ଭୁବନେଶ୍ବର: ୪୪ କୋଟି ବ୍ୟୟରେ ନିର୍ମାଣ ହୋଇଥିବା ବମିଖାଲ ଫ୍ଲାଏଓଭର୍ ବ୍ରିଜ୍କୁ ତିନି ବର୍ଷ ପୂରିଛି। ରାଜଧାନୀବାସୀଙ୍କୁ ଯାତାୟାତରେ ଭଲ ସେବା ଦେବା ପାଇଁ ନିର୍ମାଣ ହୋଇଥିବା ଏହି ବ୍ରିଜ୍ ଏବେ କିନ୍ତୁ ଚିନ୍ତାର କାରଣ ହୋଇଛି। ଏହି ବ୍ରିଜ୍ ଏବେ ଦୁର୍ଘଟଣାପ୍ରବଣ ସ୍ଥାନ ଭାବେ ପରିଗଣିତ ହେଉଛି। ବ୍ରିଜ୍ ଉପରେ ଅଧାରୁ ଅଧିକ ଷ୍ଟ୍ରିଟ୍ ଲାଇଟ୍ ଜଳୁନି, ଡିଭାଇଡର୍ ଭାଙ୍ଗିଗଲାଣି, ବହୁ ସ୍ଥାନରୁ କଂକ୍ରିଟ୍ ଉଠିଗଲାଣି। ଡିଭାଇଡର୍ ଭାଙ୍ଗି ଯାଇଥିବାରୁ ଗାଡ଼ିଚାଳକମାନେ ଭୁଲ୍ ପାର୍ଶ୍ବରେ ଯାତାୟାତ କରି ଦୁର୍ଘଟଣାର ଶିକାର ହେଉଛନ୍ତି। ମାତ୍ର ଏନେଇ ପୂର୍ତ୍ତ ବିଭାଗ ନିରବଦ୍ରଷ୍ଟା ସାଜିଛି ବୋଲି ଅଭିଯୋଗ ହୋଇଛି।
୨୦୧୨ ମସିହାରୁ ନିର୍ମାଣ କାମ ଆରମ୍ଭ ହୋଇଥିବା ଏହି ୧୫୪୭ ମିଟର ଲମ୍ବର ବ୍ରିଜ୍ ୭ବର୍ଷ ପରେ ୨୦୧୯ ଫେବ୍ରୁଆରି ୨୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତରେ ଉଦ୍ଘାଟିତ ହୋଇଥିଲା। ମାତ୍ର ମୂଳରୁ ଦେଖାଗଲା ବିଭ୍ରାଟ। ତ୍ରୁଟିପୂର୍ଣ୍ଣ ନକ୍ସା ଯୋଗୁଁ ଓଭରବ୍ରିଜ୍ ଉପରେ ଲୋକମାନେ ଭୁଲ୍ ପାର୍ଶ୍ବରେ ଯାତାୟାତ କଲେ। ଫଳରେ ଦୁର୍ଘଟଣା ଏଡ଼ାଇବାକୁ କମିସନରେଟ୍ ପୁଲିସ ଟ୍ରାଫିକ କଟକଣା ଲଗାଇଥିଲା। ଠିକ୍ ପାର୍ଶ୍ବରେ ଯାତାୟାତ କରିବା ପାଇଁ ଫାଇବର୍ ଡିଭାଇଡର୍ ଲଗାଗଲା। ବ୍ରିଜ୍ ମଝିରେ ନିର୍ମାଣ ହୋଇଥିବା ଡିଭାଇଡରରୁ ପ୍ରାୟ ୪୦ମିଟର ପର୍ଯ୍ୟନ୍ତ ଏହି ଫାଇଭର ଡିଭାଇଡର୍ ପୋତାଗଲା। କିନ୍ତୁ ଏବେ ଉଭୟ କଂକ୍ରିଟ୍ ଓ ଫାଇଭର୍ ଡିଭାଇଡର୍ ଭାଙ୍ଗିଗଲାଣି।
ଭାଙ୍ଗିଗଲାଣି ଡିଭାଇଡର୍, ଉଠିଗଲାଣି କଂକ୍ରିଟ୍
ଭୁଲ୍ ରାସ୍ତାରେ ଯାତାୟାତ ଯୋଗୁଁ ବଢ଼ୁଛି ଦୁର୍ଘଟଣା
୪୪ କୋଟିର ବ୍ରିଜ୍ ତିନି ବର୍ଷରେ ଶୋଚନୀୟ
ତେଣୁ କିଛି ଲୋକ ଜାଣିଶୁଣି ପୁଣି ଭୁଲ୍ ପାର୍ଶ୍ବରେ ଯାତାୟାତ କରୁଛନ୍ତି ଓ ନିଜେ ସମସ୍ୟାରେ ପଡ଼ିବା ସହ ଅନ୍ୟମାନଙ୍କୁ ଅସୁବିଧାରେ ପକାଉଛନ୍ତି। ଅମାନିଆ ଗାଡ଼ି ଚାଳକମାନେ ଭୁଲ୍ ପାର୍ଶ୍ବରେ ଯାତାୟାତ କରିବା ଦ୍ବାରା ବରିଷ୍ଠ ନାଗରିକ ଓ ମହିଳାମାନେ ବେଶି ସମସ୍ୟାରେ ପଡ଼ୁଛନ୍ତି। ସେହିଭଳି ପ୍ଲାନିଂରେ ତ୍ରୁଟି ଥିବାରୁ ସାମାନ୍ୟ ବର୍ଷା ହେଲେ ବ୍ରିଜ୍ ମଝି ଭାଗରେ ଦୁଇ ଫୁଟ୍ର ପାଣି ଜମି ରହୁଛି। ଫଳରେ ବ୍ରିଜ୍ ଉପରେ ଅଧିକାଂଶ ସ୍ଥାନରେ କଂକ୍ରିଟ୍ ଉଠି ବଡ଼ ବଡ଼ ଖାଲ ହୋଇଗଲାଣି। ରାତିରେ ଏହି ଖାଲ ବାଇକ୍ ଓ ସ୍କୁଟି ଚାଳକମାନଙ୍କ ପାଇଁ ବିପଦର କାରଣ ହୋଇଛି। ରାତିରେ ଅଧିକାଂଶ ଷ୍ଟ୍ରିଟ୍ ଲାଇଟ୍ ଜଳୁ ନଥିବାରୁ ଏହି ଖାଲ ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି। ଷ୍ଟ୍ରିଟ୍ ଲାଇଟ୍ ଖୁଣ୍ଟରେ ଗୁଡ଼ା ହୋଇଥିବା ଏଲ୍ଇଡି ଲିଚୁରୁ ୮୦ ପ୍ରତିଶତ ଜଳୁ ନାହିଁ।
ଜୟଦୁର୍ଗାନଗର ଛକର କଟ୍କୁ ଅଧିକ ଓସାର କରିବା କିମ୍ବା ବମିଖାଲ ପାର୍ଶ୍ବରେ ବ୍ରିଜ୍ ନିକଟରେ ଏକ ଗୋଲେଇ କରିବାକୁ ପୂର୍ତ୍ତ ବିଭାଗ କର୍ତ୍ତୃପକ୍ଷ ସେତେବେଳେ କହିଥିଲେ ହେଁ ଏଯାଏ କିଛି ହୋଇନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ବ୍ରିଜ୍ ଉଦ୍ଘାଟନ ହୋଇଯିବା ପରେ ପୂର୍ତ୍ତ ବିଭାଗ ସବୁ ଭୁଲିଯାଇଛି ବୋଲି ଲୋକେ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ମୂଳରୁ ଏହି ବ୍ରିଜ୍ ବିବାଦୀୟ ହୋଇ ରହିଛି। ବିଶେଷକରି ନକ୍ସାକୁ ନେଇ ରାଜଧାନୀବାସୀଙ୍କ ଭିତରେ ଅସନ୍ତୋଷ ରହିଛି। ପ୍ରଥମରୁ ଠିକା ସଂସ୍ଥାର ଅବହେଳା ଓ ନିମ୍ନମାନର କାମ ଯୋଗୁଁ ଦୁଇ ଦୁଇଥର ବଡ଼ ଦୁର୍ଘଟଣା ଘଟିଥିଲା। ୨୦୧୭ ସେପ୍ଟେମ୍ବର ୧୦ରେ ଓଭରବ୍ରିଜ୍ର କିଛି ଅଂଶ ଭୁଶୁଡ଼ି ପଡ଼ିବାରୁ ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା ଓ ୧୫ଜଣ ଆହତ ହୋଇଥିଲେ। ସେତେବେଳେ ଏହାକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଥିଲା। ଏହି ମାମଲାରେ ୩ଜଣ ଯନ୍ତ୍ରୀଙ୍କୁ ନିଲମ୍ବନ କରାଯାଇଥିଲା ଓ ‘ପଣ୍ଡା ଇନ୍ଫ୍ରା’ର ପରିଚାଳନା ନିର୍ଦ୍ଦେଶକ ପ୍ରତାପ ପଣ୍ଡାଙ୍କୁ ଗିରଫ କରାଯାଇଥିଲା। ଏମିତିକି ‘ପଣ୍ଡା ଇନ୍ଫ୍ରା’କୁ କଳା ତାଲିକାଭୁକ୍ତ କରିବାକୁ କଡ଼ା ସୁପାରିସ୍ କରାଯାଇଥିଲା। ଏହା ପରେ ମଧ୍ୟ ପୁଣି ୨୦୧୮ ମେ’ ୩ରେ ବ୍ରିଜ୍ର କିଛି ଅଂଶ ଭୁଶୁଡ଼ି ପଡ଼ିଥିଲା। ଏଥିରେ ୨୦ରୁ ଅଧିକ ଶ୍ରମିକ ଆହତ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/43-11.jpg)