୯ମ ଦିନରେ ପୁସ୍ତକ ମହୋତ୍ସବ : ଭାଙ୍ଗି ଯାଉଥିବା ଆସ୍ଥାକୁ ଯୋଡ଼ୁଥିବା ବହି ଲୋକପ୍ରିୟ ହୁଏ

ଭୁବନେଶ୍ବର : ଯେଉଁ ବହି ଆମ ଭିତରେ ଭାଙ୍ଗି ଯାଇଥିବା ଆସ୍ଥାକୁ ଯୋଡ଼ି ଦେବାରେ ସାହାଯ୍ୟ କରେ ସେଇ ବହି ପଢ଼ିବା ପାଇଁ ଆଗ୍ରହ ପ୍ରକାଶ ପାଏ। ଯେବେ ବହିର କଥାବସ୍ତୁରେ ସାଧାରଣ ମଣିଷ ନିଜର କଥାକୁ ଉପଲବ୍ଧି କରେ ଓ ଆଗକୁ ବଢ଼ିବାକୁ ସାହସ ପାଏ, ସେଇ ବହି ଲୋକପ୍ରିୟ ହୁଏ ବୋଲି କହିଛନ୍ତି ବିଶିଷ୍ଟ କଥାକାର ଗୌରହରି ଦାସ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ପୁସ୍ତକ ମହୋତ୍ସବର ସାରସ୍ବତ ମଞ୍ଚରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶ୍ରୀ ଦାସ କହିଲେ, ପରମ୍ପରା ସହ ଲକ୍ଷ୍ମୀପୁରାଣ ଯୋଡ଼ି ହୋଇ ରହିଥିବାରୁ ତାହାର ଲୋକପ୍ରିୟତା ରହିଛି। ବର୍ଣ୍ଣ‌ବୋଧକୁ ଶିକ୍ଷା ସହିତ ଯୋଡ଼ା ଯାଇଥିବାରୁ ତା’ର ଗୁରୁତ୍ବ ରହିଛି। ଆମର ପରମ୍ପରା ସାହିତ୍ୟ ସହିତ ଯୋଡ଼ି ହେଲେ ତାହା ଲୋକାଦୃତ ହୁଏ। ଭାରତୀୟ ଭାଷାରେ ସେହିଭଳି ବହୁ ଗୁରୁତ୍ବପୂର୍ଣ୍ଣ ଓ ସମକାଳୀନ ବହି ରହିଛି। ସଂସ୍କୃତି ବିଭାଗ ଏହି ପୁସ୍ତକଗୁଡ଼ିକୁ ଓଡ଼ିଆ ଭାଷାରେ ଅନୁବାଦ କରିବା ଆବଶ୍ୟକ ‌ବୋଲି ସେ କହିଛନ୍ତି।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଂଜନ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାରସ୍ବତ ସଭାରେ ଶ୍ରୀ ଦାସ କହିଲେ, ମହାତ୍ମା ଗାନ୍ଧୀ ନିଜେ ହେଉଛନ୍ତି ଭାରତର ସର୍ବାଧିକ ମୂଲ୍ୟବାନ ପୁସ୍ତକ। ପିଲାବେଳୁ ସାଧାରଣ ସ୍ବଭାବର ଥିବା ଗାନ୍ଧୀ ଜୀବନ କାଳ ଭିତରେ ଅସାଧାରଣ ହୋଇପାରିଥିଲେ। ତେଣୁ ମହାତ୍ମାଙ୍କ ଜୀବନ ସାଧାରଣରୁ ଅସାଧାରଣ ହେବାର ଶିକ୍ଷା ଦିଏ ବୋଲି ସେ କହିଥିଲେ।

‘କାଦମ୍ବିନୀ’ର ସମ୍ପାଦିକା ଡ. ଇତିରାଣୀ ସାମନ୍ତ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ସାହିତ୍ୟ, ସଂସ୍କୃତି ଓ ପରମ୍ପରା ମଣିଷକୁ ପରିଚୟ ଦିଏ। ଓଡ଼ିଆ ସାହିତ୍ୟର ଅତୀତ ଭଳି ଭବିଷ୍ୟତ ମଧ୍ୟ ଜାଜ୍ବଲ୍ୟମାନ।

ଏହି ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମି ପ୍ରକାଶିତ ଗୌରହରି ଦାସଙ୍କ ମୂଳ ପୁସ୍ତକ ଓ ରାଧାକାନ୍ତ ମିଶ୍ରଙ୍କ ହିନ୍ଦୀ ଅନୁଦିତ ପୁସ୍ତକ ‘ଅପ୍‌ନେ ସାଥ୍‌ ଅପ୍‌ନି ଲଢ଼ାଇ’, ଡ.ଶକୁନ୍ତଳା ବଳିୟାରସିଂହଙ୍କ ଅନୁଦିତ ପୁସ୍ତକ ‘ଗ୍ରୀମ୍‌ଙ୍କ ପରୀ ଗଳ୍ପ’, ସୁନିଲ ଗଙ୍ଗୋପାଧ୍ୟାୟଙ୍କ ଉପନ୍ୟାସ ‘ମନେର୍‌ ମାନୁଷ୍‌’ର ଅନୁବାଦ ସୂର୍ଯ୍ୟ ମିଶ୍ରଙ୍କ ଅନୁସୃଜନ ‘ମନର ମଣିଷ’, ସତ୍ୟକାନ୍ତ ସାହୁଙ୍କ ରଚିତ ‘ହେ ଫଗୁଣ ତୁମେ ଗଲା ପରେ ପରେ’ ଲେକାର୍ପିତ ହୋଇଥିଲା।

ବିଭାଗୀୟ ନିର୍ଦେଶକ ବିଜୟ ନାୟକ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିଲେ। ବିଭାଗୀୟ ଯୁଗ୍ମ ନିର୍ଦେଶକ ଲିପ୍‌ସା ଦାସ ଓ ମନସ୍ବିନୀ ସାହୁ ଅତିଥିଙ୍କୁ ସ୍ବାଗତ କରିଥିଲେ। ରାଜଧାନୀ ପୁସ୍ତକ ମେଳାର ସମ୍ପାଦକ ବିଧୁଭୂଷଣ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଡ. ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। କଳିଙ୍ଗ ପୁସ୍ତକ ମେଳା କମିଟି ସହଯୋଗରେ ‘ପେଟେଣ୍ଟ୍‌ ମେଡିସିନ୍‌’ ନାଟକ ଓ ପଶ୍ଚିମବଙ୍ଗର ବାଉଲ୍‌ ସଂଗୀତ ପରିବେଷଣ ହୋଇଥିଲା।

ସମ୍ବନ୍ଧିତ ଖବର