ପୁସ୍ତକ ମେଳା: ଦୁର୍ଲଭ ସାହିତ୍ୟର ପୁନଃପ୍ରକାଶ ହେଉ

ଭୁବନେଶ୍ବର: ଟଙ୍କିକିଆ ଚାଉଳ ଦେଇ ପେଟର କ୍ଷୁଧା ମେଣ୍ଟା ଯାଉଛି। ଅଥଚ ମନର ଜ୍ଞାନର କ୍ଷୁଧା ମେଣ୍ଟାଇବା ପାଇଁ ସରକାର ଦୃଷ୍ଟି ଦେଉନାହାନ୍ତି। ପୁସ୍ତକ ମେଳା ସଂଖ୍ୟା ବଢ଼ୁଛି, ହେଲେ କାଳଜୟୀ ଲେଖକଙ୍କ ଦୁର୍ଲଭ ବହି ମିଳୁନାହିଁ। ସାହିତ୍ୟ ଏକାଡେମି ପ୍ରଥମେ ଏହି କାଳଜୟୀ ସାହିତ୍ୟର ପୁନଃପ୍ରକାଶ କରୁ। ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ର ତୃତୀୟ ସନ୍ଧ୍ୟାରେ ଯୋଗଦେଇ ବିଶିଷ୍ଟ କଥାକାର ବିଭୂତି ପଟ୍ଟନାୟକ ଏହା କହିଛନ୍ତି। ପଦ୍ମବିଭୂଷଣ ରମାକାନ୍ତ ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ, ଆମ ସମୟରେ ପୁସ୍ତକ ମେଳା ଅତ୍ୟନ୍ତ ଉପଯୋଗୀ ଏବଂ ପ୍ରାସଙ୍ଗିକ। ବିଶିଷ୍ଟ ଲେଖିକା ମନୋରମା ମହାପାତ୍ର ବିଶିଷ୍ଟ ଅତିଥି ଭାବେ ଯୋଗଦେଇ କହିଲେ, ବିଜ୍ଞାନର ଅଗ୍ରଗତି ହୋଇଛି ମାତ୍ର ପୁସ୍ତକ ପଢ଼ିବା ପାଇଁ ଆନ୍ତରିକତା କମିଛି। ତେଣୁ ପିଲାଦିନୁ ପୁସ୍ତକ ପଠନର ଅଭ୍ୟାସ ପାଇଁ ଘରୁ ପିଲାମାନଙ୍କୁ ଉତ୍ସାହିତ କରିବା ଆବଶ୍ୟକ ବୋଲି ସେ କହିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମିର ସଭାପତି ହରିହର ମିଶ୍ରଙ୍କ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ବିଭାଗୀୟ ପ୍ରମୁଖ ସଚିବ ମନୋରଂଜନ ପାଣିଗ୍ରାହୀ, ଓଡ଼ିଶା ସାହିତ୍ୟ ଏକାଡେମିର ସଚିବ ଜୟନ୍ତୀ ରଥ, ଯୁଗ୍ମ ଶାସନ ସଚିବ ମନସ୍ବିନୀ ସାହୁ ଉପସ୍ଥିତ ଥିଲେ। ଏହି ଅବସରରେ ବିଜୟାନନ୍ଦ ସିଂହ ଏବଂ ରବିନାରାୟଣ ମହାରଣାଙ୍କ ସମ୍ପାଦନାରେ ପ୍ରସ୍ତୁତ ପୁସ୍ତକ ‘ଓଡ଼ିଆ ଲେଖକ ପରିଚୟ’, ଅର୍ପିତା ଦାସଙ୍କ ରଚିତ ‘ସ୍ବାଧୀନତା ପରବର୍ତୀ ଓଡ଼ିଆ ନାଟକରେ ପାଶ୍ଚାତ୍ୟ ପ୍ରଭାବ’, ଜଗନ୍ନାଥ ରଥଙ୍କ ପ୍ରକାଶିତ ଏବଂ କୁସୁମ୍‌ ପଟେଲ୍‌ଙ୍କ ରଚିତ ‘ନୟନାର ନିଜ କଥା’ ପୁସ୍ତକ ଲୋକାର୍ପିତ ହୋଇଥିଲା। ଶେଷରେ ଜିତେନ୍ଦ୍ରୀୟ ହରିପାଲ୍‌ଙ୍କ ଦ୍ବାରା ସଂଗୀତ କାର୍ଯ୍ୟକ୍ରମ ଏବଂ ଦୁର୍ଗା ଦାସଙ୍କ ନୃତ୍ୟ ନିର୍ଦେଶନାରେ ‘ରଙ୍ଗ ଫରୁଆ’ ପକ୍ଷରୁ ସମ୍ବଲପୁରୀ ନୃତ୍ୟ ପରିବେଷିତ ହୋଇଥିଲା।

ସମ୍ବନ୍ଧିତ ଖବର