ଭୁବନେଶ୍ବର: ମେଘ ବରଷିଲେ ମାଟି ଓଦା ହୁଏ। ମାଟି ଓଦା ହେଲେ ପୃଥିବୀ ଶସ୍ୟ ଶ୍ୟାମଳାରେ ଭରିଯାଏ। ସେହିଭଳି ସାହିତ୍ୟ ମଣିଷ ଜୀବନରେ ପ୍ରବେଶ କରି ପ୍ରେମ, କରୁଣା, ଆବେଗର ଅଙ୍କୁରଦଗମ୍ କରି ସମଗ୍ର ସଂସାରରେ ଖୁସି ଭରିଦିଏ। ପ୍ରତିଟି ସାହିତ୍ୟ ସୃଷ୍ଟିରେ କବିତା ଭରି ରହିଥାଏ। ଲେଖକ ଗପ, ଉପନ୍ୟାସ, କବିତା ଓ ଭ୍ରମଣକାହାଣୀ ଯାହା ଲେଖିଲେ ବି ସେଥିରେ କବିତା ବାରି ହୋଇ ପଡ଼େ। ଯେଉଁଥିରେ କବିତା ନଥାଏ, ତାହା ସାହିତ୍ୟ ପଦବାଚ୍ୟ ନୁହେଁ। ‘ପକ୍ଷୀଘର’ ପ୍ରକାଶନୀ ସଂସ୍ଥା ପକ୍ଷରୁ ବୁଦ୍ଧ ମନ୍ଦିରରେ ଆୟୋଜିତ ଲେଖିକା ପୁଷ୍ପାଞ୍ଜଳି କରଙ୍କ ଉପନ୍ୟାସ ‘ପଥ ଅସରନ୍ତି’ ଓ ଭ୍ରମଣ କାହାଣୀ ‘ପ୍ରକୃତିର କେତେ ରୂପ’ ଉନ୍ମୋଚନ ଅବସରରେ ମୁଖ୍ୟ ଅତିଥି ବିଶିଷ୍ଟ କଥାକାର ଗୌରହରି ଦାସ ଏହା କହିଛନ୍ତି।
ପ୍ରକାଶକ ବନୋଜ ତ୍ରିପାଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ଦାସ ଆହୁରି କହିଲେ, ଲେଖିକା ଖୁବ୍ ସୁନ୍ଦର ଭାବେ ଏହି ଭ୍ରମଣ କାହାଣୀ ଲେଖିଛନ୍ତି। ଏଥିରେ ତାଙ୍କ ଯାତ୍ରାର ପ୍ରତିଟି ଅନୁଭୂତି ଅତି ନିଖୁଣ ଭାବେ ଲେଖାଯାଇଛି। ବିଶିଷ୍ଟ ଅତିଥି କଥାକାର ଅଜୟ ସ୍ବାଇଁ କହିଲେ, ଉନ୍ମୋଚିତ ଉପନ୍ୟାସ ଏକ ଇତିହାସ। ଏଥିରେ ଅତୀତର ବାଲ୍ୟ ବିବାହ ପ୍ରଥା ସହ ଏକ ଗ୍ରାମାଞ୍ଚଳ ମଧ୍ୟବିତ୍ତ ପରିବାରର ଇତିହାସ ଉଲ୍ଲେଖ ରହିଛି ବୋଲି ସେ କହିଥିଲେ। ଅନ୍ୟତମ ଅତିଥି ‘କାଦମ୍ବିନୀ’ର ସମ୍ପାଦିକା ଇତି ସାମନ୍ତ କହିଲେ, ଉପନ୍ୟାସର ଭାଷା ଖୁବ୍ ସରଳ ଓ ଗାଉଁଲି। ଏହାକୁ ପଢ଼ିଲେ, ଲାଗିବ ଆମେ ଚରିତ୍ରମାନଙ୍କ ଭେଟୁଛେ ଓ ତାଙ୍କ ସହ କଥାବାର୍ତ୍ତା କରୁଛେ। ଏହି ଉପନ୍ୟାସରେ ଜଣେ ନାରୀର ସଂଘର୍ଷ କଥା ଅତି ସୁନ୍ଦର ଭାବେ ବର୍ଣ୍ଣନା କରାଯାଇଛି। ଲେଖିକା ଶ୍ରୀମତୀ କର ନିଜର ଲେଖକୀୟ ବକ୍ତବ୍ୟରେ ନିଜର ସ୍ମୃତି ଅନୁଭୂତି ବଖାଣିଥିଲେ। କାର୍ଯ୍ୟକ୍ରମରେ ବହୁ ସାହିତ୍ୟିକ ଓ ସାହିତ୍ୟ ଅନୁରାଗୀ ଉପସ୍ଥିତ ଥିଲେ।