ଭୁବନେଶ୍ବର : ରାଜଧାନୀର ଚର୍ଚ୍ଚିତ ପ୍ରକଳ୍ପ ବମିଖାଲ ଓଭରବ୍ରିଜ୍ ଭୁଶୁଡ଼ିବା ଘଟଣା ଏବେ ନୂଆ ମୋଡ଼ ନେଇଛି। ଏହି ଓଭରବ୍ରିଜ୍ ଭୁଶୁଡ଼ିବା ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ କମିଟି ଯେଉଁ ରିପୋର୍ଟ ଦେଇଥିଲା, ତାହାକୁ ପୂର୍ତ୍ତ ବିଭାଗର ଅଧିକାରୀମାନେ ବଦଳାଇ ଦେଇଛନ୍ତି। ଏପରିକି ତଦନ୍ତ କମିଟି ଯାହାକୁ ଦୋଷୀ କହିଥିଲା, ତାଙ୍କୁ ଏବେ ପଦୋନ୍ନତି ଦିଆଯାଇଛି।
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସେପ୍ଟେମ୍ବର ୧୦, ୨୦୧୭ରେ ଭୁଶୁଡ଼ିଥିବା ବମିଖାଲ ଓଭରବ୍ରିଜ୍ ଘଟଣାରେ ସେପ୍ଟେମ୍ବର ୧୨ରେ ପୂର୍ତ୍ତ ବିଭାଗ ଭୁବନେଶ୍ବର ଡିଭିଜନ୍-୪ର ନିର୍ବାହୀ ଯନ୍ତ୍ରୀ ଦୁଃଖବନ୍ଧୁ ବେହେରା, ଉପନିର୍ବାହୀ ଯନ୍ତ୍ରୀ ବଂଶୀଧର ପ୍ରହରାଜ, ସହକାରୀ ଯନ୍ତ୍ରୀ କିଶୋର କୁମାର ରାଉତଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା। ଏପରିକି ଓଭରବ୍ରିଜ୍ ଭୁଶୁଡ଼ିବା ଯୋଗୁଁ ଜଣେ ଲୋକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାରୁ ଉପନିର୍ବାହୀ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ଜେଲ୍ ଯାଇଥିଲେ। ଏହାପରେ ଏହି ଘଟଣାର ତଦନ୍ତ ପାଇଁ ସେପ୍ଟେମ୍ବର ୧୩ରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଥିଲା। ଏହି କମିଟି ତଦନ୍ତ କରି ସେପ୍ଟେମ୍ବର ୨୫ରେ ରିପୋର୍ଟ ଦେଇଥିଲା। ଏଥିରେ କମିଟି କହିଥିଲା ଯେ, ନିର୍ବାହୀ ଯନ୍ତ୍ରୀ ଶ୍ରୀ ବେହେରା କାର୍ଯ୍ୟରେ ଅହେତୁକ ଅବହେଳା କରି କାର୍ଯ୍ୟ ତଦାରଖ କରିବାକୁ ଯାଇନଥିଲେ। ସେଦିନ ସେ ଅନୁପସ୍ଥିତ ଥିଲେ। ତେଣୁ ତାଙ୍କୁ ନିନ୍ଦା କରିବା ସହ ଗୋଟିଏ ପଦୋନ୍ନତି ସ୍ଥଗିତ ରଖିବାକୁ କମିଟି ସୁପାରିସ୍ କରିଥିଲା। ଏହା ଉପନିର୍ବାହୀ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କ ପାଇଁ ମଧ୍ୟ ଲାଗୁ କରିବାକୁ ରିପୋର୍ଟରେ ଲେଖିଥିଲା କମିଟି। ଏହି ରିପୋର୍ଟକୁ ଆଧାର କରି ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ପରେ ଏପ୍ରିଲ ୪, ୨୦୧୮ରେ ସେମାନଙ୍କୁ ଚାକିରିରେ ପୁନଃସ୍ଥାପିତ କରାଯାଇଥିଲା। ଏହାପରେ ତିନି ଯନ୍ତ୍ରୀ ସେମାନଙ୍କ ପକ୍ଷ ରଖି ମେ ୪, ୨୦୧୮ରେ ବିଭାଗକୁ ଲିଖିତ ଭାବେ ଜଣାଇଥିଲେ।
ଏହାପରେ ଜୁନ୍ ୨୬, ୨୦୧୮ରେ ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ (ରାସ୍ତା)ଙ୍କୁ ଏହାର ତଦନ୍ତ ଅଧିକାରୀ କରାଯାଇଥିଲା। ତିନି ଯନ୍ତ୍ରୀଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଥିଲା; ତା’ଉପରେ ଅଧିକ ତଦନ୍ତ କରି ରିପୋର୍ଟ କରି କହିବାକୁ କୁହାଯାଇଥିଲା। ସେ ଅଗଷ୍ଟ ୨୯, ୨୦୧୮ରେ ରିପୋର୍ଟ ଦେଇଥିଲେ। ଏହାପରେ ବି ମୁଖ୍ୟଯନ୍ତ୍ରୀ ସମାନ ରିପୋର୍ଟ ଦେଇଥିଲେ। ଏହି ରିପୋର୍ଟ ଉପରେ ତିନି ଅଧିକାରୀଙ୍କୁ ପକ୍ଷ ରଖିବାକୁ ଡିସେମ୍ବର ୨୬, ୨୦୧୮ରେ କୁହାଯାଇଥିଲା। ନିର୍ବାହୀ ଯନ୍ତ୍ରୀ ଡିସେମ୍ବର ୩୧, ୨୦୧୮ରେ, ଉପନିର୍ବାହୀ ଯନ୍ତ୍ରୀ ଜାନୁଆରି ୯, ୨୦୧୯ରେ, ସହକାରୀ ଯନ୍ତ୍ରୀ ଜାନୁଆରି ୫, ୨୦୧୯ରେ ତାଙ୍କ ପକ୍ଷ ଲିଖିତ ଭାବେ ଜଣାଇଥିଲେ।
ବିଭାଗୀୟ ବାବୁମାନେ ଦୁଇ ବର୍ଷ ଧରି ରିପୋର୍ଟ ଚାପି ରଖିବା ପରେ ଫେବ୍ରୁଆରି ୨, ୨୦୨୧ରେ ଏହା ଉପରେ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ମତାମତ ଲୋଡ଼ିଥିଲେ। ଖୁବ୍ କମ୍ ଦିନରେ ଅବସର ନେବାକୁ ଥିବା ସର୍ବୋଚ୍ଚ ଯନ୍ତ୍ରୀ ମତ ଦେଇଦେଲେ ଯେ, ନିର୍ବାହୀ ଯନ୍ତ୍ରୀ କେବଳ ନିନ୍ଦାର ପାତ୍ର। ତାଙ୍କର ପଦୋନ୍ନତି ସ୍ଥଗିତ ରହିବନି। ବାକି ଦୁଇ ଯନ୍ତ୍ରୀଙ୍କୁ ନିନ୍ଦା ସହ ପଦୋନ୍ନତି ସ୍ଥଗିତ ରଖିବାକୁ ସୁପାରିସ୍ କରିଦେଲେ।
ଏହି ରିପୋର୍ଟକୁ ବିଭାଗର ବରିଷ୍ଠ ଅଧିକାରୀମାନେ ଅପେକ୍ଷା କରିଥିଲେ। ୪ବର୍ଷ ତଳେ ଯେଉଁ ଅଧିକାରୀଙ୍କୁ ଦୋଷୀ କରାଯାଇଥିଲା, ଏବେ ସେହି ଯନ୍ତ୍ରୀଙ୍କର ଲିଖିତ ଜବାବରେ ସନ୍ତୁଷ୍ଟ ହୋଇ ବାବୁଙ୍କୁ ପଦୋନ୍ନତି ଦେଇଦେଲେ। ହେଲେ କାଳେ ସେମାନଙ୍କ ବିରୋଧରେ କେବେ କିଛି କାର୍ଯ୍ୟାନୁଷ୍ଠାନ ହେବ ସେହି ଆଶଙ୍କାରେ ପଦୋନ୍ନତି ଦେବା ପୂର୍ବରୁ ମାର୍ଚ୍ଚ ୨୩, ୨୦୨୧ରେ ପୁଣି ତିନି ଯନ୍ତ୍ରୀଙ୍କୁ ପକ୍ଷ ରଖିବାକୁ ଲିଖିତ ଭାବେ ଜଣାଇବାକୁ କହିଲେ। ଯେଉଁ ଯନ୍ତ୍ରୀମାନେ ପୂର୍ବରୁ ଲିଖିତ ଭାବେ ଜଣାଇବାକୁ ମାସାଧିକ ସମୟ ନେଇଥିଲେ ସେମାନେ ଏବେ ତିନି ଦିନରେ ଜଣାଇଦେଲେ। ଏହାପରେ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଉପରେ ଚୂଡ଼ାନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଓପିଏସ୍ସିକୁ ମେ’ ୬ରେ ଚିଠି ଲେଖାଗଲା। ମେ’ ୨୮ରେ ଓପିଏସ୍ସି କମିନସର ଏହା ଉପରେ ଶୁଣାଣି କରିବେ ବୋଲି ଜଣାଇଲେ।
ଏହାପରେ ବିଭାଗୀୟ ଅଧିକାରୀମାନେ ନିର୍ବାହୀ ଯନ୍ତ୍ରୀଙ୍କ ନିଲମ୍ବିତ ସମୟକୁ କାର୍ଯ୍ୟ ଦିବସ ଭାବେ ଗଣତି କରିବା ସହ ଗୋଟିଏ ପଦୋନ୍ନତି ଦେବାକୁ ନିଷ୍ପତ୍ତି ନେଲେ। କିନ୍ତୁ ଉପନିର୍ବାହୀ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କ ଉପରେ ପ୍ରଥମ ତଦନ୍ତ କମିଟି ଯାହା ରିପୋର୍ଟ ଦେଇଥିଲା ତାହାକୁ ଲାଗୁ କରିଦେଲେ। ଆଉ ଜୁଲାଇ ୬ରେ ଦୁଃଖବନ୍ଧୁ ବେହେରାଙ୍କୁ ପଦୋନ୍ନତି ଦେଇଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି ଯଦି ବିଭାଗୀୟ ଅଧିକାରୀମାନେ ଚୂଡ଼ାନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଓପିଏସ୍ସିକୁ ସୁପାରିସ୍ କଲେ ତେବେ ରାୟ ଆସିବା ପୂର୍ବରୁ କାହିଁକି ପଦୋନ୍ନତି ଦେଇଦେଲେ?
ସୂଚନାଯୋଗ୍ୟ ଯେ, ପ୍ରାୟ ୪ବର୍ଷ ଧରି ୪୦କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ଓଭରବ୍ରିଜ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯ ଫେବ୍ରୁଆରି ୨୦ ତାରିଖରେ ଉଦ୍ଘାଟନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/bamikhal.jpg)