ଭୁବନେଶ୍ୱର: ପୁସ୍ତକ ହେଉଛି ଜ୍ଞାନର ଗବାକ୍ଷ। ଏହାର କୌଣସି ବିକଳ୍ପ ନାହିଁ। ପୁସ୍ତକ ପଠନ ଦ୍ୱାରା ଚିନ୍ତାଚେତନା ଓ ଭାବଭାବନାର ବିକାଶ ହୋଇଥାଏ। ବର୍ତ୍ତମାନର ଡିଜିଟାଲ ଯୁଗରେ ପୁସ୍ତକ ପଠନ ଧୀରେଧୀରେ କମିଯାଉଛି ବୋଲି ବହୁ ପ୍ରମାଣ ରହିଛି। ହେଲେ ରାଜଧାନୀର ଆୟୋଜିତ ପୁସ୍ତକ ମେଳାଗୁଡ଼ିକରେ ପୁସ୍ତକପ୍ରେମୀଙ୍କ ଭିଡ଼ ଏହି କଥାକୁ ଭୁଲ୍ ବୋଲି ପ୍ରମାଣିତ କରୁଛି। ଅପରାହ୍ଣରୁ ଉଭୟ ମେଳାକୁ ପାଠକଙ୍କ ସୁଅ ଛୁଟୁଛି। ବର୍ତ୍ତମାନ ସହରରେ ଆୟୋଜିତ ‘ରାଜଧାନୀ ପୁସ୍ତକ ମେଳା’ ଓ ‘କଳିଙ୍ଗ ପୁସ୍ତକ ମେଳା’ ଉଭୟରେ ପାଠକଙ୍କ ଭିଡ଼ ଜମୁଛି। ପରୀକ୍ଷାମୂଳକ ପୁସ୍ତକଠାରୁ ଆରମ୍ଭ କରି ଦେଶପ୍ରେମ, ଆତ୍ମଜୀବନୀ, କବିତା, ଉପନ୍ୟାସ, ଇତିହାସ, ପୁରାଣ ଆଦି ପୁସ୍ତକ କିଣିବାକୁ ଭିଡ଼ ଜମୁଛି। ମେଳାକୁ ଯିଏ ବି ଫେରୁଛି ହାତରେ ଦୁଇରୁ ତିନିଟି ପୁସ୍ତକ ନେଇ ଫେରୁଛି। ଏପରିକି କିଛି ଲେଖକ ମଧ୍ୟ ମେଳାରେ ଉପସ୍ଥିତ ରହି ପାଠକମାନଙ୍କୁ ଉତ୍ସାହିତ କରୁଛନ୍ତି। ଲୋକେ ପୁସ୍ତକ କିଣି ଲେଖକଙ୍କ ସହ ଫଟୋ ଉଠାଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରୁଛନ୍ତି। ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବିକ୍ରେତାମାନେ ଆକର୍ଷଣୀୟ ରିହାତି ମଧ୍ୟ ପ୍ରଦାନ କରୁଛନ୍ତି।
ଇଂରାଜୀ ‘ରୋମାଣ୍ଟିକ ଉପନ୍ୟାସ’ରେ ଯୁବପିଢ଼ିଙ୍କ ଆଖି
‘ଅଧ ରାତିରେ ମୋବାଇଲରେ ନିଜର ପ୍ରିୟ କଣ୍ଠଶିଳ୍ପୀଙ୍କ ସଙ୍ଗୀତ ବାଜୁଥିବ ଏବଂ ହାତରେ ଥିବ ଏକ ରୋମାଣ୍ଟିକ ପୁସ୍ତକ, ପ୍ରେମ ନ ହୋଇଥିଲେ ବି ଆପେ ଆପେ ହେଇଯିବ’ ଏଭଳି କିଛି କହି ନିଜର ସାଙ୍ଗକୁ ରୋମାଣ୍ଟିକ ଉପନ୍ୟାସ କିଣିବାକୁ ଆଉ ଗୋଟେ ସାଙ୍ଗ ବାଧ୍ୟ କରୁଥିବାର ଦୃଶ୍ୟ ମେଳାରେ ଦେଖିବାକୁ ମିଳିଥିଲା। ବହୁ ଯୁବ ପିଢ଼ି ଲେଖିକା ଆନା ହୁଆଙ୍ଗ ‘ଟ୍ୱିଷ୍ଟେଡ୍ ଲଭ୍’, ‘ଟ୍ୱିଷ୍ଟେଡ୍ ହେଟ୍’, ‘ଟ୍ୱିଷ୍ଟେଡ୍ ଲାଏଜ’, ପ୍ରୀତି ସେନଏଙ୍କ ‘ହ୍ୱେନ ଲଭ୍ କେମ୍ କଲିଂ’, ଅଜୟ କେ ପାଣ୍ଡେଙ୍କ ‘ଏଭ୍ରିଥିଂ ଆଇ ନେଭର୍ ଟୋଲ୍ଡ ୟୁ’ ଆଦି ପୁସ୍ତକ କିଣୁଥିବାର ଦେଖାଯାଇଥିଲା।
ଆକର୍ଷଣରେ ‘ଆମ ଓଡ଼ିଶା’ ଷ୍ଟଲ
ଗବେଷଣା ସହିତ ନିଜର ଲେଖାକୁ ସୁଦୃଢ଼ କରିବା ପାଇଁ ଉଭୟ ମେଳାରେ ଛାତ୍ରଛାତ୍ରୀମାନେ ‘ଆମ ଓଡ଼ିଶା’ ଷ୍ଟଲରେ ଭିଡ଼ ଜମାଉଛନ୍ତି। ସୀତେଶ ତ୍ରିପାଠୀଙ୍କ ଅନୁବାଦ ପୁସ୍ତକ ‘ତେଜସ୍ୱିନୀ’, କୀର୍ତ୍ତନ ନାରାୟଣ ପାଢ଼ୀଙ୍କ ‘ଆମ ଓଡ଼ିଆ ଭାଷା’, ରଣଜିତ ଗୁରୁଙ୍କ ‘ଓଡ଼ିଶା ରାଜନୀତି, ଶାସନ ଓ ବିକାଶ’, ସୌମ୍ୟରଂଜନ ପଟ୍ଟନାୟକ ଓ ଵାସବିର ହୁସେନଙ୍କ ସମ୍ପାଦନାରେ ପ୍ରକାଶିତ ପୁସ୍ତକ ‘ଜାନକୀ ବଲ୍ଲଭ ପଟ୍ଟନାୟକ: ଦ ମାର୍ଚ ଟୁ ଏ ମର୍ଡନ ଓଡ଼ିଶା’ ଆଦିର ବିକ୍ରି ବଢ଼ୁଛି।
ବିବାଦ ବଢ଼ାଉଛି ଇତିହାସ ପୁସ୍ତକର ବିକ୍ରି
ବର୍ତ୍ତମାନ ଭାରତର ଇତିହାସକୁ ନେଇ ବହୁ ସମୟରେ ବିବାଦ ଦେଖାଯାଉଛି। ଅନେକ ସମୟରେ ଅଭିଭାଷଣଗୁଡ଼ିକରେ ଭିନ୍ନ ମତ ପ୍ରକାଶ ପାଉଛି। ତେଣୁ ଏହି ଦ୍ୱନ୍ଦ୍ବ ପାଠକମାନଙ୍କୁ ଭିନ୍ନ ଭିନ୍ନ ଇତିହାସ ସମ୍ୱଳିତ ପୁସ୍ତକ କିଣିବାକୁ ଉତ୍ସାହିତ କରୁଛି। ମେଳାରେ ବିଭିନ୍ନ ପ୍ରକାଶନୀ ପକ୍ଷରୁ ପ୍ରାଚୀନ, ମଧ୍ୟ ଓ ଆଧୁନିକ ଭାରତର ଇତିହାସ ପୁସ୍ତକ ସମେତ ବହୁ ଛାତ୍ରଛାତ୍ରୀ ଅମର୍ତ୍ତ୍ୟ ସେନଙ୍କ ‘ଦ ଅଗମେଣ୍ଟେଟିଭ୍ ଇଣ୍ଡିଆନ’, ଅରୁଣ କୁମାରଙ୍କ ‘ଫିଲାନଥ୍ରୋପି ଆଣ୍ଡ ଦ ଡେଭେଲପମେଣ୍ଟ ଅଫ୍ ମଡର୍ଣ୍ଣ ଇଣ୍ଡିଆ’ ଆଦି ପୁସ୍ତକ କିଣୁଛନ୍ତି ବୋଲି ବୋଲି ‘ସିଓ’ ବୁକ୍ ଷ୍ଟଲର ମହମ୍ମଦ ସାଜିଦ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/23/dgdagdazcvcvcv-2025-11-23-02-27-43.jpg)