ଜେଲରୁ ଫେରି ବୋମା ମାଡ କଲେ ବ୍ରାଉନ୍‌ସୁଗାର ବ୍ୟବସାୟୀ: ପଥରବନ୍ଧ ବସ୍ତିରେ ଆତଙ୍କ

ଭୁବନେଶ୍ୱର: ଭୁବନେଶ୍ୱର ପଥରବନ୍ଧ ବସ୍ତିରେ ଜଣେ ବ୍ୟକ୍ତିଙ୍କ ଘର ଉପରେ ସିରିଜ ବୋମା ମାଡ଼ ହୋଇଛି। ଘର ଉପରକୁ ଏକାଧିକ ବୋମା ଫିଙ୍ଗି ଦୁର୍ବୃତ୍ତ ଘଟଣାସ୍ଥଳରୁ ଚମ୍ପଟ ହୋଇଯାଇଛନ୍ତି। ପୂର୍ବ ଶତ୍ରୁତାରୁ କେନ୍ଦ୍ର କରି ବୋମା ମାଡ଼ ହୋଇଥିବା ସନ୍ଦେହ କରାଯାଇଛି। ଏହି ବୋମା ମାଡ଼ରେ କାହାର କିଛି କ୍ଷତି ହୋଇ ନଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ମଙ୍ଗଳବାର ଅଭିଯୁକ୍ତ ପ୍ରକାଶ ବିଷୋୟୀ ନିଜ ସହଯୋଗୀଙ୍କ ସହ ପଥରବନ୍ଧ ବସ୍ତିରେ ବସବାସ କରୁଥିବା ମନୁଙ୍କ ଘରକୁ ଆସି ତାଙ୍କୁ ଡାକିଥିଲା। ମନୁ ଘରୁ ବାହାରିବା ପରେ ପ୍ରକାଶ ପ୍ରଥମେ କ୍ଷମା ମାଗିଥିଲା। ପରେ ପୂର୍ବ କଥାକୁ ନେଇ ତାଙ୍କ ସହ ଝଗଡ଼ା କରିଥିଲା। ମନୁ ଘର ଭିତରକୁ ପଳାଇବା ପରେ ପ୍ରକାଶ ତାଙ୍କ ଘର ଉପରକୁ ଏକାଧିକ ବୋମା ଫିଙ୍ଗି ସହଯୋଗୀଙ୍କ ସହ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଖବର ପାଇବା ପରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଛିଦିନ ତଳେ ମନୁ ଓ ବସ୍ତିର କିଛି ଲୋକ ବ୍ରାଉନସୁଗାର କାରବାର କରୁଥିବା ଅଭିଯୁକ୍ତ ପ୍ରକାଶ ବିଷୋୟୀକୁ ପୁଲିସ୍‌ ହାତରେ ଧରାଇ ଦେଇଥିଲେ। ଏହା ପରେ ପ୍ରକାଶକୁ ଜେଲ ହୋଇ ଯାଇଥିଲା। କିଛିଦିନ ପୂର୍ବେ ପ୍ରକାଶ ଜେଲରୁ ବାହାରିଥିଲା। ପ୍ରକାଶ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏପରି କାଣ୍ଡ କରୁଥିବା କଥା କୁହାଯାଉଛି।

ସମ୍ବନ୍ଧିତ ଖବର