ଭୁବନେଶ୍ୱର: ଗତକାଲି ରାତିରେ ବମିଖାଲ ଓଭରବ୍ରିଜ୍ରେ ଘଟିଥିବା ଅଘଟଣର ଆଜି ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ରାସ୍ତା ଓ ଡିଜାଇନ୍ର ଦୁଇ ମୁଖ୍ୟଯନ୍ତ୍ରୀ ଆଜି ଘଟଣାସ୍ଥଳ ପରିଦର୍ଶନ କରି କେଉଁ ପରିସ୍ଥିତିରେ ଏଭଳି ଅଘଟଣ ଘଟିଲା, ତାହାର ଯାଞ୍ଚ କରିଛନ୍ତି। ବିଭାଗୀୟ ଅଧିକାରୀ ସିଧାସଳଖ ଶ୍ରମିକଙ୍କ ଉପରେ ଦୋଷ ଲଦିଛନ୍ତି। ଶ୍ରମିକଙ୍କ ଅସାବଧାତନା ଯୋଗୁଁ ଏଭଳି ଅଘଟଣ ଘଟିଲା ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ତଦନ୍ତର ଏକ ପ୍ରାଥମିକ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ବମିଖାଲ ଓଭରବ୍ରିଜ୍ରେ ଦ୍ୱିତୀୟଥର ପାଇଁ ଦୁର୍ଘଟଣା ଘଟିବା ପରେ ଏହାର ଉଭୟ ବିଭାଗୀୟ ଓ ଠିକା ସଂସ୍ଥାର ତଦନ୍ତ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ଏହି ଆଧାରରେ ଆଜି ରାସ୍ତା ଓ ଡିଜାଇନ୍ର ଦୁଇ ମୁଖ୍ୟଯନ୍ତ୍ରୀ ଘଟଣାସ୍ଥଳକୁ ଯାଇ ଏହାର ତଦନ୍ତ କରିଛନ୍ତି। ବିଭାଗୀୟ ଅଧିକାରୀଙ୍କ କହିବାନୁଯାୟୀ, ରିଟେନ୍ ଓ୍ଵାଲ ନିର୍ମାଣ ପାଇଁ ତଳ ଚଟାଣରେ ଜାଲି ବନ୍ଧା ଯାଉଥିଲା। କଂକ୍ରିଟ ଢଳେଇ ପାଇଁ ଶ୍ରମିକମାନେ ଧରିଥିବା ଫାଉଣ୍ଡେସନ୍ ରଡ୍ ଖସି ପଡ଼ିବା ଯୋଗୁଁ ତଳେ ରହିଥିବା ଦୁଇଜଣ ଶ୍ରମିକ ଏଥିରେ ଚାପି ହୋଇ ଯାଇଥିଲେ। ରଡ୍ରେ ଚାପି ହୋଇଯିବା ଯୋଗୁଁ ଅଣନିଶ୍ୱାସୀ ହୋଇ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି। ଶବ ବ୍ୟବଚ୍ଛେଦ ରିପୋର୍ଟରେ ମୃତକଙ୍କ ଶରୀରରେ କୌଣସି ବାହ୍ୟ ଆଘାତ ନ ଥିବା ଜଣାପଡ଼ିଛି। ତେଣୁ ଶ୍ରମିକମାନଙ୍କ ଅସାବଧାନତା ଯୋଗୁଁ ଏଭଳି ଅଘଟଣ ଘଟିଛି।
ଅପରପକ୍ଷରେ ଗତ ସେପ୍ଟେମ୍ବରରେ ନିର୍ମାଣାଧୀନ ବ୍ରିଜ୍ର ଏକ ସ୍ଲାବ୍ ଖସିପଡ଼ିବା ପରେ ଠିକା ସଂସ୍ଥା ପଣ୍ଡା ଇନ୍ଫ୍ରାକୁ କଳା ତାଲିକାଭୁକ୍ତ କରାଯାଇଥିଲା। ଏହାସତ୍ତ୍ୱେ ସଂପୃକ୍ତ ସଂସ୍ଥାକୁ କିଭଳି ପୁନର୍ବାର ବ୍ରିଜ୍ର ନିର୍ମାଣ କାମ ଦିଆଗଲା, ତାହାକୁ ନେଇ ପ୍ରଶ୍ନ ଉଠିଛି। ଏ ସଂକ୍ରାନ୍ତରେ ମୁଖ୍ୟଯନ୍ତ୍ରୀ (ରାସ୍ତା) ଓମ୍ ପ୍ରକାଶ ପଟେଲଙ୍କ କହିବାନୁଯାୟୀ, ଓପିଡବ୍ଲ୍ୟୁଡି ବା ରାଜ୍ୟ ପୂର୍ତ ବିଭାଗର କୋଡ୍ ଅନୁଯାୟୀ ପୂର୍ବରୁ ଚାଲିଥିବା କାମକୁ ସଂପୃକ୍ତ ସଂସ୍ଥାକୁ ଶେଷ କରିବା ପାଇଁ ଅନୁମତି ଦିଆଯାଇ ପାରିବ। ବ୍ରିଜ୍ ପାଇଁ ପୂର୍ବରୁ ଧାର୍ଯ୍ୟ ହୋଇଥିବା ବ୍ୟୟ ଅଟକଳରେ କିଛି ବୃଦ୍ଧି ହୋଇନାହିଁ। ନିର୍ଧାରିତ ଟଙ୍କାରେ ତୁରନ୍ତ କାମ ସାରିବା ପାଇଁ ସଂପୃକ୍ତ ସଂସ୍ଥାକୁ ନିର୍ଦେଶ ଦିଆଯାଇଛି। ତେବେ ସେପ୍ଟେମ୍ବର ମାସର ଦୁର୍ଘଟଣା ପରେ ଏହା ଭିତରେ ବ୍ରିଜ୍ରେ ୧୫ଟି ସ୍ପାନ୍ ପଡ଼ିଥିବା ସେ କହିଛନ୍ତି। ବମିଖାଲରେ ନିର୍ମାଣାଧୀନ ଓଭରବ୍ରିଜ୍ରେ ଗତକାଲି ରାତିରେ ରିଟେନ୍ ଓ୍ଵାଲ ପାଇଁ ବନ୍ଧା ହୋଇଥିବା ଫାଉଣ୍ଡେସନ୍ ରଡ୍ ଖସି ପଡ଼ିବାରୁ ଅଜୟ ଭୂମିଚ (୩୮) ନାମକ ଜଣେ ଶ୍ରମିକ ପ୍ରାଣ ହରାଇଥିଲେ। ଏହାସହ ଆନନ୍ଦ କୁମାର ନାୟକ (୩୬) ନାମକ ଅନ୍ୟ ଜଣେ ଶ୍ରମିକ ଏଥିରେ ଗୁରୁତର ଆହତ ହୋଇଥିଲେ। ସେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।