କୋଭିଡ୍‌-୧୯ ବିପକ୍ଷରେ ଯୁଦ୍ଧ : ବରିଷ୍ଠ ନାଗରିକଙ୍କ ପାଇଁ ସହାୟତା ପୁସ୍ତିକା

ଭୁବନେଶ୍ବର : କରୋନା ମୁକାବିଲା କରିବା ପାଇଁ ପ୍ରତ୍ୟେକ ମଣିଷ ଜଣେ ଜଣେ ଯୋଦ୍ଧା ସାଜିଛନ୍ତି। ଯୁଦ୍ଧ ଜିତିବା ପାଇଁ ପ୍ରତ୍ୟେକଙ୍କୁ ସଂଜମ ଓ ଶୃଙ୍ଖଳା ଦେଖାଇବାର ବେଳ ଆସିଛି। ବରିଷ୍ଠ ନାଗରିକମାନେ ଅଧିକ ସମ୍ବେଦନଶୀଳ ଅଛନ୍ତି। ଏଣୁ ସେମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇଛି କମିସନରେଟ୍‌ ପୁଲିସ। ସେମାନଙ୍କ ପାଖରେ ସମସ୍ତ ପ୍ରକାରର ସୂଚନା ପହଞ୍ଚିବା ପାଇଁ କମିସନରେଟ୍‌ ପୁଲିସ ପ୍ରସ୍ତୁତ କରିଛି ସହାୟତା ପୁସ୍ତିକା। ଏଥିରେ ସମସ୍ତ ଥାନାର ବରିଷ୍ଠ ଅଧିକାରୀମାନଙ୍କର ମୋବାଇଲ ନମ୍ବର ସହ କଣ କରିବାକୁ ହେବ କଣ ନ କରିବାକୁ ହେବ ତାହା ଲେଖାଯାଇଛି। ପନିପରିବା ସହ ଅତ୍ୟାବଶ୍ୟକ ଜିନିଷ ଘର ପାଖରେ ପହଞ୍ଚାଇବା ପାଇଁ ଥାନାୱାରି ବ୍ୟବସାୟୀମାନଙ୍କର ଫୋନ୍‌ ନମ୍ବର ମଧ୍ୟ ରହିଛି। କଟକ ଓ ଭୁବନେଶ୍ବରର ବରିଷ୍ଠ ନାଗରିକମାନେ ଘରେ ବସି ‘ହୋମ୍‌ ଡେଲିଭରି’ ବ୍ୟବସ୍ଥା ଜରିଆରେ ଔଷଧ ସମେତ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରି କ୍ରୟ କରିପାରିବେ। କୌଣସି ସମସ୍ୟା ହେଲେ ସମ୍ପୃକ୍ତ ଥାନାର ଅଧିକାରୀମାନଙ୍କୁ ଯୋଗାଯୋଗ କରି ପାରିବେ। ମଣିଷ-ଭୂତାଣୁ ଯୁଦ୍ଧରେ ବରିଷ୍ଠ ନାଗରିକମାନେ ଅଧିକ ସମ୍ବେଦନଶୀଳ ହୋଇଥିବାରୁ ଏଭଳି ଏକ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ।

ଅତିରିକ୍ତ କମିସନର ଅନୁପ କୁମାର ସାହୁ କହିଛନ୍ତି ବରିଷ୍ଠ ନାଗରିକମାନେ ଘରୁ କିଭଳି ବାହାରିବେ ନାହିଁ ସେଭଳି ବ୍ୟବସ୍ଥା କରାଯାଇଛି। ଆମ ପାଖରେ ୨୫ ହଜାର ପାଖାପାଖି ବରିଷ୍ଠ ନାଗରିକ ପଞ୍ଜୀକୃତ ଅଛନ୍ତି। ଔଷଧ ଠାରୁ ଆରମ୍ଭ କରି ପନିପରିବା, ତେଜରାତି, ମାଛ ଚିକେନ୍‌ ପର୍ଯ୍ୟନ୍ତ ସବୁ ଜିନିଷ ଯେଭଳି ଘରେ ପହଞ୍ଚିବ ସେଥିପାଇଁ ବ୍ୟବସାୟୀମାନଙ୍କର ଫୋନ୍‌ ନମ୍ବର ଦିଆଯାଇଛି। ଘରୁ ନ ବାହାରିଲେ ହିଁ ଆମେ ଏ ଯୁଦ୍ଧ ଜିତିପାରିବା ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର