ପୁସ୍ତକ ଚର୍ଚ୍ଚା, ଗୁରୁପ୍ରସାଦଙ୍କ କବିତାରେ ‘ବୌଦ୍ଧିକ ଆଧୁନିକତା’ ରହିଛି

ଭୁବନେଶ୍ବର: କବି ଗୁରୁପ୍ରସାଦ ମହାନ୍ତିଙ୍କ କବିତାରେ ‘ବୌଦ୍ଧିକ ଆଧୁନିକତା’ ରହିଛି। ତାଙ୍କ ରଚିତ ‘ସମୁଦ୍ର ସ୍ନାନ’ରେ ସୌନ୍ଦର୍ଯ୍ୟର ବିବର୍ଣ୍ଣ ଭାବ ଦେଖିବାକୁ ମିଳେ। ସେଥିରେ ପ୍ରେମ ଅନୁପସ୍ଥିତ, ମଣିଷ କ୍ଷୟଗ୍ରସ୍ତ। ପବିତ୍ର ମୂଲ୍ୟବୋଧକୁ ନେଇ ଯେଉଁ ସାଂସ୍କୃତିକ ସୌଧ ନିର୍ମାଣ ହୋଇଥିଲା ତାହା ଆଉ ନାହିଁ ବୋଲି ହୃଦୟଙ୍ଗମ କରିହେବ। ସୌନ୍ଦର୍ଯ୍ୟର ଆକର୍ଷଣ ଅଛି ନା ନାହିଁ ତାହା ଗୁରୁପ୍ରସାଦଙ୍କ କବିତାରେ ଜଣେ ଅନୁଭବ କରିପାରିବ ନାହିଁ। ସେ ‘ସମୁଦ୍ର ସ୍ନାନ’ରେ ଏଭଳି ଏକ ଜୀବନର କଥା କହିଛନ୍ତି, ଯୋଉଠି ଫୁଲରେ ସୌନ୍ଦର୍ଯ୍ୟ ନାହିଁ, ପବନରେ ଗନ୍ଧ ନାହିଁ କି ସମୁଦ୍ରରେ ଉଦ୍‌ବେଳନ ନାହିଁ। ଏହା କହିଛନ୍ତି ବିଶିଷ୍ଟ ସାହିତ୍ୟିକ ଓ ସମାଲୋଚକ ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ‘ପୁସ୍ତକ ଚର୍ଚ୍ଚା’ କାର୍ଯ୍ୟକ୍ରମରେ କବି ଗୁରୁପ୍ରସାଦ ମହାନ୍ତିଙ୍କ ‘ସମୁଦ୍ର ସ୍ନାନ’ ପୁସ୍ତକ ଉପରେ ଆଲୋଚନା କରି ପ୍ରଫେସର ମହାନ୍ତି କହିଲେ, ତାଙ୍କ କବିତା ‘କାଳ ପୁରୁଷ’ ଓଡ଼ିଆ ଭାଷା, ଛନ୍ଦ ଓ ସଂସ୍କୃତିର ପୃଷ୍ଠଭୂମି ଉପରେ ଆଧାରିତ। କବି ମଧ୍ୟ ଏଲିଅଟ୍‌, ପାଶ୍ଚାତ୍ୟ ଓ ଦାର୍ଶନିକ ଚେତନା ଦ୍ବାରା ପ୍ରଭାବିତ ‌ହୋଇଥିଲେ ବୋଲି ପ୍ରଫେସର ମହାନ୍ତି କହିଥିଲେ। ଏହି ଅବସରରେ ସେ ‘ସମୁଦ୍ର ସ୍ନାନ’ ପୁସ୍ତକର କିଛି କବିତାର ପଂକ୍ତି ପଢ଼ି ତା’ର ବିଶ୍ଳେଷଣ କରିଥିଲେ। ଏହି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଂଜନ ପାଣିଗ୍ରାହୀ ମଞ୍ଚାସୀନ ଥିଲେ। ବିଭାଗୀୟ ନିର୍ଦେଶକ ବିଜୟ କୁମାର ନାୟକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦେଶିକା ଡ. ତମସାରାଣୀ ଦାସମହାପାତ୍ର ପ୍ରାରମ୍ଭରେ ସ୍ବାଗତ ଭାଷଣ ସହ ଅତିଥି ପରିଚୟ ଦେଇଥିଲେ।

ସମ୍ବନ୍ଧିତ ଖବର