ ଜୋନ୍ କମ୍ପାନି ଆରମ୍ଭ କରିଥିଲେ। ଏହି କମ୍ପାନି ଗ୍ରାହକଙ୍କୁ ଭଡ଼ାସୂତ୍ରରେ କାର୍ ଦେଉଥିଲା। ପ୍ରାୟ ବର୍ଷେ ତଳେ ଟନି ଏକ ଲକ୍ଷ ଟଙ୍କା ବିନିଯୋଗ କରି ଦୀପକଙ୍କ କମ୍ପାନିର ଅଂଶୀଦାର ପାଲଟିଥିଲା। ପୂର୍ବରୁ ଟନିର କିଛି ଗ୍ରାହକ ଚିହ୍ନା ଥିବାରୁ ବ୍ୟବସାୟ ମଧ୍ୟ ଭଲ ଚାଲିଥିଲା। ତେବେ ପ୍ରାୟ ଛଅମାସ ତଳେ ଟନି ନିଜର କିଛି ସାଙ୍ଗସାଥୀଙ୍କୁ ଡାକି କମ୍ପାନି କାର୍ଯ୍ୟାଳୟ ପରିସରରେ ଅସାମାଜିକ କାର୍ଯ୍ୟକଳାପ ଆରମ୍ଭ କରିଥିଲା। ଏନେଇ ଦୀପକ ଟନିକୁକମ୍ପାନିରୁ ବହିଷ୍କାର କରିଥିଲେ। ଏନେଇ ପ୍ରତିଶୋଧ ନେବ ବୋଲି ଟନି ଧମକ ଦେଇଥିଲା।
ଗତ ୧୮ ତାରିଖ ବିଳମ୍ବିତ ରାତିରେ ନିଜର ତିନିଜଣ ସହଯୋଗୀଙ୍କ ସହିତ ମିଶି ଟନି ଘନଘନ ବୋମାମାଡ଼ କରିଥିଲା। ଏଥିରେ ଦୀପକଙ୍କର ଘର ଓ କମ୍ପାନିର ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ସିସିଟିଭିରେ ବୋମାମାଡ଼ର ସମସ୍ତ ଦୃଶ୍ୟ କଏଦ ହୋଇଥିଲା। ଏନେଇ ଦୀପକ ଭରତପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଆଜି ଟନି ଓ ତା’ର ସହଯୋଗୀ ନନ୍ଦୁକୁ ଗିରଫ କରିଛି। ଟନି ନାଁରେ ରାଜଧାନୀର ବିଭିନ୍ନ ଥାନାରେ ୫ଟି ଓ ନନ୍ଦୁ ନାଁରେ ୩ଟି ଅପରାଧିକ ମାମଲା ରହିଛି। ଏହି ମାମଲାର ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ଲାଗି ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।