ଭୁବନେଶ୍ୱର : ବମିଖାଲ ଓଭରବ୍ରିଜ ଭୁଶୁଡ଼ିବା ଘଟଣାରେ ଆଜି ଦୁଇ ଅଭିଯୁକ୍ତଙ୍କୁ ଭୁବନେଶ୍ୱର ସେସନ୍ସ କୋର୍ଟରୁ ଜାମିନ ମିଳିଛି। ସେମାନେ ହେଲେ ପୂର୍ତ ବିଭାଗର ସହକାରୀ ଯନ୍ତ୍ରୀ ( ନିଲମ୍ବିତ) କିଶୋର ରାଉତ ଏବଂ ଓଭରବ୍ରିଜ ନିର୍ମାଣକରୁଥିବା ପଣ୍ଡା ଇନ୍ଫାଷ୍ଟ୍ରକଚର ପ୍ରୋଜେକ୍ଟ ମ୍ୟାନେଜର ବିପୁଲ ଚକ୍ରବର୍ତୀ। ପ୍ରତ୍ୟେକ ୪୦ ହଜାର ଟଙ୍କା ଜମା କରିବା ସହ ୩ଟି ସର୍ତରେ ଜାମିନ ପାଇଛନ୍ତି। ତେବେ ଏବେ ବି ଏହି ଘଟଣାରେ ଗିରଫ ହୋଇଥିବା ପୂର୍ତ ବିଭାଗ ଉପ ନିର୍ବାହୀ ଯନ୍ତ୍ରୀ ବଂଶୀଧର ପ୍ରହରାଜ ଓ ପଣ୍ଡା ଇନ୍ଫାଷ୍ଟ୍ରକଚର ମୁଖ୍ୟ ପ୍ରତାପ କିଶୋର ପଣ୍ଡା ଝାରପଡ଼ା ଜେଲରେ ଅଛନ୍ତି। ଆଉ ପଣ୍ଡା ଇନ୍ଫାଷ୍ଟ୍ରକଚରର ଅନ୍ୟତମ ନିର୍ଦେଶକ ସନ୍ତୋଷ ପଣ୍ଡା ଓ ନିର୍ଦେଶିକା ସୁଜାତା ପଣ୍ଡା ଫେରାର ଅଛନ୍ତି।
ଗତ ମାସ ୧୦ ତାରିଖରେ ନିର୍ମାଣାଧୀନ ବମିଖାଲ ଓଭରବ୍ରିଜ ଭୁଶୁଡ଼ି ପଡ଼ିଥିଲା। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ୧୫ରୁ ଅଧିକ ଶ୍ରମିକ ଆହତ ହୋଇଥିଲେ। ଏ ନେଇ ଲକ୍ଷ୍ମୀସାଗର ଥାନା ପୁଲିସ ନିଜ ଆଡ଼ୁ ଏକ ମାମଲା ରୁଜୁ କରିଥିଲା। ଦିନକ ପରେ ଲକ୍ଷ୍ମୀସାଗର ଥାନା ପୁଲିସ ପୂର୍ତ ବିଭାଗ ଉପ ନିର୍ବାହୀ ଯନ୍ତ୍ରୀ ବଂଶୀଧର ପ୍ରହରାଜ ଓ ପଣ୍ଡା ଇନ୍ଫାଷ୍ଟ୍ରକଚର ମୁଖ୍ୟ ପ୍ରତାପ କିଶୋର ପଣ୍ଡାଙ୍କୁ ଗିରଫ କରିଥିଲା। ଦୁଇ ଦିନ ପରେ ସହକାରୀ ଯନ୍ତ୍ରୀ କିଶୋର ରାଉତ ଡିସିପିଙ୍କ କାର୍ଯର୍୍ୟାଳୟକୁ ଯାଇ ଆତ୍ମସମର୍ପଣ କରିଥିଲେ। ଏହାର କିଛି ସମୟ ପରେ ଲକ୍ଷ୍ମୀସାଗର ଥାନା ପୁଲିସ ପୁରୁଣା ଭୁବନେଶ୍ୱରରେ ଥିବା ପଣ୍ଡା ଇନ୍ଫାଷ୍ଟ୍ରକଚର ଉପରେ ଚଢ଼ଉ କରି ପ୍ରୋଜେକ୍ଟ ମ୍ୟାନେଜର ବିପୁଲଙ୍କୁ ଗିରଫ କରିଥିଲା। ଆଜି ସେସନ୍ସ କୋର୍ଟରୁ ଦୁହିଁଙ୍କୁ ଜାମିନ୍ ଦେବା ପୂର୍ବରୁ କେତେକ ସର୍ତ ପାଳନ କରିବାକୁ ନିର୍ଦେଶ ଦେଇଛନ୍ତି। ସେଗୁଡ଼ିକ ହେଲା ସେମାନେ ମାମଲାର ସାକ୍ଷୀମାନଙ୍କୁ କେବେ ବି ପ୍ରଭାବିତ କରିବେ ନାହିଁ। ପୁଲିସ ସଂଗ୍ରହ କରିଥିବା ତଥ୍ୟ ଓ ପ୍ରମାଣକୁ ମଧ୍ୟ ନଷ୍ଟ କରିବାକୁ ଉଦ୍ୟମ କରିବେ ନାହିଁ। ଦୁଇ ସପ୍ତାହରେ ଥରେ ଲକ୍ଷ୍ମୀସାଗର ଥାନାକୁ ଯାଇ ତଦନ୍ତକାରୀ ଅଫିସରଙ୍କୁ ଭେଟି ତଦନ୍ତରେ ସହଯୋଗ କରିବେ। ସଂଧ୍ୟାରେ କୋର୍ଟରୁ ନିର୍ଦେଶନାମା ମିଳିବା ପରେ ଦୁହେଁ ଝାରପଡ଼ା ଜେଲରୁ ମୁକୁଳି ଥିବା ଅଭିଯୁକ୍ତଙ୍କ ଓକିଲ ଚିତ୍ତରଂଜନ ଦାଶ କହିଛନ୍ତି।
ତଦନ୍ତ ଅଧିକାରୀଙ୍କ ବଦଳି, ଦିଗହୀନ ହୋଇପାରେ ତଦନ୍ତ
ବମିଖାଲ ଓଭରବ୍ରିଜ ଭୁଶୁଡ଼ିବା ପରେ ଏହାକୁ ନେଇ ସାରା ରାଜ୍ୟରେ ତମ୍ବିତୋଫାନ ହେଲା। ପୁଲିସ ଡିଜିଙ୍କଠାରୁ ଆରମ୍ଭ କରିଛି ପୁଲିସ କମିସନରଙ୍କ ସମେତ ବରିଷ୍ଠ ଅଧିକାରୀ ଘଟଣାସ୍ଥଳକୁ ଆସିଥିଲେ। ସୂଚନା ଦେଇଥିଲେ ପୁଲିସ ନିଜ ଆଡ଼ୁ ମାମଲା ରୁଜୁ କରି ଘଟଣାର ଜୋରଦାର ଖୋଳତାଡ଼ କରିବ। କିନ୍ତୁ ଦିନ କେଇଟା ନ ଯାଉଣୁ ଏହି ଘଟଣାର ତଦନ୍ତକାରୀ ଅଫିସର ତଥା ଲକ୍ଷ୍ମୀସାଗର ଥାନା ଇନ୍ସପେକ୍ଟର ଭରତ ସାହୁଙ୍କର ବଦଳି ରାଜ୍ୟ ମାନବାଧିକାର କମିସନଙ୍କ କାର୍ଯ୍ୟାଳୟକୁ ହୋଇଛି। ଏଭଳି ପରିସ୍ଥିତିରେ ଏଭଳି ଏକ ସ୍ପର୍ଶକାତର ଘଟଣାର ତଦନ୍ତ ହେବ ଠିକ୍ ବାଟରେ ହୋଇ ପାରିବ କି ନାହିଁ ସେନେଇ ପ୍ରଶ୍ନ ଉଠିଲାଣି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/bamikhal-1.jpg)