ବମିଖାଲରୁ କରୋନା ଆକ୍ରାନ୍ତ ବାହାରିଲେ ପରେ ବହୁ ଭଡ଼ାଟିଆ ଛୁ

ଭୁବନେଶ୍ବର : ବମିଖାଲ ଏବେ ରାଜଧାନୀର ସୁପର ହଟସ୍ପଟ୍‌ ପାଲଟିଛି। ଏଠାରୁ ସର୍ବାଧିକ ୧୮ଜଣ କରୋନା ଆକ୍ରାନ୍ତ ବାହାରିଥିବା ବେଳେ ସତ୍ୟନଗରରେ ଚିହ୍ନଟ ହୋଇଥିବା ୪ଜଣ ବି ଏହି ଅଞ୍ଚଳର ଲୋକଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିଲେ।ଏପଟେ ୧୫ଦିନ ହେଲା ବମିଖାଲ ଅଞ୍ଚଳକୁ ସିଲ୍‌ କରି ଦିଆଯାଇଛି। ଲୋକମାନେ ବହୁ ଅସୁବିଧାରେ ଅଛନ୍ତି। ଜିନିଷ ସରିଗଲେ ବି ଘରୁ ବ‌ାହାରି ପାରୁ ନାହାନ୍ତି। କାଳେ କେହି କରୋନା ଆକ୍ରାନ୍ତ ବୁଲୁଥିବେ ଆଉ ସଂସ୍ପର୍ଶରେ ଆସିଲେ କରୋନା ହୋଇଯିବ ସେହି ଭୟ ସମସ୍ତଙ୍କୁ ଘାରିଛି।

ସବୁଠୁ ଆଶ୍ଚର୍ଯ୍ୟର ବିଷୟ, ବମିଖାଲ ଅଞ୍ଚଳରୁ ଅଧିକାଂଶ ଭଡ଼ାଟିଆ ଘର ଛାଡ଼ି ପଳାଇଛନ୍ତି। ପ୍ରଥମେ ଯେତେବେଳେ ୩ଜଣ କରୋନା ଆକ୍ରାନ୍ତ ବାହାରିଲେ, ସେହି ଦିନରୁ ଭଡ଼ାଟିଆଙ୍କ ଘର ଛାଡ଼ିବା ଆରମ୍ଭ ହୋଇଯାଇଥିଲା। ଏପରିକି ଯେଉଁଦିନ ଏକସଙ୍ଗେ ୧୦ରୁ ଅଧିକ କରୋନା ଆକ୍ରାନ୍ତ ବାହାରିଲେ, ଆଉ ସ୍ବାସ୍ଥ୍ୟ ବିଭାଗ ଟୁଇଟ୍‌ କରି କହିଲା ଯେ ୧୫ଜଣ କରୋନା ଆକ୍ରାନ୍ତ ବମିଖାଲ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି, ସେହି ରାତିରେ ହିଁ ଜୟଦୁର୍ଗାନଗର ଅଞ୍ଚଳରୁ ବହୁ ଭଡ଼ାଟିଆ ରାତାରାତି ଘର ଛାଡ଼ି ପଳାଇଥିଲେ। ଏବେ ସ୍ଥିତି ଏପରି ହୋଇଛି ଯେ କାଁ ଭାଁ ଘରେ ଭଡ଼ାଟିଆ ଅଛନ୍ତି। ଯେଉଁ ଘରେ ବରିଷ୍ଠ ଲୋକମାନଙ୍କ ସୁଖଦୁଃଖରେ ଭଡ଼ାଟିଆମାନେ ଛିଡ଼ା ହେଉଥିଲେ, ଏବେ ସେଭଳିଆ ଘର ମାଲିକମାନେ ଅଡ଼ୁଆରେ ପଡ଼ି ଯାଇଛନ୍ତି। ପାଖରେ ପିଲା ଛୁଆ ନ ଥିବାକୁ ଭଡ଼ାଟିଆ ବି ନାହାନ୍ତି।

ଅପରପକ୍ଷେ ଅଧିକ ‌କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କେତେକ ଘର ମାଲିକ ଭଡ଼ାଟିଆଙ୍କୁ ଘରୁ ବାହାରିବା ଉପରେ ପ୍ରତିବନ୍ଧକ ଲଗାଇ ଥିଲେ। ବାହାରକୁ ଗଲେ ଘରେ ପୂରାଇବେନି ବୋଲି କହିଥିଲେ। ଏହାପରେ ବହୁ ଭଡ଼ାଟିଆ ରାତାରାତି ଘରୁ ପଳାଇଥିଲେ। ଲକ୍‌ଡାଉନ୍ ଯୋଗୁଁ ଦିନବେଳା ସହରରେ ପୁଲିସ ଛାଉଣି ହୋଇଥିବାରୁ ରାତାରାତି ସହର ଛାଡ଼ି ପଳାଇଥିଲେ। ଜୟଦୁର୍ଗାନଗରର ବାସିନ୍ଦ‌ା ଭବାନୀ ଶଙ୍କର ନନ୍ଦ କହିଛନ୍ତି ଯେ ତାଙ୍କ ଘରୁ ଭଡ଼ାଟିଆ ପଳାଇଛନ୍ତି। ପୂର୍ବରୁ ବିପଦ ଆପଦରେ ସେମାନେ ଛିଡ଼ା ହେଉଥିଲେ, ହେଲେ ଏବେ କେହି ନାହାନ୍ତି। ଆମ ଅଞ୍ଚଳରେ ଅଧିକାଂଶଙ୍କ ଘରୁ ଭଡ଼ାଟିଆ ପଳାଇଛନ୍ତି। ଯେ କେହି ଥିଲେ, ଗତ ୭/୮ଦିନ ଭିତରେ ସେମାନେ ପଳାଇଲେ। ଆମ ଅଞ୍ଚଳ ସିଲ୍‌ ହେବା ପରେ ବହୁ ଅତ୍ୟାବଶ୍ୟକ ସାମଗ୍ରୀ ଠିକ୍ ଭାବେ ଆସୁ ନ ଥିଲା। ଆଉ ହଠାତ ଏତେସଂଖ୍ୟକ ଆକ୍ରାନ୍ତ ବାହାରିବାରୁ ସେମାନେ ଭୟରେ ଘର ଛାଡ଼ି ରାତାରାତି ପଳାଇଛନ୍ତି। ଘର ମାଲିକମାନେ ତ ଘର ଛାଡ଼ି ଯାଇପାରିବେନି, ତେଣୁ ଅସୁବିଧା ସତ୍ତ୍ବେ ବି ଘରେ ରହିଛନ୍ତି।

ଶ୍ରୀ ନନ୍ଦ କହିଛନ୍ତି ଯେ ଭଡ଼ାଟିଆ ଘର ଛାଡ଼ିକି ଯିବା ଆମ ପାଇଁ ଯେତିକି ଚିନ୍ତାଜନକ ନୁହେଁ, ତା’ଠାରୁ ଅଧିକ ବିପଜ୍ଜନକ ସାଧାରଣ ଲୋକଙ୍କ ପାଇଁ। କାରଣ ଯେଉଁ ଭଡ଼ାଟିଆମାନେ ବମିଖାଲ ଅଞ୍ଚଳରୁ ଯାଇ ବିଭିନ୍ନ ଗାଁ ଗଣ୍ଡା‌ରେ ଅଛନ୍ତି, ସେମାନଙ୍କର କୋଭିଡ୍-୧୯ ପରୀକ୍ଷା କରାଯାଇନି। କୌଣସି ଲକ୍ଷଣ ନ ଥାଇ ବି କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ଏହି ଭଡ଼ାଟିଆମାନେ ଯେ କରୋନା ଆକ୍ରାନ୍ତ ହୋଇନଥିବେ କହି ହେବନି। ଏମାନେ ଯଦି କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବେ, ତେବେ ସେମାନଙ୍କର କୋଭିଡ୍‌-୧୯ ପଜିଟିଭ୍ ନ ବାହାରିବ ବୋଲି କହି ହେବନି। ତେଣୁ ରାଜ୍ୟ ସରକାର ବମିଖାଲ ଅଞ୍ଚଳରୁ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଯାଇଥିବା ଭଡ଼ାଟିଆଙ୍କ ପାଇଁ କିଛି ଯୋଜନା କରନ୍ତୁ। କେବଳ ବମିଖାଲ ଅଞ୍ଚଳ ନୁହେଁ, ରାଜଧାନୀର ବିଭିନ୍ନ ଅଞ୍ଚଳରୁ ଏବେ ଭଡ଼ାଟିଆ ଘର ଛାଡ଼ି ଗାଁକୁ ପଳାଇଛନ୍ତି। ଏପରିକି ଯେଉଁମାନେ ପୂର୍ବରୁ ଗାଁକୁ ଯାଇଥିଲେ, ସେମାନଙ୍କୁ ଏବେ ଘରେ ନ ପୂରାଇବାକୁ ଘର ମାଲିକମାନେ କହି ଦେଇଛନ୍ତି। ଲକଡାଉନ୍‌ ଉଠିବାର ୧୫ ଦିନ ପରେ ଘରକୁ ଆସିବାକୁ କହିଛନ୍ତି।

ଅପରପକ୍ଷେ ଯେଉଁମାନେ ଭୁବନେଶ୍ବରରୁ ଭଡ଼ା ଘର ଛାଡ଼ି ଗାଁକୁ ପଳାଉଛନ୍ତି, ସେଥିରୁ କିଛି ଲୋକଙ୍କୁ ସେମାନଙ୍କ ଗାଁରେ ସଙ୍ଗରୋଧ ଅବସ୍ଥାରେ ରଖାଯିବା ପରେ ଘରକୁ ଛଡ଼ା ଯାଉଛି। କିନ୍ତୁ ଅନେକ ବିନା ସଙ୍ଗରୋଧ‌ରେ ବି ସର୍ବସାଧାରଣରେ ମିଳାମିଶା କରୁଛନ୍ତି।

ସମ୍ବନ୍ଧିତ ଖବର