ଭୁବନେଶ୍ବର: ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ଷ୍ଟଲ୍ ଆବଣ୍ଟନ ବିବାଦ ତୁଟିଛି। ଆଜି ଅପରାହ୍ଣରେ ପ୍ରଦର୍ଶନୀ ପଡ଼ିଆଠାରେ ଦୁଇ ପ୍ରକାଶକ ସଂଘ ଓ ସରକାରଙ୍କ ମଧ୍ୟରେ ଆଲୋଚନା ସଫଳ ହେବା ପରେ ସହମତି ଭିତ୍ତିରେ ଏଥର ଷ୍ଟଲ ଆବଣ୍ଟନ ହେବ ବୋଲି ସ୍ଥିର ହୋଇଛି। ଏ ନେଇ ପରିବର୍ତ୍ତିତ ଲେ-ଆଉଟ୍ ସରକାରଙ୍କ ପକ୍ଷରୁ ନିର୍ମାଣକାରୀ ସଂସ୍ଥାକୁ ଦିଆଯିବ ଏବଂ ସେ ସେହି ଅନୁସାରେ ଷ୍ଟଲ ନିର୍ମାଣ କରିବେ ବୋଲି ଆଜି ବୈଠକରେ ନିଷ୍ପତ୍ତି ହୋଇଛି। ତେବେ ଅଧିକାରୀଙ୍କ ବିନା ଅନୁମତିରେ ନିର୍ମାଣକାରୀ ସଂସ୍ଥା କାହିଁକି ଓ କାହା ଚାପରେ ମନଇଚ୍ଛା ଷ୍ଟଲ ନିର୍ମାଣ କରୁଥିଲା ବୋଲି ପ୍ରଶ୍ନ ଉଠିଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ଓଡ଼ିଶା ସରକାର ରାଜ୍ୟ ପୁସ୍ତକ ମହୋତ୍ସବ ଆୟୋଜନ କରୁଛନ୍ତି। ଏଥି ନିମନ୍ତେ ଷ୍ଟଲ୍ ନିର୍ମାଣ ଓ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟପାଇଁ ଟେଣ୍ଡର ଆହ୍ବାନ କରାଯାଇଥିଲା। ଟେଣ୍ଡର ପାଇଥିବା ପ୍ରଥମ ସଂସ୍ଥା ଓହରି ଯିବାରୁ ଦ୍ବିତୀୟ ସ୍ଥାନରେ ଥିବା ‘କଲରପ୍ଲସ୍’ ନାମକ ଏକ ସଂସ୍ଥା ଟେଣ୍ଡର ପାଇଥିଲା। ବଡ଼ କଥା ହେଲା ରାଜ୍ୟ ପୁସ୍ତକ ମହୋତ୍ସବ ଲେ-ଆଉଟ୍କୁ ଅନୁମୋଦନ ନକରି ମନଇଚ୍ଛା ନିର୍ମାଣ କରିଥିଲା ଟେଣ୍ଡର ପାଇଥିବା ସଂସ୍ଥା। ଯାହାକୁ ନେଇ ବିବାଦ ଉପୁଜିଥିଲା। ଗାଣତାନ୍ତ୍ରିକ ଉପାୟରେ ଷ୍ଟଲ ଆବଣ୍ଟନ କରାଯାଉ ବୋଲି ଦାବି କରି ସହ ୭ ଜଣ ପ୍ରକାଶକ ୬୧ଟି ଷ୍ଟଲ ଫେରାଇଥିଲେ।
ସହମତି ଭିତ୍ତିରେ ହେଲା ଷ୍ଟଲ ଆବଣ୍ଟନ
କାହା ନିର୍ଦ୍ଦେଶରେ ଷ୍ଟଲ୍ କରୁଥିଲା ନିର୍ମାଣକାରୀ ସଂସ୍ଥା?
ହି ବିବାଦର ସମାଧାନ ପାଇଁ ସଂସ୍କୃତି ବିଭାଗ ପକ୍ଷରୁ ଯୁଗ୍ମ ସଚିବ ଦେବପ୍ରସାଦ ଦାଶଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ପ୍ରକାଶକ ସଂଘ ଏବଂ ଓଡ଼ିଶା ପବ୍ଲିଶର୍ସ ଆଣ୍ଡ୍ ବୁକ୍ସେଲର୍ସ ଆସୋସିଏସନ୍ ସହ ଆଲୋଚନା ହୋଇଥିଲା। ଲେ-ଆଉଟ୍ ଅନୁମୋଦନ କରାନଯାଇ କାହିଁକି ନିର୍ମାଣ କରାଗଲା ବୋଲି ପ୍ରଶ୍ନ ଉଠିଥିଲା। ଏହାପରେ ସର୍ବସମ୍ମତିକ୍ରମେ ଷ୍ଟଲ ଲେ-ଆଉଟ୍ ପରବିର୍ତ୍ତନ ପାଇଁ ନିଷ୍ପତ୍ତି ହୋଇଥିଲା। ପରିବର୍ତ୍ତିତ ଆବଣ୍ଟନ ବ୍ୟବସ୍ଥା ନେଇ ସରକାରୀ ପ୍ରତିନିଧି ଓ ଉଭୟ ସଂଘର ପ୍ରତିନିଧିମାନେ ସହମତି ପ୍ରକାଶ କରିଥିଲେ। ତଦନୁଯାୟୀ ଦାୟିତ୍ବରେ ଥିବା ବିଭାଗର ବରିଷ୍ଠ ଅଧିକାରୀ ଶୁଚିସ୍ମିତା ମନ୍ତ୍ରୀ ନିର୍ମାଣକାରୀ ସଂସ୍ଥାକୁ ନୂଆ ଲେ-ଆଉଟ୍ ପ୍ରଦାନ କରିବେ। ନୂଆ ଲେ-ଆଉଟ୍ ଅନୁସାରେ ଷ୍ଟଲ ଢାଞ୍ଚା ବଦଳାଇବାକୁ କଲରପ୍ଲସ୍ର ମାନସ ରଞ୍ଜନ ରାୟଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ବୈଠକ ପରେ ଓଡ଼ିଶା ପ୍ରକାଶକ ସଂଘର ସଭାପତି କ୍ଷୀରୋଦ ଚନ୍ଦ୍ର ପତି ଓ ଓଡ଼ିଶା ପବ୍ଲିଶର୍ସ ଆଣ୍ଡ୍ ବୁକ୍ସେଲର୍ସ ଆସୋସିଏସନ୍ର ସଦସ୍ୟ ବିଭୁ ପ୍ରସାଦ ତ୍ରିପାଠୀ ଏକ ମିଳିତ ପ୍ରେସ୍ ବାର୍ତ୍ତାରେ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ଏବଂ ଭବିଷ୍ୟତରେ ଉଭୟ ସଂଘ ସରକାରଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଓଡ଼ିଶା ପ୍ରକାଶକ ସଂଘ ପକ୍ଷରୁ ବନୋଜ ତ୍ରିପାଠୀ, ତୁଷାର ବରଣ ସାହୁ, ସରୋଜ ବଳ, ଶୁଭ୍ରାଂଶୁ ପଣ୍ଡା, ଦେବାଶିଷ ସାମନ୍ତରାୟ, ସୁଧୀର ମଉଡ଼ମଣି ଓ ବିଜୟ କୁମାର ମହାପାତ୍ର ଆସିଥିବାବେଳେ ଓଡ଼ିଶା ପବ୍ଲିଶର୍ସ ଆଣ୍ଡ୍ ବୁକ୍ସେଲର୍ସ ଆସୋସିଏସନ୍ ପକ୍ଷରୁ ଶୁଭେନ୍ଦୁ ଶେଖର ରଥ, ଅଜୟ କୁମାର ପଣ୍ଡା, ସୁଧାଂଶୁ ପ୍ରଧାନ ଓ ଅରୁଣ କୁମାର ମିଶ୍ର ବୈଠକରେ ଯୋଗ ଦେଇଥିଲେ। ଡିସେମ୍ବର ୬ରୁ ୧୨ ଦିନ ଧରି ରାଜ୍ୟ ପୁସ୍ତକ ମହୋତ୍ସବ ଅନୁଷ୍ଠିତ ହେବ।