ଭୁବନେଶ୍ୱର : ଆଶା ଆଶଙ୍କା ଭିତରେ ଆଜିଠାରୁ ପୁଣିଥରେ ଆରମ୍ଭ ହୋଇଛି ବମିଖାଲ ଓଭରବ୍ରିଜ୍ କାମ। ଯେଉଁ ସ୍ଥାନରେ ସ୍ପାନ୍ ଭୁଶୁଡ଼ି ଥିଲା ସେଠାରେ ହିଁ ଆଜି ସକାଳେ ପୂଜାର୍ଚ୍ଚନା କରାଯିବା ପରେ ନିର୍ମାଣକାରୀ ସଂସ୍ଥା ପଣ୍ଡା ଇନଫ୍ରା ପ୍ରୋଜେକ୍ଟ କାର୍ଯ୍ୟ ଆରମ୍ଭ କରିଛି। ଏହି ସମୟରେ ସମ୍ପୃକ୍ତ ସଂସ୍ଥାର ଅଧିକାରୀଙ୍କ ସମେତ ସ୍ଥାନୀୟ ବାସିନ୍ଦା ଓ କର୍ପୋରେଟର ଉପସ୍ଥିତ ଥିଲେ। ଆସନ୍ତା ୬ ମାସ ଭିତରେ ଅର୍ଥାତ ମାର୍ଚ ମାସ ସୁଦ୍ଧା କାମ ଶେଷ କରିବାକୁ ଲକ୍ଷ୍ୟ ରଖା ଯାଇଥିବାବେଳେ ଏ ନେଇ ସମସ୍ତେ ଆଶାବାଦୀ ଅଛନ୍ତି।
ଓଭରବ୍ରିଜ୍ କାର୍ଯ୍ୟ ୨୦୧୦ରେ ଆରମ୍ଭ ହୋଇ ୨୦୧୩ ସୁଦ୍ଧା ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଥିଲା। ଏଥିପାଇଁ ୧୪ କୋଟି ଟଙ୍କା ଅଟକଳ ବି ହୋଇଥିଲା। କିନ୍ତୁ ହୋଇପାରି ନ ଥିଲା। ୨୦୧୨ରେ ପୁଣିଥରେ କାର୍ଯ୍ୟ ଆରମ୍ଭ କରି ୨୦୧୪ ଶେଷ ସୁଦ୍ଧା ସାରିବାକୁ ପୁଣିଥରେ ଲକ୍ଷ୍ୟ ରଖାଯାଇଥିଲା। ତାହା ବି ପୂରଣ ହୋଇପାରିଲା ନାହିଁ। ବରଂ ନିର୍ମାଣ ଖର୍ଚ୍ଚ ବଢ଼ିଚାଲିଲା। ୧୪ କୋଟିର ଏହି ଓଭରବ୍ରିଜ୍ର ଖର୍ଚ୍ଚ ଅଟକଳ ୨୮କୋଟିରେ ପହଞ୍ଚିଥିଲା। ୨୦୧୮ ମାର୍ଚ୍ଚରେ ଶେଷ କରିବା ଲକ୍ଷ୍ୟରେ କାର୍ଯ୍ୟ ଚାଲିଥିବା ବେଳେ ଗତ ସେପ୍ଟେମ୍ବର ୧୦ ତାରିଖରେ ଏକ ସ୍ପାନ୍ ଭୁଶୁଡ଼ି ପଡ଼ିଥିଲା। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଆହତ ହୋଇଥିଲେ।
ଗତ ଦୁଇ ମାସ ହେଲା ଏହାର କାର୍ଯ୍ୟ ବନ୍ଦ ହୋଇ ପଡ଼ିରହିଥିଲା। ଘଟଣାର ତଦନ୍ତ ଲାଗି କମିଟି ଗଠନ କରାଯିବା ସହ ସମ୍ପୃକ୍ତ ସଂସ୍ଥା ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଗତ ମାସରେ ଯେଉଁ ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କୁ ଦିଆଯାଇଥିଲା ସେଥିରେ କୁହାଯାଇଥିଲା ଯେ ଓଭରବ୍ରିଜ୍ର ସ୍ଲାବ୍ ପକାଇବା ଲାଗି ସେଣ୍ଟ୍ରିଂର ଡିଜାଇନ୍କୁ ମଞ୍ଜୁରି ଦେବା ପାଇଁ ପୂର୍ତ୍ତ ବିଭାଗର ଅନୁମତି ଲୋଡ଼ାଯାଇ ନ ଥିଲା। ବ୍ରିଜ୍ ଭୁଶୁଡ଼ିବା ଦିନ କାର୍ଯ୍ୟସ୍ଥଳରେ ନିୟୋଜିତ ଯନ୍ତ୍ରୀମାନେ ମଧ୍ୟ ଠିକାଦାରଙ୍କୁ ତାଗିଦ୍ କରି ନ ଥିଲେ। ଠିକା ସଂସ୍ଥା ଓଭରବ୍ରିଜ୍ ନିର୍ମାଣ ପାଇଁ ଉଦ୍ଦିଷ୍ଟ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିୟୋର(ଏସ୍ଓପି) ପାଳନ କରି ନ ଥିଲା। ଯେଉଁଥିପାଇଁ ଏତେ ବଡ଼ ଦୁର୍ଘଟଣା ଘଟିଲା।
୮୪୪ ମିଟର ଲମ୍ବର ଏହି ଏହି ଓଭରବ୍ରିିଜ୍ରେ ୭୫ଟି ସ୍ପାନ୍ ନିର୍ମାଣ ହେବାକୁ ଥିବା ବେଳେ ସେଥିମଧ୍ୟରୁ ୬୦ଟି ସ୍ପାନ୍ ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ଆହୁରି ୧୫ଟି ବାକି ରହିଛି। ବମିଖାଲ-ସହିଦନଗର ଲେବୁଲ୍ କ୍ରସିଙ୍ଗ୍ରୁ ରସୁଲଗଡ଼ ପର୍ଯ୍ୟନ୍ତ ହେବାକୁ ଥିବା ୩୯ ଟି ସ୍ପାନ୍ରୁ ୩୩ଟି କାମ ସରଥିବା ବେଳେ ଆଉ ୬ ଟି ବାକି ରହିଛି। ସେହିପରି କଳ୍ପନା ଆଡ଼କୁ ଯାଇଥିବା ପାର୍ଶ୍ୱରେ ଆହୁରି ୯ଟି ସ୍ପାନ୍ ବାକି ରହିଛି। ଏହି କାର୍ଯ୍ୟକୁ ଆସନ୍ତା ୬ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/bomikhal.jpeg)