ଭୁବନେଶ୍ୱର : ନିର୍ମାଣଧୀନ ବମିଖାଲ ଓଭରବ୍ରିଜ୍ ଭୁଶୁଡ଼ିବା ଘଟଣାର ତଦନ୍ତ ରିପୋର୍ଟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଛି। ଗତକାଲି ପୂର୍ତ୍ତ ବିଭାଗ ପକ୍ଷରୁ ୧୩୦ ପୃଷ୍ଠାର ରିପୋର୍ଟ ଦିଆଯିବା ପରେ ଏବେ ଓଭରବ୍ରିଜ୍ର ଭବିଷ୍ୟତ ନେଇ ଅନିଶ୍ଚିତତା ଦେଖାଦେଇଛି। ନିର୍ମାଣ ଦାୟିତ୍ୱ ନେଇଥିବା ପଣ୍ଡା ଇନ୍ଫ୍ରା ପ୍ରୋଜେକ୍ଟକୁ କଳା ତାଲିକାଭୁକ୍ତ କରିବା ପାଇଁ ରିପୋର୍ଟରେ ଉଲ୍ଲେଖ ହୋଇଛି। ଯେଉଁଥିପାଇଁ ଏହି ସଂସ୍ଥା ଆଗକୁ ଆଉ କାର୍ଯ୍ୟ କରିବ ନାହିଁ ବୋଲି ସ୍ପଷ୍ଟ ହୋଇଯାଇଛି। ଅନ୍ୟପକ୍ଷରେ ଆଜି ପୂର୍ତ ବିଭାଗର ଏକ ତିନି ଜଣିଆ ଟିମ୍ ଓଭରବ୍ରିଜ୍କୁ ଯାଞ୍ଚ କରି ସ୍ଥିତି ପରଖିଛନ୍ତି। ନିର୍ମାଣ କାମ କେତେ ହୋଇଛି ଏବଂ ଆଗକୁ କ’ଣ ଆବଶ୍ୟକତା ରହିଛି ତାହା ଅନୁଧ୍ୟାନ କରିଛନ୍ତି। ମାତ୍ର ଏହାର ଅବଶିଷ୍ଟ ନିର୍ମାଣ କାର୍ଯ୍ୟ କିଏ କରିବ ଏବଂ କେବେ ସରିବ ଏହାକୁ ନେଇ କେହି ମୁହଁ ଖୋଲି ନାହାନ୍ତି। ସମ୍ପୃକ୍ତ ସଂସ୍ଥାଙ୍କୁ କଳା ତାଲିକାଭୁକ୍ତ ହେବା ପରେ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି।
ଏହି ଓଭରବ୍ରିଜ୍ କାର୍ଯ୍ୟ ୨୦୧୦ରେ ଆରମ୍ଭ ହୋଇ ୨୦୧୩ ସୁଦ୍ଧା ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଥିଲା। ଏଥିପାଇଁ ୧୪ କୋଟି ଟଙ୍କା ଅଟକଳ ବି ହୋଇଥିଲା। ହେଲେ କାର୍ଯ୍ୟ ଆରମ୍ଭ ହେଲା ବେଳକୁ ୨୦୧୨ ହୋଇଗଲା। ୨୦୧୪ ଶେଷ ସୁଦ୍ଧା କାର୍ଯ୍ୟ ସରିବାକୁ ପୁଣିଥରେ ଲକ୍ଷ୍ୟ ରଖାଗଲା। କିନ୍ତୁ ନିର୍ଦ୍ଧାରିତ ସମୟରେ ତ କାର୍ଯ୍ୟ ଶେଷ ହେଲାନି ବରଂ ଏହାର ନିର୍ମାଣ ଖର୍ଚ୍ଚ ବଢ଼ି ବଢ଼ି ଚାଲିଲା। ୧୪ କୋଟିର ଖର୍ଚ୍ଚ ଅଟକଳ ୨୮କୋଟିରେ ପହଞ୍ଚିଥିଲା ବେଳେ ୨୦୧୮ ମାର୍ଚ୍ଚ ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ତେଣୁ ସମ୍ପୃକ୍ତ ସଂସ୍ଥା ତରବରିଆ ଭାବେ କାର୍ଯ୍ୟ କରୁଥିଲା। ତେବେ ବ୍ରିଜ୍ କାମ ଚାଲିଥିବାବେଳେ ଏକ ବଡ଼ ସ୍ଲାବ୍ ଭୁଶୁଡ଼ିଯିବାରୁ ସବୁ କିଛି ବିଗିଡ଼ି ଯାଇଥିଲା।
ଓଭରବ୍ରିଜ୍ ଭୁଶୁଡ଼ିବାକୁ ଇତିମଧ୍ୟରେ ଏକ ମାସ ହେବାକୁ ବସିଥିଲେ ମଧ୍ୟ କାର୍ଯ୍ୟ ଆଉ ଇଞ୍ଚେ ବି ଆଗେଇ ପାରିନାହିଁ। ଯେଉଁଠି ଭୁଶୁଡ଼ିଥିଲା ସେଠାରେ ହିଁ ସବୁ କିଛି ଅଟକି ରହିଛି। ତଦନ୍ତ ରିପୋର୍ଟରେ ଉଲ୍ଲେଖ ହୋଇଛି ଯେ ଓଭରବ୍ରିଜ୍ର ସ୍ଲାବ୍ ପକାଇବା ଲାଗି ସେଣ୍ଟ୍ରିଂର ଡିଜାଇନ୍କୁ ମଞ୍ଜୁରି ଦେବା ପାଇଁ ପୂର୍ତ୍ତ ବିଭାଗର ଅନୁମତି ଲୋଡ଼ାଯାଇ ନ ଥିଲା। ବ୍ରିଜ୍ ଭୁଶୁଡ଼ିବା ଦିନ କାର୍ଯ୍ୟ ସ୍ଥଳରେ ନିୟୋଜିତ ହୋଇଥିବା ଯନ୍ତ୍ରୀମାନେ ମଧ୍ୟ ଠିକାଦାରଙ୍କୁ ତାଗିଦ୍ କରି ନ ଥିଲେ। ଠିକା ସଂସ୍ଥା ଓଭରବ୍ରିଜ୍ ନିର୍ମାଣ ପାଇଁ ଉଦ୍ଦିଷ୍ଟ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର(ଏସ୍ଓପି) ପାଳନ କରି ନ ଥିଲା। ଯେଉଁଥିପାଇଁ ଏବେ ବଡ଼ ଦୁର୍ଘଟଣା ଘଟିଲା।
ଅନ୍ୟପକ୍ଷରେ ଓଭରବ୍ରିଜ୍ କାର୍ଯ୍ୟ ଯୋଗୁଁ ଗତ ୫ ବର୍ଷ ହେଲା ସ୍ଥାନୀୟ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଧୂଳି, ଧୂଆଁରେ ଲୋକେ ଘଣ୍ଟି ହେଉଥିବା ବେଳେ ରାସ୍ତା ଅବସ୍ଥା ବି ଶୋଚନୀୟ ହୋଇପଡ଼ୁଛି। ବାରମ୍ବାର ମରାମତି ହେଉଥିଲେ ମଧ୍ୟ ରାସ୍ତା ଯେସାକୁ ତେସା ରହୁଛି। ଖାଲଖମାରେ ଭର୍ତ୍ତି ହେଉଛି। ଏବେ ତଦନ୍ତ ରିପୋର୍ଟ ଆସିବା ପରେ ଲୋକଙ୍କ ମଧ୍ୟରେ ଭାଲେଣି ପଡ଼ିଛି। କ’ଣ ହେବ ଓଭରବି୍ରଜ୍ର ଭାଗ୍ୟ? କେତେ ସମ୍ପୂର୍ଣ୍ଣ ହେବ କାର୍ଯ୍ୟ? ଯନ୍ତ୍ରଣାରୁ କେବେ ମିଳିବ ମୁକ୍ତି? ତାହା ସ୍ଥାନୀୟ ବାସିନ୍ଦା ବୃନ୍ଦାବନ ମଙ୍ଗରାଜ କୁହନ୍ତି, ତଦନ୍ତ ରିପୋର୍ଟ ଆସିବା ପରେ ଓଭରବ୍ରିଜ୍ କେବେ ସରିବ ଜଣାପଡ଼ୁନି। ଏବେ ସବୁ କିଛି ଅନିଶ୍ଚିତତା ଭିତରକୁ ଚାଲିଗଲା।
୬୦ଟି ସ୍ପାନ୍ କାର୍ଯ୍ୟ ସରିଛି
ବମିଖାଲ ଓଭରବ୍ରିିଜ୍ର ଦୈଘ୍ୟ ୮୪୪ ମିଟର। ଏଥିରେ ୭୫ଟି ସ୍ପାନ୍ ନିର୍ମାଣ ହେବାର ଯୋଜନା ରହିଥିବା ବେଳେ ସେଥିମଧ୍ୟରୁ ୬୦ଟି ସ୍ପାନ୍ ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ଆହୁରି ୧୫ଟି ବାକି ରହିଛି। ବମିଖାଲ-ସହିଦନଗର ଲେବୁଲ୍ କ୍ରସିଙ୍ଗ୍ରୁ ରସୁଲଗଡ଼ ପର୍ଯ୍ୟନ୍ତ ହେବାକୁ ଥିବା ୩୯ଟି ସ୍ପାନ୍ରୁ ୩୩ଟି କାମ ସରଥିବା ବେଳେ ଆଉ ୬ଟି ବାକି ରହିଛି। ସେହିପରି କଳ୍ପନା ଆଡ଼କୁ ଯାଇଥିବା ପାର୍ଶ୍ୱରେ ଆହୁରି ୯ଟି ସ୍ପାନ୍ ବାକି ରହିଥିବା ଜଣାପଡ଼ିଛି।
ଭୁଶୁଡ଼ିଲା ପରେ ଚେତା ପଶିଲା
ଓଭରବ୍ରିଜ୍ ଭୁଶୁଡ଼ିବା ପରେ ଏବେ ଲୋକଙ୍କ କଥା ମନେ ପଡ଼ିଛି। ନିର୍ମାଣାଧୀନ ଓଭରବ୍ରିଜ୍ ନିକଟରେ ଲୋକେ ଯେପରି ସୁବିଧାରେ ଯିବା ଆସିବା କରିପାରିବେ ସେଥିପାଇଁ ବ୍ରିଜ୍ ଖୁଣ୍ଟ ଓ ସ୍ପାନ୍ ଚାରିପାର୍ଶ୍ୱରେ ବ୍ୟାରିକେଡ୍ ଲଗାଯାଇଛି। କାଠ ପୋତାଯିବା ସହ ଏଥିରେ ଟିଣ ଲଗାଯାଇଛି। ଫଳରେ ରସୁଲଗଡ଼ରୁ କଳ୍ପନା ଏବଂ କଳ୍ପନାରୁ ରସୁଲଗଡ଼ ଆଡ଼କୁ ଆସୁଥିବା ଗାଡ଼ିଗୁଡ଼ିକ ସୁବିଧାରେ ଯା ଆସ କରିପାରୁଛନ୍ତି। ଓଭରବ୍ରିଜ୍ ତଳକୁ ଯେପରି କୌଣସି ବ୍ୟକ୍ତି ନ ଯିବେ ତାହାକୁ ଦୃଷ୍ଟିରେ ବିଭିନ୍ନ ସ୍ଥାନରେ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି। ତଥାପି ସହିଦନଗର ରେଲେଓ୍ଵ କ୍ରସିଂ ଦେଇ ବମିଖାଲ ଆଡ଼କୁ ଆସୁଥିବା ଗାଡ଼ିଗୁଡ଼ିକ ପୂର୍ବର୍ ଭଳି ବ୍ରିଜ୍ ତଳେ ଯିବା ଆସିବା କରୁଛନ୍ତି। ୪ ବର୍ଷ ତଳେ ଏହି ପୋଲ ନିର୍ମାଣ ହୋଇଥିବାରୁ ତାହାର ସ୍ଥିତି ଧୀରେ ଧୀରେ ଖରାପ ହୋଇପଡ଼ିଲାଣି। ତେଣୁ କେତେବେଳେ ବି ଭୁଶୁଡ଼ି ପଡ଼ିବ ତାହା କହିବା ମୁସ୍କିଲ୍। ତେଣୁ ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ସ୍ଥାନୀୟ ବାସିନ୍ଦା ସନାତନ ମହାନ୍ତି ଦାବି କରିଛନ୍ତି।