କଟକ: ଓଡ଼ିଶା ଅପେକ୍ଷା ବାହାରେ ଦର୍ଶନ ବିଷୟର ଚାହିଦା ରହିଛି। ଅକ୍ସ‌ଫୋର୍ଡ ୟୁନିଭର୍‌ସିଟିରେ ମେଧାବୀ ଛାତ୍ରଛାତ୍ରୀଙ୍କ ପ୍ରଥମ ପସନ୍ଦ ଫିଲୋସଫି, ପଲ୍‌ଟିକାଲ୍‌ ସାଇନ୍ସ, ଇକୋନୋମିକ୍ସ(ପିପିଇ) ହୋଇଥିବା ବେଳେ ଓଡ଼ିଶାରେ କିନ୍ତୁ ଫିଲୋସଫି ପ୍ରତି ବେଶି ଆଦର ନାହିଁ। କିନ୍ତୁ ଦର୍ଶନ ଶାସ୍ତ୍ର ପାଇଁ ବିଦ୍ୟା ଓ ଶିକ୍ଷା ଆମ ପାଖରେ ପହଞ୍ଚିପାରିଛି ବୋଲି କହିଛନ୍ତି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ। ପ୍ରାଧ୍ୟାପକ ଡକ୍ଟର ନାରାୟଣ ମହାନ୍ତିଙ୍କ ରଚିତ ‘ଓଡ଼ିଶାରେ ଦର୍ଶନଶିକ୍ଷାର ଇତିହାସ’ ପୁସ୍ତକ ଦ୍ବିତୀୟ ସଂସ୍କରଣର ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଲେ ଯେ, ଆଜିକାଲି ପ୍ରଶ୍ନ କେହି ପଚାରୁନାହାନ୍ତି। ପ୍ରଶ୍ନ ପଚାରିବାର ଅଭ୍ୟାସ କମିଲେ, ବୌଦ୍ଧିକ ଜଗତ ସଂକୁଚିତ ହୋଇଥାଏ। ଏଥିପାଇଁ ଶ୍ରୀ ପଟ୍ଟନାୟକ ଉପସ୍ଥିତ ଦାର୍ଶନିକ ଓ ବୁଦ୍ଧଜୀବୀଙ୍କୁ ପ୍ରଶ୍ନ ପଚାରିବାର ଅଭ୍ୟାସ ବୃଦ୍ଧି କରିବାକୁ ଉତ୍ସାହିତ କରିଥିଲେ। ପ୍ରଶ୍ନ କଲେ ହିଁ ରାଜନୀତି ବା ବ୍ୟବସ୍ଥା ସୁସ୍ଥ, ସଂଗଠିତ ଓ ଦୁର୍ନୀତିମୁକ୍ତ ହୋଇଥାଏ  ବୋଲି ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ। 

Advertisment

‘ବଶିଷ୍ଟ ବିଚାର ମଞ୍ଚ’ ଆନୁକୂଲ୍ୟରେ ଶତାବ୍ଦୀଭବନରେ ଆୟୋଜିତ ଏହି ଉନ୍ମୋଚନ ଉତ୍ସବରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ନ୍ୟାୟାଧୀଶ ବାମାଶଙ୍କର ମିଶ୍ର ଓ ପୂର୍ବତନ ପୁଲିସ୍ ଅଧିକାରୀ ରାଜକିଶୋର ଦା, ଦର୍ଶନଶାସ୍ତ୍ର କିପରି ସେମାନଙ୍କ ବୃତ୍ତିକୁ ପ୍ରଭାବିତ କରିଥିଲା ସେ ସଂପର୍କରେ ବର୍ଣ୍ଣନା କରିଥିଲେ। ପୁସ୍ତକକୁ ସମୀକ୍ଷା କରି ଡକ୍ଟର ନଟବର ଶତପଥୀ କହିଲେ ଯେ, ଦର୍ଶନ ଶାସ୍ତ୍ର ସବୁ ବିଦ୍ୟାର ମୂଳଦୁଆ। ସ୍ରଷ୍ଟା ନାରାୟଣ ମହାନ୍ତିଙ୍କ ପୁସ୍ତକ ଓଡ଼ିଶା ଇତିହାସର ଏକ ଗୁରୁତ୍ବପୂର୍ଣ୍ଣ ଦଲିଲ୍। ଅନ୍ୟତମ ସମୀକ୍ଷକ ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ, ପୁସ୍ତକ ରଚନାରେ ପ୍ରଫେସର ମହାନ୍ତି ବୌଦ୍ଧିକ ଶ୍ରମ ଅପେକ୍ଷା ଅଧିକ ଶାରୀରିକ ଶ୍ରମ ଦେଇଛନ୍ତି ବୋଲି କହିଥିଲେ। ଉତ୍ସବରେ ଅଧ୍ୟକ୍ଷତା କରି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ, ଡକ୍ଟର ମହାନ୍ତିଙ୍କ ପୁସ୍ତକ ଏକ ଅନନ୍ୟ ତଥା ଉପ‌ାଦେୟ ଗ୍ରନ୍ଥ‌ ବୋଲି କହିଥିଲେ। ବଶିଷ୍ଟ ମଞ୍ଚର ସଂଯୋଜକ ଦୀପକ କୁମାର ମହାନ୍ତ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଆବାହକ ଡକ୍ଟର ଗୌରୀଶଙ୍କର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରଫେସର ଧନେଶ୍ବର ସାହୁ ସ୍ବାଗତ ଭା‌ଷଣ ଦେଇଥିବା ବେଳେ ଡକ୍ଟର ସଚିନ୍ଦ୍ର ରାଉଳ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ଦର୍ଶନ ଶିକ୍ଷାର ପ୍ରସାର ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ନୀଳଚକ୍ର ସଭାନେତ୍ରୀ ନମିତା ପଣ୍ଡା ଓ ସ୍ବର୍ଗତ ଫିରଦୋସ ଅଲ୍ଲୀଙ୍କୁ ସମ୍ମାନିତ କରାଯାଇଥିଲା। ସ୍ବର୍ଗତ ଫିରଦୋସ ଅଲ୍ଲୀଙ୍କ ପାଇଁ ପୁଅ ଦିଲ୍ଲରାଜ ଅଲ୍ଲୀ ଓ ଜ୍ବାଇଁ ତାହିର ଅଲ୍ଲୀ ସମ୍ମାନ ଗ୍ରହଣ କରିଥିଲେ। ରାଧାଶ୍ୟାମ ରାଉଳ ଧନ୍ୟବାଦ ଦେଇଥିବା ବେଳେ ଭୋଳାନାଥ ନାୟକ ଶାନ୍ତିମନ୍ତ୍ର ପାଠ କରିଥିଲେ।