ଭୁବନେଶ୍ବର : ଆଇଆର୍ସି ଭିଲେଜ୍ ସରକାରୀ ଉଚ୍ଚ ବିଦ୍ୟାଳୟ ନିକଟରୁ ନୂଆପଲ୍ଲୀ ଥାନା ପୁଲିସ ଆଜି ଏକ ମଣିଷ ଖପୁରି ଓ ୧୯୩ ଖଣ୍ଡ ହାଡ଼ ଜବତ କରିଛି। ଏହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଖପୁରି ମିଳିବା ପରେ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। କଙ୍କାଳଟି କାହାର? ଜଣେ ନା ଏକାଧିକ ଲୋକଙ୍କର ? ଏଠାକୁ କେମିତି ଆସିଲା? କିଏ ଫୋପାଡ଼ିଲା ? ଏପରି ଅନେକ ପ୍ରଶ୍ନ ସ୍ଥାନୀୟ ଲୋକଙ୍କୁ ବିଚଳିତ କରୁଛି। ଏନେଇ ନୂଆପଲ୍ଲୀ ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ପୁଲିସ ସୂଚନା ମୁତାବକ, ଶୁକ୍ରବାର ସକାଳ ପ୍ରାୟ ସାଢ଼େ ୬ଟାରେ ବିଏମ୍ସି କର୍ମଚାରୀ ସ୍କୁଲ ପଛପଟେ ଅଳିଆ ସଫା କରୁଥିଲେ। ଏହି ସମୟରେ ସେଠାରେ ଖପୁରି ଓ ହାଡ଼ ପଡ଼ିଥିବା ଦେଖିବାକୁ ପାଇଥିଲେ। ସେମାନଙ୍କଠାରୁ ଖବର ପାଇ ନୂଆପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଅପରପେକ୍ଷ ଏହି ଖବର ପ୍ରଘଟ ହେବା ପରେ ସେଠାରେ ଲୋକଙ୍କ ଭିଡ଼ ଜମିଥିଲା। ଖବର ପାଇ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ନମୁନା ସଂଗ୍ରହ କରିଥିଲା। ତେବେ ଭିଡ଼ ଯୋଗୁଁ ଯେଭଳି ନମୁନା ସଂଗ୍ରହ କରିବାରେ ସାଇଣ୍ଟିଫିକ୍ ଟିମ୍ର ସମସ୍ୟା ସୃଷ୍ଟି ନ ହୁଏ, ସେଥିପାଇଁ ପୁଲିସ ମୁତୟନ କରାଯାଇଥିଲା। କଙ୍କାଳକୁ ଯେଭଳି କେହି ସ୍ପର୍ଶ ନ କରନ୍ତି, ସେଥିପ୍ରତି ଗୁରୁତ୍ବ ଦିଆଯାଇଥିଲା। ସଂଗୃହୀତ ନମୁନାକୁ ଡିଏନ୍ଏ ପରୀକ୍ଷା ପାଇଁ ଷ୍ଟେଟ୍ ଫୋରେନ୍ସିକ୍ ସାଇନ୍ସ ଲ୍ୟାବ୍କୁ ପଠାଯାଇଛି।
ରିପୋର୍ଟ ଆସିବା ପରେ ହିଁ ରହସ୍ୟ ଉପରୁ ପରଦା ହଟିପାରିବ ବୋଲି ପୁଲିସ୍ କହିଛି। ବିଶେଷକରି କଙ୍କାଳଟି କେବେର? କେବେ ଓ କିପରି ତାଙ୍କର ମୃତ୍ୟୁ ଘଟିଛି? କେତେ ବୟସର, ପୁରୁଷ ନା ମହିଳା? ଏହିପରି ଅନେକ ତଥ୍ୟ ପଦାକୁ ଆସି ପାରିବ ବୋଲି ପୁଲିସ କହିଛି।
/sambad/media/post_attachments/wp-content/uploads/2019/11/Bones-1.jpg)
ଅନ୍ୟପଟେ କଙ୍କାଳଟି କୌଣସି କଲେଜ୍ କିମ୍ବା ସ୍କୁଲ୍ ପରୀକ୍ଷାଗାରର ହୋଇଥାଇପାରେ ବୋଲି ପୁଲିସ ଅନୁମାନ କରୁଛି। କାରଣ ଖପୁରି ଓ ହାଡ଼ଗୁଡ଼ିକ ଉପରେ ନାଲି ରଙ୍ଗର ଚିହ୍ନ (ମାର୍କ) ରହିଛି। ଅସ୍ଥିଗୁଡ଼ିକୁ ଶରୀର କେଉଁ ଅଂଶ ବୋଲି ଲେଖାଯାଇଛି।
ହେଲେ ପ୍ରଶ୍ନ ଉଠୁଛି ଯେ ଯଦି ଏହା କୌଣସି ସ୍କୁଲ୍ କିମ୍ବା କଲେଜ୍ରେ ପାଠପଢ଼ା ପାଇଁ ବ୍ୟବହାର ହେଉଥିଲା, ତେବେ ସେଗୁଡ଼ିକ ବ୍ୟବହାର ଅନୁପଯୋଗୀ ହେବା ପରେ ସ୍କୁଲ୍ କିମ୍ବା କଲେଜ୍ କର୍ତୃପକ୍ଷ ଏହାକୁ ପୋତି ଦେଇ ପାରି ଥାଆନ୍ତେ। ସେପରି ନ କରି ଏଠାରେ କାହିଁକି ଫୋପଡ଼ି ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରାଇଲେ?
ଅନ୍ୟପକ୍ଷରେ କେହି ହତ୍ୟାକାରୀ ପ୍ରମାଣ ନଷ୍ଟ ପାଇଁ ଏଭଳି ପନ୍ଥା ଆପଣାଇ ଥାଇପାରେ। ପୁଲିସକୁ ଭୁଆଁ ବୁଲାଇବା ପାଇଁ ଜାଣିଶୁଣି ସ୍କୁଲ ପଛପଟେ କଙ୍କାଳ ପକାଇ ଥାଇପାରେ। ତେବେ ପୁଲିସ ସବୁ ଦିଗରୁ ତଦନ୍ତ ଆରମ୍ଭ କରିଛି। ଆଖପାଖ ଅଞ୍ଚଳରେ ଥିବା ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/Human-Skull-Found-Near-School_Thumbnail.jpg)