ଜଗନ୍ନାଥ ସଂସ୍କୃତି ପୁସ୍ତକ ଅଧିକ ଅନୁଦିତ ହେଉ

ଭୁବନେଶ୍ବର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପର୍କିତ ବିଷୟବସ୍ତୁକୁ ବିଭିନ୍ନ ଭାଷାରେ ଅନୁବାଦ କରି ପୁସ୍ତକ ଆକାରରେ ସମଗ୍ର ବିଶ୍ବରେ ପହଞ୍ଚାଇବା ଉଚିତ୍‌। ଏହା ହେଲେ ସମଗ୍ର ପୃଥିବୀରେ ଓଡ଼ିଆ ଜାତି ଏବଂ ଏ ଜାତିର ଆରାଧ୍ୟ ଦେବତାଙ୍କ ସମ୍ପର୍କରେ ବିଶ୍ବବାସୀ ଅବଗତ ହୋଇପାରିବେ। ବିଶେଷ କରି ସମସ୍ତ ଦୂତାବାସରେ ଏହି ବହି ପହଞ୍ଚିବା ଆବଶ୍ୟକ ବୋଲି ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର କହିଛନ୍ତି। ଜୟଦେବ ଭବନରେ ଲେଖକ ଶ୍ରୀନିବାସ ଆଚାର୍ଯ୍ୟଙ୍କ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଆଧାରିତ ପୁସ୍ତକ ‘ଶ୍ରୀ ପୁରୁଷୋତ୍ତମ ପ୍ରସଙ୍ଗ’କୁ ଲୋକାର୍ପଣ କରି ଶ୍ରୀ ବେନହରୁ ଏହା କହିଛନ୍ତି। ସ୍ବାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ମେୟର ଅନନ୍ତ ନାରାୟଣ ଜେନା, ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ବକ୍ତବ୍ୟ ରଖି ଏହି ପୁସ୍ତକରେ ଅନେକ ଗବେଷଣାତ୍ମକ ତଥ୍ୟ ସହ ରହସ୍ୟକୁ ଉନ୍ମୋଚନ କରାଯାଇଛି ବୋଲି କହିଥିଲେ। ନିମାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ସାହିତ୍ୟିକ କୁଞ୍ଜବିହାରୀ ମହାନ୍ତି ଏ ପୁସ୍ତକରେ ଶ୍ରଜଗନ୍ନାଥଙ୍କ ସଂପର୍କରେ ଅନେକ ଅନାଲୋଚିତ ଦିଗକୁ ଉନ୍ମୋଚନ କରାଯାଇଛି ବୋଲି କହିଥିଲେ। ବାଉରୀବନ୍ଧୁ ପଟ୍ଟନାୟକ ପୁସ୍ତକର ସମୀକ୍ଷା କରିଏହି ବହିରେ ଶ୍ରୀଜଗନ୍ନାଥ ଓ ପୁରୁଷୋତ୍ତମ କ୍ଷେତ୍ରର ଅନେକ ଗୁପ୍ତ ତଥ୍ୟକୁ ଉନ୍ମୋଚନ କରାଯାଇଛି ବୋଲି କହିଥିଲେ। ଲେଖକୀୟ ବକ୍ତବ୍ୟରେ ଶ୍ରୀ ଆଚାର୍ଯ୍ୟ କହିଥିଲେ, ଦୀର୍ଘ ବର୍ଷ ଧରି ଉପେକ୍ଷିତ ଥିବା ପୁସ୍ତକ ଆଜି ପ୍ରକାଶ ପାଇଛି। ମୁଁ କିଛି କରିନାହିଁ କି ଲେଖି ନାହିଁ। ପ୍ରଭୁ ମୋ ଦ୍ବାରା ଏସବୁ କରାଇଛନ୍ତି। ଏ ବହି ପଛରେ ମୋ କକେଇ ଚିନ୍ତାମଣି ଆଚାର୍ଯ୍ୟଙ୍କ ଆଶୀର୍ବାଦ ରହିଛି ବୋଲି ସେ କହିଥିଲେ। ଏହି ଅବସରରେ ସ୍ତମ୍ଭକାର ଆଡ୍‌‌ଭୋକେଟ୍‌ ବୀରକିଶୋର ବାରିକ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁମନ୍ତ କୁମାର ସାହୁ ବକ୍ତବ୍ୟ ରଖିଥିଲେ। ପ୍ରାରମ୍ଭରେ ଶିବ ପ୍ରସାଦ ମିଶ୍ର ବେଦ ପାଠ କରିଥିବା ବେଳେ ରାଜଶ୍ରୀ ହୋତା ଓ ଶ୍ୟାମପ୍ରକାଶ ସେନାପତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସୁନିତା ମହାପାତ୍ର, ଆଶୁତୋଷ ଓ ଇଶିତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ବିଭୁଦତ୍ତ ଆଚାର୍ଯ୍ୟ ଧନ୍ୟବାଦ ଦେଇଥିଲେ। ନିରୁପମା ପ୍ରକାଶନୀ ପ୍ରକାଶିତ ପୁସ୍ତକ ‘ଶ୍ରୀପୁରୁଶୋତ୍ତମ ପ୍ରସଙ୍ଗ’ ୧୭୪ ପୃଷ୍ଠା ସମ୍ବଳିତ। ୧୭ଟି ବିଷୟ ଉପରେ ଆଧାରିତ ଏହି ପୁସ୍ତକରେ ‌ଅରୁଣ ସ୍ତମ୍ଭ ଠାରୁ ଆରମ୍ଭ କରି ସନ୍ଥମାନଙ୍କର ଲୀଳା କ୍ଷେତ୍ର ଯର୍ଯ୍ୟନ୍ତ ବିଷୟକୁ ସ୍ଥାନିତ କରାଯାଇଛି।

ସମ୍ବନ୍ଧିତ ଖବର