‘ଗବେଷକ ଗୌରବ ଗଗନେନ୍ଦ୍ରନାଥ’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ମୁଁ ଜଣେ ସାଧାରଣ ମଣିଷ। ମୃତ୍ୟୁ ପରେ ମୁଁ ମୋ ଅନୁଗାମୀଙ୍କ ମହଲରେ ବଞ୍ଚିବା ପାଇଁ ଅଭୀପ୍‌ସା ରଖିଛି। ୧୯୬୧ରୁ ଛାତ୍ରାବସ୍ଥାରୁ ମୁଁ ଗବେଷଣା ଆରମ୍ଭ କଲି। ଏଯାଏଁ ବି ଗବେଷଣା କରୁଛି। ଅର୍ଜୁନ ଯେପରି ପାଶୁପତ ଅସ୍ତ୍ର ପାଇଁ ଘୋର ତପସ୍ୟା କରିଥିଲେ ସେଭଳି ତପସ୍ୟା ମୁଁ କରିପାରିନି। ଅର୍ଜୁନ ପାଶୁପତ ଅସ୍ତ୍ର ପାଇଁ କଠୋର ତପସ୍ୟା କରୁଥିଲେ, ଆଉ ମୁଁ ଉଚ୍ଚମାନର ପ୍ରବନ୍ଧ ଓ ପୁସ୍ତକ ରଚନା ପାଇଁ ତପସ୍ୟା କରୁଛି। ଏପରି କହିଛନ୍ତି ଭାଷା, ସାହିତ୍ୟ ଓ ସଂସ୍କୃତିର ଗବେଷକ ପ୍ରଫେସର ଗଗନେନ୍ଦ୍ରନାଥ ଦାଶ। ଆଜି ‘ଓଡ଼ିଆ ଲେଖକ ଲେଖିକା ପରିଷଦ’ ପକ୍ଷରୁ ରେଡ୍‌କ୍ରସ ଭବନରେ ଅନୁଷ୍ଠିତ ଏକ ବିଶେଷ ଉତ୍ସବରେ ସଂପୃକ୍ତ ପ୍ରଫେସରଙ୍କ ଉପରେ ‘ଗବେଷକ ଗୌରବ ଗଗନେନ୍ଦ୍ରନାଥ’ ପୁସ୍ତକ ଉନ୍ମୋଚନ ହୋଇଥିବା ବେଳେ ଏପରି ମତ ରଖିଛନ୍ତି ପ୍ରଫେସର ଦାଶ। ପ୍ରଫେସର୍‌ ଦାଶ ଶାନ୍ତି ନିକେତନରେ ଅଧ୍ୟାପକ ଥିବା ବେଳେ ବନମାଳୀ ବାରିକ ସେଠାରେ ଛାତ୍ର ଥିଲେ। ଶ୍ରୀ ବାରିକ ଏହି ପୁସ୍ତକ ସଂକଳନ କରି ଗୁରୁ ଦକ୍ଷିଣା ଦେଇଛନ୍ତି। ଉତ୍ସବରେ ଆଚାର୍ଯ୍ୟ ଭାବାନନ୍ଦ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଗବେଷକଙ୍କ ସାମଗ୍ରିକ ଜୀବନ ଉପରେ ଆଲୋକପାତ କରିଥିଲେ। ପରିଷଦର ସଭାପତି ଡ. ହିମାଂଶୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଡ. ନିତ୍ୟାନନ୍ଦ ଶତପଥୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ପ୍ରଫେସର ଦାଶଙ୍କ ସାରସ୍ୱତ ଜୀବନ ଓ ପ୍ରବନ୍ଧ ଉପରେ ମତ ରଖିଥିଲେ। ସଂଯୋଜକ ଭୁବନାନନ୍ଦ ତ୍ରିପାଠୀ ମଞ୍ଚରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର