‘ବଦଳୁଥିବା ଠିକଣା’ ପୁସ୍ତକ ଲୋକାର୍ପିତ

ଭୁବନେଶ୍ବର: ବିଶିଷ୍ଟ ଲେଖକ ମିହିର କୁମାର ସାହୁଙ୍କ ଆତ୍ମଜୀବନୀମୂଳକ ସ୍ମୃତିକଥା ‘ବଦଳୁଥିବା ଠିକଣା‌’ ପୁସ୍ତକ ଆଜି ସନ୍ଧ୍ୟ‌ାରେ ରାଜ୍ୟ ସଂଗ୍ରହାଳୟ ସଭାକକ୍ଷରେ ଲୋ‌କାର୍ପିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଲେଖକ ରମାକାନ୍ତ ରଥ ଉପସ୍ଥିତ ରହି ଆଜିକାଲି ଆତ୍ମଜୀବନୀମୂଳକ ଲେଖା ବହୁ ପରିମାଣରେ ପ୍ରକାଶିତ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ଏହାସହ ଶ୍ରୀ ରଥ ଲେଖକ ଶ୍ରୀ ସାହୁଙ୍କୁ ନିଜର ଆତ୍ମଜୀବନୀ ପାଇଁ ଶୁଭେଚ୍ଛା ଜଣାଇବା ସହ ଲେଖକଙ୍କ ପରିବାର ସହ ବିତାଇଥିବ‌ା ଅଭୁଲା ସ୍ମୃତି ବାବଦରେ ଅବତାରଣା କରିଥିଲେ।

ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ କେନ୍ଦ୍ରର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଫେସର୍‌ ବସନ୍ତ କୁମାର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ କଥାକାର ନୃସିଂହ ପ୍ରସାଦ ତ୍ରିପା‌ଠୀ, ଲେଖିକା ଅର୍ଚ୍ଚନା ନାୟକ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହି ବହି ଓ ଲେଖକଙ୍କ ବାବଦରେ ଅନେକ ଅନାଲୋଚିତ କଥା‌ ବଖାଣିଥିଲେ। ଏଥିସହ ଲେଖକଙ୍କ ପରବର୍ତ୍ତୀ ସଂସ୍କରଣ ପାଇଁ ମଧ୍ୟ ଶୁଭେଚ୍ଛ‌ା ଜଣାଇଥିଲେ। ପ୍ରାରମ୍ଭରେ ଛନ୍ଦା ମିଶ୍ର ସଂଗୀତ ଗାନ କରିଥିବା ବେଳେ ଗାଳ୍ପିକ ଦେବପ୍ରସାଦ ଦାଶ ସଭା ସଂଯୋଜନା କରିଥିଲେ। ଏହି ସଭାରେ ‘ପୌରୁଷ’ର ସମ୍ପାଦକ ଅସିତ ମହାନ୍ତି, ଅପର୍ଣ୍ଣା ମହାନ୍ତି, ଜୟନ୍ତୀ ରଥ, ସୂର୍ଯ୍ୟ ମିଶ୍ର, ପୀତବାସ ରାଉତରାୟ ପ୍ରମୁଖ ସାହିତ୍ୟିକମାନେ ଉପସ୍ଥିତ ରହି ଲେଖକଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ଶେଷରେ ଲେଖାଲେଖି ପ୍ରକାଶନ ସଂସ୍ଥାର ସମ୍ପାଦକ ପ୍ରଦୀପ୍ତ କୁମାର ବେହୁରା ଧନ୍ୟବ‌ାଦ ଦେଇଥିଲେ।

ସମ୍ବନ୍ଧିତ ଖବର