ପ୍ରକାଶକ, ବିକ୍ରେତା ନିରାଶ

ଭୁବନେଶ୍ବର : ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରତିଷ୍ଠିତ ପୁସ୍ତକ ପ୍ରକାଶକଙ୍କ ସମାଗମ ହୋଇଛି। ସନ୍ଧ୍ୟାରେ ବହୁ ବିଶିଷ୍ଟ ସାରସ୍ବତ ସାଧକଙ୍କୁ ନେଇ ଆଲୋଚନା ହେଉଛି। ପାରମ୍ପରିକ ନୃତ୍ୟ କାର୍ଯ୍ୟକ୍ରମ ପରିବେଷଣ ହେଉଛି। ମାତ୍ର ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ର ମୂଳ ଉଦ୍ଦେଶ୍ୟ ସଫଳ ହୋଇପାରିନାହିଁ। ଗୋଟେ ପଟେ ମାଟ୍ରିକ୍ ଓ +୨ ପରୀକ୍ଷା ଚାଲିଥିବା ବେଳେ ଅନ୍ୟପଟେ ଖଣ୍ଡଗିରି ମେଳା ଯୋଗୁଁ ପୁସ୍ତକ ମେଳା ପାଠକଙ୍କୁ ଆକୃଷ୍ଟ କରିପାରିନାହିଁ। ପୁଣି ବାହାଘର ଋତୁ ଚାଲିଥିବା ବେଳେ ଏଇ ମାସକ ତଳେ ବଡ଼ ବହି ମେଳା ଅନୁଷ୍ଠିତ ହୋଇଥିଲା। ତେଣୁ ରବିବାର ଭଳି ଛୁଟିଦିନରେ ମଧ୍ୟ ଆଶା ମୁତାବକ ପାଠକଙ୍କ ଆଗମନ ହୋଇପାରିନଥିଲା। ମାତ୍ର ଏସବୁକୁ ଦୃଷ୍ଟି ନଦେଇ ନିର୍ବାଚନ ପୂର୍ବରୁ କେମିତି କେଉଁ ବାଟରେ ଅର୍ଥ ଖର୍ଚ କରିବେ, ସେ ଦିଗରେ ବିଭାଗ ପକ୍ଷରୁ ବେଶି ତତ୍ପରତା ଦେଖାଦେଇଛି। ଫଳରେ ଏହାର କଷ୍ଟ ପୁସ୍ତକ ପ୍ରକାଶକ ଓ ବିକ୍ରେତାମାନଙ୍କୁ ଭୋଗିବାକୁ ପଡ଼ିଛି।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଏହି ମହୋତ୍ସବ ଆଉ ୩ଦିନ ପରେ ଶେଷ ହେବ। ମାତ୍ର ଏଯାଏଁ ଆଶା ମୁତାବକ ବହିର ବିକ୍ରିବଟା ହୋଇପାରିନାହିଁ। ଫଳରେ ପୁସ୍ତକ ପ୍ରକାଶକ ଓ ବିକ୍ରେତାମାନେ ନିରାଶ ହୋଇଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ନିଜେ ହସ୍ତକ୍ଷେପ କରି ଏ ବାବଦରେ ବିଚାରପୂର୍ବକ ପୁସ୍ତକ ମେଳାରେ ଅଂଶଗ୍ରହଣ କରିଥିବା ପ୍ରକାଶକ ଓ ବିକ୍ରେତାଙ୍କଠାରୁ ରାଜା ରାମମୋହନ ପାଠାଗାର କିମ୍ବା ଅନ୍ୟ ଯୋଜନାରେ ୨୦ରୁ ୨୫ହଜାର ଟଙ୍କା ମୂଲ୍ୟର ବହି କିଣିବା ପାଇଁ ପ୍ରକାଶକମାନେ ନିବେଦନ କରିଛନ୍ତି। ଏଥିସହ ବହି ଷ୍ଟଲ୍‌ ପାଇଁ ସଂସ୍କୃତି ବିଭାଗ ଯେଉଁ ନିର୍ଧାରିତ ଫି’ ରଖିଛି, ତାହା ଛାଡ଼ କରିବାକୁ ଲେଖକ, ପ୍ରକାଶକ, ବିକ୍ରେତାମାନେ ନିବେଦନ କରିଛନ୍ତି। ନଚେତ୍‌ ଷ୍ଟଲ୍‌ ନେଇଥିବା ପ୍ରକାଶକମାନଙ୍କ ଯିବା ଆସିବା ଖର୍ଚ ମଧ୍ୟ ଉଠିବ ନାହିଁ। କେବଳ ସେତିକି ନୁହେଁ, ଭବିଷ୍ୟତରେ ଏଭଳି ପୁସ୍ତକ ମେଳାରେ ଯୋଗଦେବାକୁ ଆଗ୍ରହ ପ୍ରକାଶ କରିବେ ନାହିଁ ବୋଲି ଅନେକ ପ୍ରକାଶକ କହିଛନ୍ତି।

ସମ୍ବନ୍ଧିତ ଖବର