କାମକୁ ନୁହଁ ବମିଖାଲ ଓଭରବ୍ରିଜ୍‌, ଥରେ ଗଲେ ଆଉ ଥରେ ଯିବାକୁ ଡରୁଛନ୍ତି

ବ୍ରିଜ୍ ଉପରେ ଭିଡ଼ ଜମୁଛି, ଲୋକ ରଙ୍ଗ ରୁଟ୍‌ରେ ଆସୁଛନ୍ତି

ଭୁବନେଶ୍ବର: ଦୀର୍ଘ ୭ବର୍ଷ ଧରି ୪୪କୋଟି ବ୍ୟୟରେ ସହିଦନଗର- ବମିଖାଲ ରେଲୱେ ଓଭରବ୍ରିଜ୍‌ ନିର୍ମାଣ ହେଲା। ହେଲେ ଏହା ରାଜଧାନୀବାସୀଙ୍କ ସମସ୍ୟା ଦୂର କରିବାରେ ବିଫଳ ହେଲାଣି। କଟକରୋଡ୍‌ ପାର୍ଶ୍ବରୁ ସହିଦନଗରକୁ ଏବଂ ସହିଦନଗରରୁ କଟକରୋଡ୍‌କୁ ଯାତାୟାତ କରୁଥିବା ଲୋକଙ୍କ ପାଇଁ ଆଉ ଲେଭେଲ୍‌ କ୍ରସିଂ ନିକଟରେ ୫ରୁ ୧୦ମିନିଟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁନି। କିନ୍ତୁ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିବାକୁ ଅଧିକ ଅଧା କିଲୋମିଟର ବୁଲିବାକୁ ପଡ଼ୁଛି। ଓଭରବ୍ରିଜ୍‌ ଯୋଗୁଁ ପ୍ରତିଦିନ କଟକ ରୋଡ୍‌ରେ ଦୁର୍ଘଟଣା ଘଟୁଥିବାରୁ ୪୪କୋଟି ପାଣିରେ ପଡ଼ିଲା ବୋଲି ଏବେ କୁହାଗଲାଣି। କେହି କହି ଏହି ଓଭର ବ୍ରିଜ୍‌ କୋଉ କାମକୁ ନୁହେଁ ବୋଲି କହୁଛନ୍ତି। ଓଭରବ୍ରିଜ୍ ଉପରେ ପ୍ରତିଦିନ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିବାବେଳେ ଟ୍ରାଫିକ ବ୍ୟବସ୍ଥା ପୂରା ବିପର୍ଯ୍ୟସ୍ତ ହୋଇଯାଇଛି। ପୂର୍ତ୍ତ ବିଭାଗର ଭୁଲ୍ ଡିଜାଇନ୍ ଯୋଗୁଁ ଏବେ ଏହି ରେଲୱେ ଓଭରବ୍ରିଜ୍‌ ଲୋକଙ୍କ ସମସ୍ୟା ଦୂର କରିବା ବଦଳରେ ବଢ଼ାଇ ଦେଇଛି। ଓଭରବ୍ରିଜ୍‌ ନେଇ ଯାହା ଡ୍ରଇଁ ଥିଲା ସେଥିରେ ଠିକା ସଂସ୍ଥା ମନଇଚ୍ଛା ପରିବର୍ତ୍ତନ କରିଦେଇଥିବାରୁ ସସମ୍ୟା ବଢ଼ାଉଛି ବୋଲି ଅଭିଯୋଗ କରାଯାଉଛି।

ଏହି ଓଭରବ୍ରିଜ୍‌ ୱାନ୍‌ ୱେ ଥିବାବେଳେ ଏଥିରେ ବମିଖାଲରୁ ସହିଦନଗର ଏବଂ ସହିଦନଗରରୁ ରସୁଲଗଡ଼ ଦିଗକୁ ଯିବା ପାଇଁ ସୂଚନା ଫଳକ ଲାଗିଛି। କିନ୍ତୁ ଏହାକୁ ଲୋକ ମାନିବାକୁ ନାରାଜ। କାରଣ ସହିଦନଗରରୁ ବମିଖାଲ ଦିଗକୁ ଆସିବାକୁ ଥିବା ଲୋକଙ୍କୁ ଓଭରବ୍ରିଜ୍‌ ଉପରେ ଚଢ଼ିବା ପରେ ରସୁଲଗଡ଼ରେ ଦିଗରେ ଯିବାକୁ ପଡ଼ୁଛି। ଏସ୍‌ପ୍ଲାନେଡ୍ ମଲ୍‌ ସମ୍ମୁଖରେ ଓହ୍ଲାଇ ୟୁଟର୍ଣ୍ଣ ନେଇ ପୁଣି ବ୍ରିଜ୍‌ କଡ଼କଡ଼େ ବମିଖାଲ ବା କଳ୍ପନା ଦିଗରେ ଆସିବାକୁ ପଡ଼ୁଛି। ତେଣୁ ‌ସହିଦନଗରରୁ ବମିଖାଲ ଓ କଳ୍ପନା ଦିଗରେ ଆସୁଥିବା ଲୋକ ମଝି ବ୍ରିଜ୍‌ରେ ବାମକୁ ନବୁଲି ଡାହାଣ ପାର୍ଶ୍ବରେ ବମିଖାଲକୁ ଯାଉଛନ୍ତି। ଏଠାରେ ଏକ ଡିଭାଇଡର୍‌ ନିର୍ମାଣ ହୋଇଥିବାରୁ ବମିଖାଲ ପାର୍ଶ୍ବରୁ ଆସୁଥିବା ଗାଡ଼ି ଏବଂ ସହିଦନଗର ପାର୍ଶ୍ବରୁ ଆସୁଥିବା ଗାଡ଼ି ମୁହାଁମୁହିଁ ହେଉଥିବାରୁ ଭିଡ଼ ଜମୁଛି। ଅନୁରୂପ ସମସ୍ୟା ସହିଦନଗରରୁ ରସୁଲଗଡ଼ ଦିଗକୁ ଆସୁଥିବା ଲୋକଙ୍କୁ ସାମ୍ନା କରିବାକୁ ପଡ଼ୁଛି। ଏପରିକି ଏହି ଓଭରବ୍ରିଜ୍‌ ଉପରେ ଯଦି କେହି ଥରେ ଯାଉଛନ୍ତି ଆଉ ଦ୍ବିତୀୟ ଥର ଚଢ଼ିବାକୁ ଡରୁଛନ୍ତି। ଉଦ୍‌ଘାଟନ ପରେ ଓଭରବ୍ରିଜ୍‌ ଉପ‌େର ଅସମ୍ଭାଳ ଭିଡ଼ ହେବାରୁ ପୂର୍ତ୍ତ ବିଭାଗ ପକ୍ଷରୁ ବ୍ରିଜ୍‌ର ତିନି ମୁହଁରେ ଦୁଇ ଜଣ ଲେଖାଏଁ ଘରୋଇ ସିକ୍ୟୁରିଟି ଗାର୍ଡଙ୍କୁ କିଛି ଦିନ ପାଇଁ ମୁତୟନ କରାଯାଇଥିଲା। ହେଲେ ଏହା ସମସ୍ୟା ସମାଧାନ କରିପାରିଲାନି। ଏହାପରେ ସିକ୍ୟୁରିଟି ଗାର୍ଡଙ୍କୁ ପ୍ରତ୍ୟାହାର କରିନିଆଗଲା। ଓଭରବ୍ରିଜ୍‌ ଉପରେ ଯାତାୟାତ କରୁଥିବା ଲୋକ କହିଛନ୍ତି ଯେ, ଏହି ଓଭରବ୍ରିଜ୍‌ ଦୁଇ ଥାକିଆ ହୋଇଥିଲେ ବି ଏହାକୁ ୱାନ୍‌ ୱେ କରିଦିଆଯାଇଛି। ଏପରିକି ବ୍ରିଜ୍‌ ଉପରେ ଯେଉଁ ଡିଭାଇଡର୍‌ କରାଯାଇଛି ତାହା ଭୁଲ୍‌ ସ୍ଥାନରେ ଓ ଭୁଲ୍‌ ଡିଜାଇନ୍‌ରେ ନିର୍ମାଣ କରାଯାଇଛି। ଏବେ ଡିଭାଇଡର୍‌ ରସୁଲଗଡ଼ ଓ ବମିଖାଲ ପାର୍ଶ୍ବକୁ ଅଲଗା କରୁଛି। ଏହା ସହିଦନଗର ପାର୍ଶ୍ବକୁ ମୁହଁ କରି ନିର୍ମାଣ ହୋଇଛି। ଏହି ଡିଭାଇଡର୍‌ ଯଦି ରସୁଲଗଡ଼ରୁ ବମିଖାଲ ଦିଗକୁ ନିର୍ମାଣ କରାଯିବ ତେବେ କିଛି ସମସ୍ୟା ଉପୁଯିବନି। ତିନି ଦିଗରୁ ଲୋକ ଯିବା ଆସିବା କରିପାରିବେ ଏବଂ ଭିଡ଼ ନିୟନ୍ତ୍ରଣ ହେବ। କେବଳ ଏତିକି ନୁହେଁ ବ୍ରିଜ୍‌ର ତିନି ମୁହଁ ଯେତିକି ଓସାର ଅଛି ବ୍ରିଜ୍‌ ଉପରେ ରାସ୍ତା ସେତିକି ଓସାର ନାହିଁ ବୋଲି ଅଭିଯୋଗ ଉଠିଲାଣି। ଏପରିକି ବ୍ରିଜ୍‌ ଉପରେ ଦୁଇ ଚକିଆ ଯାନ ଚଳାଇବାକୁ ଡର ଲାଗୁଛି। ବ୍ରିଜ୍‌ର ଉପରଭାଗ ଠିକ୍‌ ଭାବେ ସମତୁଲ କରାଯାଇ ନଥିବାରୁ ଗାଡ଼ି ଚଳାଇବାବେଳେ ଖାଲଢିପରେ ଚଲାଇବା ଭଳି ଲାଗୁଛି।

ଖୁବ୍ ଶୀଘ୍ର ଜୟଦୁର୍ଗା ନଗର କଟ୍ ଓସାର କରାଯିବ: ନିର୍ବାହୀ ଯନ୍ତ୍ରୀ
ଡ୍ରଇଁ ଯାହା ଥିଲା ସେହି ଅନୁଯାୟୀ କାମ ହୋଇଛି: ପୂର୍ତ୍ତ ବିଭାଗ

ସେହିପରି ଏସ୍‌ପ୍ଲାନେଡ୍‌ ମଲ୍‌ ନିକଟରୁ ଯଦି କେହି ଓଭରବ୍ରିଜ୍‌ ଉପରେ ଚଢ଼ିବାକୁ ଚାହୁଁଛନ୍ତି ତେବେ ତାଙ୍କୁ ବ୍ରିଜ୍‌ କଡ଼କଡ଼େ ଜୟଦୁର୍ଗା ନଗର ପର୍ଯ୍ୟନ୍ତ (ପ୍ରାୟ ୧କିମି)ଆସିବାକୁ ପଡ଼ୁଛି। ସେଠାରେ ୟୁଟର୍ଣ୍ଣ ନେଇ ପୁଣି ୩୦୦ମିଟର ଯିବା ପରେ ଓଭରବ୍ରିଜ୍‌ ଉପରେ ଚଢ଼ିବାକୁ ପଡ଼ୁଛି। ହେଲେ ଜୟଦୁର୍ଗା ନଗର ଛକ ନିକଟରେ ଥିବା କଟ୍‌ଟି ମାତ୍ର ୧୫ରୁ ୧୭ଫୁଟ ଓସାରର ହୋଇଥିବାରୁ ଏବଂ ଜୟଦୁର୍ଗା ନଗରପଟୁ ଓ ଏହା ଭିତରକୁ ବହୁ ଗାଡ଼ି ଯାତାୟାତ କରୁଥିବାରୁ ଏଠାରେ ଅସମ୍ଭାଳ ଭିଡ଼ ଜମୁଛି। ରାସ୍ତା ବି ଅଣଓସାରିଆ ଥିବାରୁ ପ୍ରତ୍ୟେକ ଦିନ ଏଠାରେ ଦୁର୍ଘଟଣା ଘଟୁଛି। ଅପରପକ୍ଷେ ଏନେଇ ପୂର୍ତ୍ତ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ସହିଦନଗର- ବମିଖାଲ ଓଭରବ୍ରିଜ୍‌ ନିର୍ମାଣ ସମୟରେ ଯେଉଁ ଡ୍ରଇଁ ପ୍ରସ୍ତୁତ ହୋଇଥିଲା ସେହି ଅନୁଯାୟୀ କାମ ହୋଇଛି। ବ୍ରିଜ୍‌ ଉପରେ ୭.୫ମିଟର ଓସାର ରାସ୍ତା ରଖାଯାଇଛି। ପୂର୍ତ୍ତ ବିଭାଗର ଦୁଇ ଥାକିଆ ରାସ୍ତା ପାଇଁ ଯେତିକି ଓସାର ରହିବା କଥା ତାହା ରହିଛି। ଏହା ଉପରେ ଦୁଇ ପାର୍ଶ୍ବକୁ ଯାତାୟାତ ପାଇଁ ଯୋଜନା ହୋଇଥିଲା। ହେଲେ ବମିଖାଲ ପାର୍ଶ୍ବକୁ ବ୍ରିଜ୍‌ ସମ୍ପ୍ରସାରଣ ହେବା ପରେ ଟ୍ରାଫିକ ପରିଚାଳନା ପାଇଁ କମିସନରେଟ୍ ପୁଲିସ ସହ ଆଲୋଚନା କରି ଏହାକୁ ୱାନ୍‌ ୱେ କରାଯାଇଛି। ଏବେ ନୂ୍ଆ କରି ବ୍ରିଜ୍‌ ଖୋଲିଥିବାରୁ କିଛି ସମସ୍ୟା ଉପୁଜିଛି। ଖୁବ୍ ଶୀଘ୍ର ଏହା ସମାଧାନ ହୋଇଯିବ। ପୂର୍ତ୍ତ ବିଭାଗର ଭୁବନେଶ୍ବର ଡିଭିଜନ-୪ର ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ନାୟକ କହିଛନ୍ତି ଯେ, କମିସନରେଟ୍‌ ପୁଲିସ ସହ ଆଲୋଚନ କରି ଓଭରବ୍ରିଜ୍‌କୁ ୱାନ୍‌ ୱେ କରାଯାଇଛି। ରସୁଲଗଡ଼ ପାର୍ଶ୍ବରୁ ଆସୁଥିବା ଲୋକ ଓଭରବ୍ରିଜ୍‌ ଉପରେ ଚଢ଼ିବା ନେଇ ଯେଉଁ ସମସ୍ୟା ହେଉଛି ତା’ର ସମାଧାନ କରିବା ପାଇଁ ବମିଖାଲ ପାର୍ଶ୍ବରେ ଓଭରବ୍ରିଜ୍‌ ଯେଉଁଠି ଶେଷ ହେଉଥିଲା ତାହା ନିକଟରେ ଏକ ଗୋଲେଇ କରାଯାଇଥିଲା। ଏଠାରେ ଲୋକ ବୁଲିକି ବ୍ରିଜ୍‌ ଉପରେ ଚଢ଼ିଥା’ନ୍ତେ। ଏନେଇ ବି କାମ ଆରମ୍ଭ ହୋଇଥିଲା। ହେଲେ ସ୍ଥାନୀୟ ଲୋକ ଏହାକୁ ବିରୋଧ କରିବାରୁ ଆମେ ଏହାକୁ ବନ୍ଦ କଲୁ। ତେଣୁ ଲୋକମାନେ ଏବେ ଜୟଦୁର୍ଗାନଗର ନିକଟରେ ବୁଲିକି ଆସୁଛନ୍ତି। ଏଠାରେ କଟ୍‌ ଛୋଟ ହେଉଥିବା ନେଇ ଅଭିଯୋଗ ଆସୁଛି। ତେଣୁ ଏହାକୁ ଅଧିକ ଓସାର କରିବାକୁ ଆମେ କମିସନରେଟ୍ ପୁଲିସକୁ କହିଛୁ। ଏହାସହ ବ୍ରିଜ୍‌ ଆରମ୍ଭରୁ ଏବଂ ଉପରେ ଟ୍ରାଫିକ୍ ପୁଲିସ ମୁତୟନ କରିବାକୁ କହିଛୁ। ସେହିପରି କଟକରୋଡ୍ ଭିଡ଼ କମାଇବାକୁ ସର୍ଭିସ୍ ରୋଡ୍‌କୁ ପୂର୍ବ ଅପେକ୍ଷା ବହୁତ ଓସାର କରାଯାଇଛି ବୋଲି ଶ୍ରୀ ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର