ବିଏମ୍‌ସି ଓ ଭୁବନେଶ୍ୱର ବ୍ଲକର ସରକାରୀ ସ୍କୁଲରେ ଶିକ୍ଷା, ଗଠନ ହେଲା ୧୨୧୬ ହ୍ବାଟସ୍‌ଆପ୍‌ ଗ୍ରୁପ୍‌

୩୦ ସୁଦ୍ଧା ଭୁବନେଶ୍ୱରରେ ବହି ବଣ୍ଟା

ଭୁବନେଶ୍ୱର ଏପ୍ରିଲ ୩୦ ସୁଦ୍ଧା ରାଜଧାନୀର ସମସ୍ତ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟପୁସ୍ତକ ବଣ୍ଟନ କରାଯିବ। ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଠାରୁ ନିର୍ଦ୍ଦେଶ ପାଇବା ପରେ ବ୍ଲକ ଶିକ୍ଷା ଅଧିକାରୀ ଏଦିଗରେ ପଦକ୍ଷେପ ଗ୍ରହଣ କରିଛନ୍ତି। ହଟସ୍ପଟ ତଥା କଣ୍ଟେନମେଣ୍ଟ ଜୋନରେ ଆସୁଥିବା ଭୁବନେଶ୍ୱରର କିଛି ଅଞ୍ଚଳରୁ ଗତକାଲି କଟକଣା ହଟିବା ପରେ ଏଦିଗରେ ପଦକ୍ଷେପ ନିଆଯାଇଛି। ବ୍ଲକ ଶିକ୍ଷା ଅଧିକାରୀଙ୍କ ନିକଟରୁ ବିଏମ୍‌ସିର ସମସ୍ତ ୧୫ଟି କ୍ଲଷ୍ଟରକୁ ବହି ପଠା ସରିଛି। ଆସନ୍ତା ଦୁଇ ଦିନ ମଧ୍ୟରେ ସମସ୍ତ ବିଦ୍ୟାଳୟରେ ବହି ପହଞ୍ଚିବ ଏବଂ ୩୦ ତାରିଖ ସୁଦ୍ଧା ବଣ୍ଟନ ସାରିବାକୁ ଲକ୍ଷ୍ୟ ରଖାଯାଇଥିବା ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ସସ୍ମିତା ମାଳି କହିଛନ୍ତି।

ଅନ୍ୟପକ୍ଷରେ ଭୁବନେଶ୍ୱର ବ୍ଲକର ସମସ୍ତ ସିଆରସିସିଙ୍କ ନିକଟରେ ଆଜି ସୁଦ୍ଧା ବହି ପହଞ୍ଚି ଯାଇଛି। ସେମାନଙ୍କ ନିକଟକୁ ୩ଟି ପର୍ଯ୍ୟାୟରେ ବହି ପଠାଯାଇଛି। ପ୍ରଥମ ଦୁଇଟି ପର୍ଯ୍ୟାୟରେ ପଠାଯାଇଥିବା ବହିଗୁଡିକ ଇତିମଧ୍ୟରେ ବଣ୍ଟନ ସରିଛି। ଯେଉଁ କିଛି ବାକି ରହିଛି ଆସନ୍ତା ଦୁଇ ଦିନ ମଧ୍ୟରେ ବଣ୍ଟନ କରାଯିବ। କରୋନା ପାଇଁ ଜାରି ହୋଇଥିବା ନିୟମକୁ ପାଳନ କରି ବହି ବଣ୍ଟନ କରିବାକୁ ପରାମର୍ଶ ଦିଆଯାଇଛି। ସ୍କୁଲ କର୍ତ୍ତୃପକ୍ଷ ସେମାନଙ୍କ ସୁବିଧା ଦେଖି ପିଲାଙ୍କ ଘରେ କିମ୍ବା ସ୍କୁଲରେ ଅଭିଭାବକଙ୍କୁ ବହି ବାଣ୍ଟିବେ ବୋଲି ବିଇଓ ଶ୍ରୀମତୀ ମାଳି କହିଛନ୍ତି। ଭୁବନେଶ୍ୱର ମହାନଗର ନିଗମର ୧୫ଟି କ୍ଲଷ୍ଟରରେ ୨ୟରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୮୨୯ଟି ହ୍ବାଟସ୍‌ଆପ୍‌ ଗ୍ରୁପ ଗଢାଯାଇଛି। ୨ୟ ଓ ୩ୟ ଶ୍ରେଣୀରେ ୧୧୨ଟି ହ୍ବାଟ୍‌ସଆପ ଗ୍ରୁପ ଗଢ଼ା ଯାଇଥିବା ବେଳେ ଚତୁର୍ଥ ଶ୍ରେଣୀ ପାଇଁ ୧୧୬, ୫ମ ଶ୍ରେଣୀ ଲାଗି ୧୧୯, ଷଷ୍ଠ ଶ୍ରେଣୀ ପାଇଁ ୮୭, ୭ମ ଶ୍ରେଣୀ ଲାଗି ୯୨ଟି ଗ୍ରୁପ ତିଆରି କରାଯାଇ ପିଲାଙ୍କୁ ଶିକ୍ଷା ଦିଆଯାଉଛି। ସେହିପରି ୮ମ ଶ୍ରେଣୀ ଲାଗି ୭୭, ୯ମ ଶ୍ରେଣୀ ପାଇଁ ୫୩ ଓ ଦଶମ ଶ୍ରେଣୀ ଲାଗି ୬୧ଟି ହ୍ବାଟସ୍‌ଆପ୍‌ ଗ୍ରୁପ ତିଆରି କରାଯାଇ ପିଲାଙ୍କୁ ପଢ଼ାଯାଉଛି। ଏହି ଗ୍ରୁପଗୁଡିକରେ ପ୍ରାୟ ୧୨ ହଜାର ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଇ ପ୍ରତିଦିନ ଶିକ୍ଷା ଦିଆଯାଉଛି।

ଅନ୍ୟପକ୍ଷରେ ଭୁବନେଶ୍ୱର ବ୍ଲକରେ ଥିବା ବିଦ୍ୟାଳୟଗୁଡିକରେ ମୋଟ ୩୮୭ଟି ହ୍ବାଟସ୍‌ଆପ୍‌ ଗ୍ରୁପ ତିଆରି କରାଯାଇଛି। ଏଥିରେ ଦ୍ବିିତୀୟରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୩୬୧୭ ଜଣ ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି। ଦ୍ୱିତୀୟ ଶ୍ରେଣୀ ପାଇଁ ୪୯ ଗ୍ରୁପରେ ୩୩୯ ଜଣ ପିଲା ସାମିଲ ହୋଇଥିବା ବେଳେ ତୃତୀୟରେ ୮୧ ଗ୍ରୁପରେ ୩୨୦, ଚତୁର୍ଥ ଶ୍ରେଣୀରେ ୫୩ ଗ୍ରୁପରେ ୩୮୮, ୫ମ ଶ୍ରେଣୀରେ ୯୩ ଗ୍ରୁପରେ ୪୧୬, ଷଷ୍ଠ ଶ୍ରେଣୀରେ ୨୧ ଗ୍ରୁପରେ ୩୪୯, ୭ମ ଶ୍ରେଣୀରେ ୩୨ ଗ୍ରୁପରେ ୪୩୯, ୮ମ ଶ୍ରେଣୀରେ ୨୫ ଗ୍ରୁପରେ ୩୯୬, ୯ମ ଶ୍ରେଣୀରେ ୧୬ ଗ୍ରୁପରେ ୪୫୯ ଓ ଦଶମ ଶ୍ରେଣୀରେ ୧୭ ଗ୍ରୁପରେ ୫୧୧ ଜଣ ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଇଛି। ବିଇଓ ଶ୍ରୀମତୀ ମାଳି କହିଛନ୍ତି ଯେ କେଉଁ ଶ୍ରେଣୀରେ କ’ଣ ପଢ଼ାଯିବ ତାହାର ତାଲିକା ପ୍ରସ୍ତୁତ ସରିଛି। ପ୍ରଥମ ପର୍ଯ୍ୟାୟରେ ସିଆରସିସିଙ୍କୁ ପଠାଯାଇଥିଲା। ସେମାନେ ତାହାକୁ ସମସ୍ତ ସ୍କୁଲର ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀଙ୍କୁ ପଠାଇଛନ୍ତି। ସ୍କୁଲସ୍ତରରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ହ୍ବାଟସ୍‌ଆପ୍‌ରେ ପାଠ୍ୟକ୍ରମ ପଠାଯାଇଥିଲା। ସେଇ ଅନୁଯାୟୀ ପିଲାଙ୍କୁ ଶିକ୍ଷା ଦିଆଯାଉଛି। ଖୁବଶୀଘ୍ର ଦ୍ୱିତୀୟ ପର୍ଯ୍ୟାୟରେ ପାଠ୍ୟକ୍ରମ ପଠାଯିବ ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର